Sportsଖେଳବାଣିଜ୍ୟରାଜ୍ୟ

କେନ୍ଦୁଝର ହେବ ସ୍ପୋର୍ଟସ୍‌ ହବ୍‌ !

କେନ୍ଦୁଝର ହେବ ସ୍ପୋର୍ଟସ୍‌ ହବ୍‌ !

କେନ୍ଦୁଝର ପାଲଟିବ ସ୍ପୋର୍ଟ୍ସ ହବ୍‌। ଫୁଟ୍‌ବଲ୍‌ଠୁ ଆରମ୍ଭ କରି ସୁଇମିଂ ପୁଲ୍‌, କ୍ରିକେଟ୍‌, ହକି; ସବୁ ଖେଳ ପାଇଁ ରହିବ ଭିତ୍ତିଭୂମି ଓ ଅଭ୍ୟାସସ୍ଥଳ। ଅନେକ ଦିନ ହେବ ଏଭଳି ଯୋଜନା ଚାଲିଥିଲେ ହେଁ ଜମି ବିବାଦ ଏଥିରେ ମୁଖ୍ୟ ବାଧକ ସାଜିଥିଲା।

ଭୁବନେଶ୍ୱର୧୬-୦୫-୨୦୨୫ (ଏସ.ଏମ ) :  କେନ୍ଦୁଝର ପାଲଟିବ ସ୍ପୋର୍ଟ୍ସ ହବ୍‌। ଫୁଟ୍‌ବଲ୍‌ଠୁ ଆରମ୍ଭ କରି ସୁଇମିଂ ପୁଲ୍‌, କ୍ରିକେଟ୍‌, ହକି; ସବୁ ଖେଳ ପାଇଁ ରହିବ ଭିତ୍ତିଭୂମି ଓ ଅଭ୍ୟାସସ୍ଥଳ। ଅନେକ ଦିନ ହେବ ଏଭଳି ଯୋଜନା ଚାଲିଥିଲେ ହେଁ ଜମି ବିବାଦ ଏଥିରେ ମୁଖ୍ୟ ବାଧକ ସାଜିଥିଲା। ତାହା ତୁଟିଯିବା ପରେ ଏବେ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ପାଇଁ ବାଟ ଫିଟିଛି। କିଛି ମାସ ତଳେ ଏକ କ୍ରୀଡ଼ା ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବା ଅବସରରେ କେନ୍ଦୁଝରର କ୍ରୀଡ଼ା ପ୍ରତିଭାଙ୍କ ଉପରେ ଆଲୋଚନା କରିଥିଲେ। କ୍ରୀଡ଼ା ଭିତ୍ତିଭୂମି ବିକାଶ ଉପରେ ସେ ଗୁରୁତ୍ବ ଦେବା ପରେ ପ୍ରଶାସନିକସ୍ତର‌ରେ ତତ୍ପରତା ପ୍ରକାଶ ପାଇଛି। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀ କେନ୍ଦୁଝର ସଦର ତଥା ଜିଲ୍ଲାର ସମସ୍ତ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ପ୍ରାରମ୍ଭିକ କାର୍ଯ୍ୟ ଶେଷ ହେଲାଣି। କେନ୍ଦୁଝର ମୁଖ୍ୟ ଷ୍ଟାଡିୟମ୍‌ ସହରର ମଧ୍ୟସ୍ଥଳରେ ରହିଛି। ବିଭିନ୍ନ ସମୟରେ ଏଠାରେ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥାଏ। ଏହି ଷ୍ଟାଡିୟମର ଜମି ବାଲୁଙ୍କେଶ୍ବର ଟ୍ରଷ୍ଟ ନାମରେ ଥିବାରୁ ଏହାର ଉନ୍ନତୀକରଣ ହୋଇ ପାରୁନଥିଲା। ଏପରିକି ପାଚେରି ରଙ୍ଗ ମଧ୍ୟ ଦିଆଯାଇ ପାରୁନଥିଲା। ଗତ କିଛିମାସ ମଧ୍ୟରେ ସ୍ଥିତିରେ ପରିବର୍ତ୍ତନ ହୋଇଛି। ସରକାରଙ୍କ ପକ୍ଷରୁ ଆର୍‌ଓଆର୍‌ ପରିବର୍ତ୍ତନ ପାଇଁ ବୋର୍ଡ ଅଫ୍‌ ରେଭିନ୍ୟୁରେ ମାମଲା ରୁଜୁ ହୋଇ ଏବେ ଏହାର ରାୟ ଆସିଛି। ଓଇଏ ନଂ-୩୦୩/୨୦୨୪ରେ ରାୟ ଆସିବା ପରେ ବାଲୁଙ୍କେଶ୍ବର ଟ୍ରଷ୍ଟ ହାତରୁ ଏହି ଜମି ସରକାରୀ ଖାତାକୁ ଯାଇଛି। ମୋଟ ୮୪ ଏକର ୫୯ ଡେସିମିଲ ଜମି ସରକାରୀ ଖାତାକୁ ଯିବା ପରେ ଏହି ଷ୍ଟାଡିୟମ୍‌ର ରୂପରେଖ ଖୁବ୍‌ଶୀଘ୍ର ବଦଳିବାକୁ ଯାଉଛି।

କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ପାଇଁ ବାଟ ଫିଟିଲା
କାର୍ଯ୍ୟକାରୀ ହେବ ସମନ୍ବିତ କ୍ରୀଡ଼ା ଯୋଜନା
ଟ୍ରଷ୍ଟ ଜମି ସରକାରୀ ଖାତାକୁ ଯିବା ପରେ ତୁଟିଲା ବିବାଦ

ପ୍ରାରମ୍ଭିକ ପର୍ଯ୍ୟାୟରେ କେନ୍ଦୁଝରର ରାଙ୍କିଠାରେ ଏକ ସମନ୍ବିତ ସ୍ପୋର୍ଟ୍ସ କଂପ୍ଲେସ ନିର୍ମାଣ ହେବ। ସେଠା‌ରେ ଫୁଟ୍‌ବଲ ଏକାଡେମି ଓ ଅନ୍ୟାନ୍ୟ କ୍ରୀଡ଼ା ପାଇଁ ବ୍ୟବସ୍ଥା ହେବ। ଏଥିପାଇଁ ପାଖାପାଖି ୩୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ସେହିପରି କେନ୍ଦୁଝର କାଳୀପଡ଼ିଆ ଷ୍ଟାଡିୟମକୁ ଫୁଟ୍‌ବଲ୍‌ ଷ୍ଟାଡିୟମ କରାଯିବ। ଏଥିପାଇଁ ପ୍ରାୟ ୧୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେବ। ମୋଟ ୫.୪୭୩ ଏକର ଜମିରେ ଏହି ଫୁଟ୍‌ବଲ୍‌ ଷ୍ଟାଡିୟମ ହେବ। ପଡ଼ିଆର ଚାରିପାଖରେ ଆଥ୍‌ଲେଟିକ ଟ୍ରାକ୍‌ ସହିତ ଜମ୍ପ୍‌ ଏରିଆ ଏବଂ ଥ୍ରୋ ଏରିଆ ରହିବ। ଏହାର ଗୋଟିଏପଟ କୋଣରେ ସୁଇମିଂ ପୁଲ୍‌ ରହିବ। ଏଠାରେ ସନ୍ତରଣ ଅଭ୍ୟାସ କରାଯାଇପାରିବ। ସେହିପରି ଡିଏନ୍‌ ହାଇସ୍କୁଲ ପଛପଟରେ ରହିଛି ଏକ ବିଶାଳ ସରକାରୀ ପଡ଼ିଆ। ଏଠାରେ ଏକ କ୍ରିକେଟ ଷ୍ଟାଡିୟମ୍‌ ହେବ। ଏଥିପାଇଁ ୫ କୋଟିରୁ ଊର୍ଦ୍ଧ୍ବ ଖର୍ଚ୍ଚ ହେବ। ଓଏସ୍‌ଏମ୍‌ଇ ଗ୍ରାଉଣ୍ଡକୁ ଏକ ଅତ୍ୟାଧୁନିକ କ୍ରିକେଟ୍‌ ଷ୍ଟାଡିୟମ୍‌ କରାଯିବାକୁ ଯୋଜନା ହୋଇଛି। ଏଥିପାଇଁ ପାଖାପାଖି ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି। ଜିଲ୍ଲାର ୧୩ଟି ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ପ୍ରସ୍ତୁତି ସରିଛି। କେବଳ ହାଟଡିହି ବ୍ଲକ୍‌କୁ ଛାଡ଼ିଦେଲେ ଅବଶିଷ୍ଟ ୧୨ଟି ବ୍ଲକ୍‌ରେ ଜମି ଚିହ୍ନଟ କରି ଷ୍ଟାଡିୟମ ପାଇଁ ହସ୍ତାନ୍ତର ହୋଇଛି। ହାଟଡିହିରେ ଏଯାଏଁ ସରକାରୀ ଜମି ଚିହ୍ନଟ ହୋଇ ପାରିନାହିଁ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *