ରାଜନୀତିରାଜ୍ୟସ୍ୱାସ୍ଥ୍ୟ /ରୋଗ ଆରୋଗ୍ୟ

କେନ୍ଦ୍ରୀୟ ଦଳର ତନାଘନା

କେନ୍ଦ୍ରୀୟ ଦଳର ତନାଘନା

ମୃତ୍ୟୁ ୧୪କୁ ବଢ଼ିଲା, ସରକାରୀ ହିସାବରେ ୫, ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ
ଯାଜପୁର ଜିଲ୍ଲାରେ ଡାଇରିଆ, ହଇଜା ସଂକ୍ରମଣର ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ। କେନ୍ଦ୍ରୀୟ ପ୍ରତିନିଧି ଦଳ ମଧ୍ୟ ଆଜି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଝାଡ଼ାବାନ୍ତିର କାରଣ ଖୋଜିଛନ୍ତି

ଯାଜପୁରଟାଉନ/ଭୁବନେଶ୍ୱର ୧୬-୦୬-୨୦୨୫(ଏସ .ଏମ ) : ଯାଜପୁର ଜିଲ୍ଲାରେ ଡାଇରିଆ, ହଇଜା ସଂକ୍ରମଣର ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ। କେନ୍ଦ୍ରୀୟ ପ୍ରତିନିଧି ଦଳ ମଧ୍ୟ ଆଜି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଝାଡ଼ାବାନ୍ତିର କାରଣ ଖୋଜିଛନ୍ତି। ଜିଲ୍ଲାର ବଡ଼ଚଣା, ଧର୍ମଶାଳା, ରସୁଲପୁର, କୋରେଇ, ଦାନଗଦୀ, ସୁକିନ୍ଦା, ଯାଜପୁର, ଦଶରଥପୁର, ବିଞ୍ଝାରପୁର ବ୍ଲକ୍‌ ଏବଂ ଯାଜପୁର ଓ ବ୍ୟାସନଗର ପୌରାଞ୍ଚଳରେ ଡାଇରିଆ ସଂକ୍ରମଣ ସ୍ଥିତି ଉଦ୍‌ବେଗଜନକ ରହିଛି। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଯାଜପୁର ମୁଖ୍ୟ ଚିକିତ୍ସାଳୟ, ବଡ଼ଚଣା, ଧର୍ମଶାଳା, ଯାଜପୁରରୋଡ୍‌ ଓ ରସୁଲପୁର ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ରୋଗୀଙ୍କୁ ଭେଟିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଜିଲ୍ଲାପାଳ ପି.ଅନ୍ବେଷା ରେଡ୍ଡୀଙ୍କ ସୂଚନା ଅନୁଯାୟୀ ଶନିବାର ରାତି ୧୧ଟାରୁ ରବିବାର ସକାଳ ୮ଟା ସୁଦ୍ଧା ବିଭିନ୍ନ ଡାକ୍ତରଖାନାରେ ୨୨୫ ଜଣ ରୋଗୀ ଚିକିତ୍ସିତ ହେଉଥିଲେ। ୯୬ ଜଣ ନୂଆ ରୋଗୀଙ୍କୁ ମିଶାଇ ୩୧୧ ଜଣ ରୋଗୀ ଥିବାବେଳେ ୬ଜଣଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ଡାକ୍ତରଖାନାକୁ ପଠାଯାଇଥିଲା। ୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ଜିଲ୍ଲାରେ ୨୫୮ ଜଣ ଚିକିତ୍ସିତ ହେଉଛନ୍ତି। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୯୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ବେସରକାରୀ ଭାବେ ଏହି ସଂଖ୍ୟା ଅଧିକ ବୋଲି ଜଣାପଡ଼ିଛି। ଅଦ୍ୟାବଧି ୧୪ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
ଗତ ଶନିବାର ରାତି ସୁଦ୍ଧା ୧୧ଜଣଙ୍କ ମୃତ୍ୟୁ ହୋଇଥିଲା। ରବିବାର ଦଶରଥପୁର ବ୍ଲକ୍‌ କସପା ପଞ୍ଚାୟତ କମାଲପୁର ଗ୍ରାମର ଜଟାଧାରୀ ସାହୁ (୪୫) ଓ ଯାଜପୁର ବ୍ଲକ୍‌ ଖଇରାବାଦ ପଞ୍ଚାୟତ ଖଇରାବାଦ ଗ୍ରାମର ଜୟନ୍ତୀ ସାହୁ (୫୮)ଙ୍କର ମୃତ୍ୟୁ ଘଟିଛି। ଯାଜପୁର ପୌରାଞ୍ଚଳ ବାସିନ୍ଦା ମଦନ ମୋହନ ସେନାପତିଙ୍କର କଟକ ବଡ଼ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ସରକାରୀ ଭାବେ ମୃତ୍ୟୁସଂଖ୍ୟା ୫ ବୋଲି କୁହାଯାଇଛି। ସମସ୍ତ ଆକ୍ରାନ୍ତଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଭୟଭୀତ ନ ହେବା ଲାଗି ସେ ପରାମର୍ଶ ଦେଇଛନ୍ତି। ଝାଡ଼ାବାନ୍ତିର କାରଣ ଏବେ ବି ଅସ୍ପଷ୍ଟ ରହିଛି। ଯଦିଓ ଦୂଷିତ ଜଳ ଦ୍ୱାରା ଡାଇରିଆ ବ୍ୟାପିଛି ତେବେ ଏ ନେଇ ଅଧିକ ପରୀକ୍ଷା ଚାଲିଛି ବୋଲି ସୂଚନା ଦିଆଯାଇଛି। ମନ୍ତ୍ରୀଙ୍କ ଗସ୍ତ ସମୟରେ ଯାଜପୁର ସାଂସଦ ଡ.ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଆକାଶ ଦାସ ନାୟକ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ସାମିଲ ହୋଇ ରୋଗୀଙ୍କୁ ଭେଟିବା ସହ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *