ଅପରାଧଘଟଣା ଦୁର୍ଘଟଣାରାଜ୍ୟ

କେନ୍ଦ୍ରୀୟ ବିଦ୍ୟାଳୟ-୩ ନିକଟରେ ବିସ୍ଫୋରଣ: ଖେଳିଗଲା ଆତଙ୍କୀ ଡର

କେନ୍ଦ୍ରୀୟ ବିଦ୍ୟାଳୟ-୩ ନିକଟରେ ବିସ୍ଫୋରଣ: ଖେଳିଗଲା ଆତଙ୍କୀ ଡର

ବିଧାନସଭା ଶୀତ ଅଧିବେଶନ ଚାଲିଥିବା ବେଳେ ଆଜି ସକାଳେ ମଞ୍ଚେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ-୩ର ପଛ ଫାଟକ ନିକଟରେ ଘଟିଥିବା ବିସ୍ଫୋରଣକୁ ନେଇ ତନାଘନା ଚାଲିଛି। ସ୍କୁଲ୍‌ ନିକଟରେ ବିସ୍ଫୋରଣ ହୋଇଥିବା ହେତୁ ରାଜଧାନୀର ସୁରକ୍ଷା ବ୍ୟବସ୍ଥାରେ ଘୋର ତ୍ରୁଟି ଥିବା ନେଇ ଅଭିଯୋଗ….

ଭୁବନେଶ୍ୱର ୨୯-୧୧-୨୦୨୫(ଏସ.ଏମ.) :  ବିଧାନସଭା ଶୀତ ଅଧିବେଶନ ଚାଲିଥିବା ବେଳେ ଆଜି ସକାଳେ ମଞ୍ଚେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ-୩ର ପଛ ଫାଟକ ନିକଟରେ ଘଟିଥିବା ବିସ୍ଫୋରଣକୁ ନେଇ ତନାଘନା ଚାଲିଛି। ସ୍କୁଲ୍‌ ନିକଟରେ ବିସ୍ଫୋରଣ ହୋଇଥିବା ହେତୁ ରାଜଧାନୀର ସୁରକ୍ଷା ବ୍ୟବସ୍ଥାରେ ଘୋର ତ୍ରୁଟି ଥିବା ନେଇ ଅଭିଯୋଗ ହୋଇଛି ଏବଂ ଘଟଣାଟି ଲୋକଙ୍କ ଭିତରେ ଗଭୀର ଆଲୋ‌ଡନ ସୃଷ୍ଟି କରିଛି। ଘଟଣାସ୍ଥଳ ପରିଦର୍ଶନ କରିବା ପରେ ପୁଲିସ କମିସନର୍‌(ସିପି)ଏହା ଏକ ବାଣ ଫୁଟାଜନିତ ବିସ୍ଫୋରଣ ବୋଲି କହିଛନ୍ତି। ସିପିଙ୍କ ବୟାନ ପରେ ରାଜଧାନୀବାସୀ ଆଶ୍ବସ୍ତ ହୋଇଛନ୍ତି। ଏଣେ ବାଣ ଫୁଟାଇଥିବା ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ପୁଲିସ ଉଦ୍ୟମ କରୁଥିଲେ ହେଁ ଘଟଣାର ୧୨ ଘଣ୍ଟା ପରେ ବି କିଛି ସୁଫଳ ମିଳିପାରିନାହିଁ।

ସିପି କହିଲେ ବାଣ ଫୁଟିଛି
ଏନ୍‌ଆଇଏ ଟିମ୍‌ର ତଦନ୍ତ

ଘଟଣା ଅନୁଯାୟୀ ଆଜି ସକାଳ ପ୍ରାୟ ୧୦ଟା ବେଳେ ଛାତ୍ରଛାତ୍ରୀମାନେ ସ୍କୁଲ ପରିସରକୁ ପ୍ରବେଶ କରୁଥିଲେ। କିଛି ଛାତ୍ରଛାତ୍ରୀ ସ୍କୁଲ୍‌ ପଛ ଗେଟ୍‌ ଦେଇ ସ୍କୁଲ୍‌ କ୍ୟାମ୍ପସ୍‌କୁ ପ୍ରବେଶ କରିଥିଲେ। ପଛ ଗେଟ୍‌ରେ କୌଣସି ସୁରକ୍ଷାକର୍ମୀ ନାହାନ୍ତି। ଏହି ସମୟରେ ସେଠାରେ କିଛି ଯୁବକ ଠିଆହୋଇ ଖଟି କରୁଥିଲେ। ସବୁ ପିଲା କ୍ଲାସ୍‌ରୁମ୍‌ରେ ପ୍ରବେଶ କରିବା ପରେ ହଠାତ୍ ପଛ ଗେଟ୍‌ ନିକଟରେ ବିସ୍ଫୋରଣ ହୋଇଥିଲା। ଲାଗଲାଗ ତିନିଟି ବିସ୍ଫୋରଣରେ ସ୍କୁଲ୍‌ ପରିସର ଓ ଆଖପାଖ ଅଞ୍ଚଳ ଥରହର ହୋଇଉଠିଥିଲା। ଦୁଇଟି ବିସ୍ଫୋରଣ ସ୍କୁଲ ପରିସର ବାହାରେ ଓ ଗୋଟିଏ ଭିତରେ ହୋଇଥିଲା। ବିସ୍ଫୋରଣର ଭୟଙ୍କର ଶବ୍ଦ ଓ ପ୍ରବଳ ଧୂଆଁ ଦେଖି ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଭୟରେ ଥରିବାକୁ ଲାଗିଥିଲେ। ସେହିଭଳି ସ୍କୁଲ୍‌ ପାଖରେ ବିସ୍ଫୋରଣ ଦେଖି ଆଖପାଖ ଲୋକେ ମଧ୍ୟ ଭୟଭୀତ ହୋଇପଡ଼ିଥିଲେ। କିଛି ଦିନ ପୂର୍ବେ ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ଆତଙ୍କବାଦୀଙ୍କ ବିସ୍ଫୋରଣ ମାମଲା ପାଇଁ ଭୁବନେଶ୍ବରରେ ହାଇ ଆଲର୍ଟ ଜାରି କରାଯାଇଥିଲା। ଦିଲ୍ଲୀ ବିସ୍ଫୋରଣ ମାମଲା ମଧ୍ୟ ଲୋକଙ୍କ ମନରୁ ଲିଭି ନାହିଁ। ତେଣୁ ସ୍କୁଲ୍‌ ନିକଟରେ ଘଟିଥିବା ବିସ୍ଫୋରଣ ଲୋକଙ୍କ ମନରେ ଆତଙ୍କୀ ହମ୍‌ଲାର ଭ୍ରମ ସୃଷ୍ଟି କରିଥିଲା। ଚାହୁଁଚାହୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କୀ ଭୟ ଖେଳିଯାଇଥିଲା। ‌ଖବର ପାଉପାଉ ‌‌ମଞ୍ଚେଶ୍ବର ଓ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେପରେ ସାଇଣ୍ଟିଫିକ୍ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସେହିଭଳି ସିପି ଏସ୍‌ ଦେବଦତ୍ତ ସିଂଙ୍କ ସହ ଜୋନ୍‌ ଏସିପି ମଧ୍ୟ ଘଟଣାସ୍ଥଳକୁ ଛୁଟିଥିଲେ। ସେପଟେ ଘଟଣାକୁ ନେଇ ବିଧାନସଭାରେ ‌ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ତେଣୁ ଏନ୍‌ଆଇଏ ଟିମ୍‌ ମଧ୍ୟ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଶେଷରେ ସିପି ଶ୍ରୀ ସିଂ ସୂଚନା ଦେଇ କହିଥିଲେ ଯେ କେହି ଦୁର୍ବୃତ୍ତ ଅନ୍ୟ କୌଣସି କାରଣକୁ ନେଇ ବାଣ ଫୁଟାଇଛି। ଘଟଣାସ୍ଥଳରୁ ମିଳିଥିବା ଟୁକୁଡ଼ା ସବୁରୁ ବୋମା ନୁହେଁ, ବାଣ ଫୁଟିଛି ବୋଲି ସେ ସ୍ପଷ୍ଟ କରିଥିଲେ। 

କିଏ ସେ ୪ଜଣ?
ସ୍କୁଲ୍ ପଛପାଖ ଗେଟ୍‌ରେ ‌ନା ଅଛି ସିସି କ୍ୟାମେରା ନା ଅଛନ୍ତି ସୁରକ୍ଷାକର୍ମୀ। ଏହି ଗେଟ୍‌ ବାଟଦେଇ ଛାତ୍ରଛାତ୍ରୀମାନେ ସ୍କୁଲ୍‌ ପରିସରକୁ ପଶିବା ବାରଣ କରାଯାଇଛି। ମାତ୍ର ତାଲା ପଡ଼ୁନଥିବାରୁ ପିଲାମାନେ ସ୍କୁଲ ଭିତରକୁ ଯା’ଆସ କରୁଛନ୍ତି। ତେଣୁ ବହୁ ସମୟରେ ଏଠାରେ କିଛି ଅଣଛାତ୍ର ଖଟି କରୁଥିବା ଦେଖିବାକୁ ମିଳେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଆଜି ମଧ୍ୟ ବିସ୍ଫୋରଣ ପରେ ଦୁଇଟି ବାଇକ୍‌ରେ ୪ଜଣ ଯୁବକ ବିଜୁଳି ବେଗରେ ଚାଲିଯିବା ‌ସ୍ଥାନୀୟ ଲୋକମାନେ ଦେଖିଛନ୍ତି। ସେମାନେ ହିଁ ଏହି ବିସ୍ଫୋରଣ କରିଛନ୍ତି ବୋଲି ସନ୍ଦେହ କରାଯାଉଛି। ସେମାନଙ୍କ ପୁଲିସ ଠାବ କରିବା ପରେ ହିଁ ‌ବିସ୍ଫୋରଣର ଉଦ୍ଦେଶ୍ୟ ସ୍ପଷ୍ଟ ହେବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।  

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *