ଅପରାଧଦୁର୍ନୀତିରାଜନୀତିରାଜ୍ୟ

ଖଣିମାଫିଆଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଖଣିମାଫିଆଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଖଣି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୋଧରେ ବିଶେଷକରି ଖଣିଦୁର୍ନୀତି ସମ୍ପର୍କରେ ସବୁବେଳେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହ…

ବ୍ରହ୍ମପୁର/ଭୁବନେଶ୍ୱର ୨୫-୦୫-୨୦୨୫(ଏସ .ଏମ ) : ଣି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୋଧରେ ବିଶେଷକରି ଖଣିଦୁର୍ନୀତି ସମ୍ପର୍କରେ ସବୁବେଳେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହ ଖଣିଦୁର୍ନୀତିର ମୂଳୋତ୍ପାଟନ କରାଯିବ ବୋଲି ସେ ବାରମ୍ୱାର କହିଆସିଛନ୍ତି। ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ୱନ କରି ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ର ଖଣିଦୁର୍ନୀତିର ପର୍ଦ୍ଦାଫାସ୍ କରିବା ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି। ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରିବା ସହ ଦୋଷୀ ଯେ କେହି ବି ହୋଇଥା’ନ୍ତୁ ନା କାହିଁକି, ସମସ୍ତଙ୍କୁ ଖୋଜି ବାହାର କରାଯିବା ସହିତ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ବ୍ରହ୍ମପୁର ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ମନ୍ତ୍ରୀ ଶ୍ରୀ ଜେନା କହିଲେ, ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଓ କୋଇଡ଼ା ତହସିଲରେ ହୋଇଥିବା ବ୍ୟାପକ ବେଆଇନ ଖଣି ଉତ୍ତୋଳନ ଓ କାରବାରର ତଦନ୍ତ ଭିଜିଲାନ୍ସ ଦ୍ୱାରା କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିନିମନ୍ତେ ଭିଜିଲାନ୍ସ ପକ୍ଷରୁ ଏକ ଏସ୍ଆଇଟି ଗଠନ କରାଯାଇଛି। ଗତମାସରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆଙ୍କ ସହ ମୁଁ ନିଜେ ବିଭାଗୀୟ ଅଧିକାରୀଙ୍କ ସହ ଉକ୍ତ ବେଆଇନ ଖଣି ଉତ୍ତୋଳନ ସ୍ଥଳ ଗସ୍ତ କରି ଜଙ୍ଗଲ ମଧ୍ୟରେ ଚାଲିଥିବା ଏହି ବେଆଇନ ଖଣିଖନନ ଓ ଚାଲାଣ ସମ୍ବନ୍ଧିତ ରିପୋର୍ଟ ସଂଗ୍ରହ କରିବା ସହ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲୁ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ତହସିଲରେ ୨୨ଟି ଖଣିରୁ ବେଆଇନ ଭାବେ ୯୮୪୩ ମେଟ୍ରିକ୍ ଟନ୍‌ରୁ ଅଧିକ ପରିମାଣର କୋଇଲା ଉତ୍ତୋଳନ କରାଯାଇଥିବା ନଜରକୁ ଆସିଛି, ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ। ଏଗୁଡ଼ିକ ମୁଖ୍ୟତଃ ଜଙ୍ଗଲ କିସମ ଜମି। ଏଥିସହିତ ହେମଗିରିର ଜାମଖାନି ସଂରକ୍ଷିତ ଜଙ୍ଗଲ ଏବଂ ଭୋଗରାକଚର ଗ୍ରାମରେ ବେଆଇନ ଭାବେ କୋଇଲା ଗଚ୍ଛିତ କରାଯିବାର ସୂଚନା ମିଳିଛି।

ସମସ୍ତ ଜିଲ୍ଲାରେ ଖଣି ଦୁର୍ନୀତିର ଖୋଳତାଡ଼
ଲଘୁଖଣିଜ ଆଇନକୁ କାର୍ଯ୍ୟକାରୀ କରାଯିବ
ରାଜସ୍ବ, ଜଙ୍ଗଲ, ଖଣି ଓ ପୁଲିସ ବିଭାଗକୁ ନେଇ ବ୍ଲକ୍‌ ଓ ଜିଲ୍ଲା ସ୍ତରରେ ଟାସ୍କ ଫୋର୍ସ

ସେହିପରି କୋଇଡ଼ା ତହସିଲ ଅନ୍ତର୍ଗତ ମାଲଦା, ପଟାବେଡ଼ା, ସାନପୁଟୁଳି, କୋଲମଙ୍ଗ ଏବଂ ରୁସିବେଣୁଆଠାରେ ୪୭ଟି ମାଙ୍ଗାନିଜ୍ ଓ ୩ଟି ଲୌହ ଖଣିରୁ ବେଆଇନ ଭାବେ ମାଙ୍ଗାନିଜ୍ ଓ ଲୁହାପଥର ଉତ୍ତୋଳନ କରାଯାଉଥିବା ନଜରକୁ ଆସିଛି। ଏ ସବୁ ଖଣିରୁ ୨୦ ହଜାର ମେଟ୍ରିକ୍ ଟନ୍‌ରୁ ଅଧିକ ମାଙ୍ଗାନିଜ ଓର୍ ଏବଂ ୧୨୦୦ ମେଟ୍ରିକ୍ ଟନ୍‌ରୁ ଊର୍ଦ୍ଧ୍ୱ ପରିମାଣର ଲୁହାପଥର ବେଆଇନ ଭାବେ ଉତ୍ତୋଳନ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩୭ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ବେଆଇନ ଖଣି ଉତ୍ତୋଳନ ଖଣି ଓ ଖଣିଜ ପଦାର୍ଥ ବିକାଶ ଏବଂ ନିୟନ୍ତ୍ରଣ (ଏମ୍‌ଏମଡିଆର୍) ନିୟମ ଖିଲାପ କରୁଥିବାରୁ ଖଣିମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ତଦନ୍ତ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବାପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀଜେନା କହିଛନ୍ତି।
କେବଳ ସୁନ୍ଦରଗଡ଼ ଜିଲ୍ଲା ନୁହେଁ, ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା ଖଣିଦୁର୍ନୀତିକୁ ନେଇ ମଧ୍ୟ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି।

ସଂପ୍ରତି ରାଜ୍ୟ ସରକାର ଲଘୁ ଖଣିଜ ଦ୍ରବ୍ୟ ବାଲି, ମୋରମ୍‌, ଗୋଡ଼ିଭଳି ଅନେକ ସାମଗ୍ରୀକୁ ଖଣିବିଭାଗ ସହିତ ସାମିଲ କରିଥିବାରୁ ବିଭାଗ ପକ୍ଷରୁ ଏ ଦିଗରେ ବିଶେଷ ଗୁରୁତ୍ବ ଦିଆଯାଇଛି। ବି‌ଶେଷକରି ରାଜ୍ୟରେ ଚୋରାବାଲି କାରବାର ରୋକିବା ନେଇ ତହସିଲରୁ ଆରମ୍ଭ କରି ଉପଖଣ୍ଡ ଓ ଜିଲ୍ଲାସ୍ତରରେ ଆବଶ୍ୟକତା ଅନୁଯାୟୀ ଖଣି ଅଧିକାରୀଙ୍କୁ ନିଯୁକ୍ତି କରି ଏ ଦିଗରେ କାର୍ଯ୍ୟକରିବା ଉପରେ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ। ଆଗାମୀ ଦିନରେ ଲଘୁଖଣିଜ ଆଇନକୁ ମଧ୍ୟ କାର୍ଯ୍ୟକାରୀ କରାଯିବ। ଏହାଛଡ଼ା ରାଜସ୍ବ, ଜଙ୍ଗଲ, ଖଣି ଓ ପୁଲିସ ବିଭାଗକୁ ନେଇ ବ୍ଲକ୍‌ରୁ ଜିଲ୍ଲା ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇ ବାଲି ଚୋରାଚାଲଣ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସାମ୍ୱାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ସମେତ ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାର, ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, ବିଜେପି ବରିଷ୍ଠ ନେତା ସୁନୀଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *