ରାଜନୀତିରାଜ୍ୟ

ଗଞ୍ଜାମରେ ୧୨ଶିଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭିତ୍ତିପ୍ରସ୍ତର

ଗଞ୍ଜାମରେ ୧୨ଶିଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭିତ୍ତିପ୍ରସ୍ତର

୨୮ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି

ଛତ୍ରପୁର/ଭୁବନେଶ୍ୱର ୦୬-୦୬-୨୦୨୫ (ଏସ .ଏମ ) :  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସି ୨୮ହଜାର କୋଟିରୁ ଅଧିକ ଟଙ୍କାର ୧୨ଟି ଶିଳ୍ପ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଛତ୍ରପୁରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେ କହିଥିଲେ, ମେକ୍ ଇନ୍ ଓଡ଼ିଶା-୨୦୨୫ର ଅଭୂତପୂର୍ବ ସଫଳତାର ଶ୍ରେୟ ଏହି ୪ ମାସ ମଧ୍ୟରେ ଆମକୁ ମିଳିଛି। ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲା ଶିଳ୍ପ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛି। ଆଜି ଏହି ଜିଲ୍ଲା ପାଇଁ ଐତିହାସିକ ଦିନ। ଜିଲ୍ଲାର ୧୫ ହଜାରରୁ ଅଧିକ ବେକାର ଯୁବକଯୁବତୀଙ୍କ ପାଇଁ ରୋଜଗାର ସୃଷ୍ଟି କରିବାର ସୁଯୋଗ ଆସିଛି। ଆମର କଥା ଓ କାମ ସମାନ। ଓଡ଼ିଶାର ସୁନେଲି ଭବିଷ୍ୟତ ପାଇଁ ଆମେ ଯେଉଁ ଲକ୍ଷ୍ୟ ରଖିଛୁ, ତାହା ନିଶ୍ଚିତ ରୂପେ ପୂରଣ ହେବ।ଯାଜପୁରର କଳିଙ୍ଗନଗରରେ ୭୦ ହଜାର କୋଟି ଟଙ୍କାର ଶିଳ୍ପ ଓ ଢେଙ୍କାନାଳରେ ୫୦ ହଜାର କୋଟି ଟଙ୍କାର ଶିଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଗଞ୍ଜାମରେ ପ୍ରାୟ ୩୦ ହଜାର କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି। ଗତ ୫ ମାସ ମଧ୍ୟରେ ରାଜ୍ୟରେ ଦେଢ଼ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି। ଏହାଦ୍ୱାରା ରାଜ୍ୟରେ ପ୍ରାୟ ୯୦ ହଜାର ନିଯୁକ୍ତି ସୃଷ୍ଟି ହେବ। ବର୍ତ୍ତମାନ ଗ୍ରିନ୍ପ ହାଇଡ୍ରୋଜେନ୍, କେମିକାଲ୍‍ସ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ସହିତ ଗଞ୍ଜାମ ଜିଲ୍ଲା ଏବେ ଶିଳ୍ପାୟନ କ୍ଷେତ୍ରରେ ଏକ ନୂଆ ବେଞ୍ଚ୍‌ମାର୍କ ସୃଷ୍ଟି କରିବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଓଡ଼ିଶାରେ ଏକ ବନ୍ଦରଭିତ୍ତିକ ଶିଳ୍ପ ବିକାଶ ପାଇଁ ଆମର ଲକ୍ଷ୍ୟ ରହିଛି। ବର୍ତ୍ତମାନ ତିନିଟି ବନ୍ଦର ଅଛି। ଆଉ ୩ରୁ ୪ଟି ବନ୍ଦର ମଧ୍ୟ ପ୍ରତିଷ୍ଠା କରାଯିବ। କେନ୍ଦ୍ର ସରକାର ରେଳ ଓ ରାଜପଥ କ୍ଷେତ୍ରରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି। ଓଡ଼ିଶାରେ ମଧ୍ୟ ୭୫ ହଜାର କିଲୋମିଟର ବିଶ୍ୱସ୍ତରୀୟ ସଡ଼କ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାସହିତ ଅନେକ ଶିଳ୍ପ କରିଡର୍ ମଧ୍ୟ ଗଠନ କରାଯିବ। ଏହାଦ୍ୱାରା ଶିଳ୍ପ ପ୍ରତିଷ୍ଠା ପାଇଁ ଯାହା ସବୁ ମୌଳିକ ଆବଶ୍ୟକତା ରହିଛି, ତାହା ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବେ ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।

୨୮ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି
ସମୃଦ୍ଧ ଓଡ଼ିଶା ଗଠନରେ ଯୁବଶକ୍ତି ହେବେ ମୁଖ୍ୟ ସାରଥି
୪ ମାସରେ ଦେଢ଼ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ
୯୦ହଜାର ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ
ରମ୍ଭାରେ ୪୧ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସବୁ ପ୍ରକାର ପ୍ରୟାସ ଜାରି ରହିଛି। ସମୃଦ୍ଧ ଓଡ଼ିଶା ଗଠନର ସ୍ବପ୍ନ ସାକାର ଦିଗରେ ଆମର ଯୁବଶକ୍ତି ହିଁ ମୁଖ୍ୟ ସାରଥି ସାଜିବେ। ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ପାଇଁ ଦକ୍ଷତା ବିକାଶ ଆବଶ୍ୟକ। ତେଣୁ ୱାର୍ଲ୍ଡ ସ୍କିଲ୍ ସେଣ୍ଟର୍‌ର ୪ଟି କେନ୍ଦ୍ର ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରହିଛି। ଆଧୁନିକ ଦକ୍ଷତାର ବିକାଶ ପାଇଁ ସିଙ୍ଗାପୁରର ଆଇଟିଇଇଏସ୍ ସହ ପାର୍ଟନରସିପ୍ ହୋଇଛି। ସମସ୍ତ ଆଇଟିଆଇ ଗୁଡ଼ିକର ଉନ୍ନତୀକରଣ ସହ ସେଠାରେ ଦକ୍ଷତା ବିକାଶ ପାଇଁ ସ୍ବତନ୍ତ୍ର ଶିକ୍ଷା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଛତ୍ରପୁର ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ, ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ ଓ ଜିଲ୍ଲାର ସମସ୍ତ ବିଧାୟକ ମଞ୍ଚାସୀନ ଥିଲେ। ବ୍ରହ୍ମପୁର ସାଂସଦ ଡ.ପ୍ରଦୀପ କୁମାର ପାଣିଗ୍ରାହୀ ସ୍ୱାଗତ ଭାଷଣ ଓ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ରମ୍ଭାରେ ୪୧ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ସଂଗ୍ରାମୀ ସ୍ମାରକୀ ସ୍ମୃତି କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ୧୯୦୩ରେ ରମ୍ଭାରେ ପ୍ରଥମ ସମ୍ମିଳନୀ ହୋଇଥିଲା। ସମ୍ମିଳନୀରେ ୬୧ଜଣ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୧ଜଣଙ୍କ ଫଟୋ ସଂଗୃହୀତ ହୋଇପାରିଥିବା ବେଳେ ଏହାକୁ ଆଧାର କରି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଅନ୍ୟ ୨୦ଜଣଙ୍କ ନାମ ଲେଖାଯାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *