ଗିରଫ ପ୍ରଫେସର ଅଲୀ ଖାନ୍ଙ୍କୁ ଜାମିନ
ଗିରଫ ପ୍ରଫେସର ଅଲୀ ଖାନ୍ଙ୍କୁ ଜାମିନ
ସୁପ୍ରିମକୋର୍ଟରେ ଆଜି ଅଶୋକା ବିଶ୍ବବିଦ୍ୟାଳୟ ପ୍ରଫେସର ଅଲୀ ଖାନ୍ ମହମୁଦାବାଦଙ୍କୁ ଅନ୍ତରୀଣ ଜାମିନ ମଂଜୁର ହୋଇଛି। କୋର୍ଟ ପ୍ରଫେସର ଖାନ୍ଙ୍କୁ ଅପରେସନ୍ ସିନ୍ଦୂର ସଂକ୍ରାନ୍ତରେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ୍କୁ ନେଇ କଡ଼ା ସମାଲୋଚନା କରିଛନ୍ତି
ନୂଆଦିଲ୍ଲୀ/ଭୁବନେଶ୍ୱର୨୨-୦୫-୨୦୨୫(ଏସ .ଏମ ) : ସୁପ୍ରିମକୋର୍ଟରେ ଆଜି ଅଶୋକା ବିଶ୍ବବିଦ୍ୟାଳୟ ପ୍ରଫେସର ଅଲୀ ଖାନ୍ ମହମୁଦାବାଦଙ୍କୁ ଅନ୍ତରୀଣ ଜାମିନ ମଂଜୁର ହୋଇଛି। କୋର୍ଟ ପ୍ରଫେସର ଖାନ୍ଙ୍କୁ ଅପରେସନ୍ ସିନ୍ଦୂର ସଂକ୍ରାନ୍ତରେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ୍କୁ ନେଇ କଡ଼ା ସମାଲୋଚନା କରିଛନ୍ତି। କୋର୍ଟ ପ୍ରଫେସର ଖାନ୍ଙ୍କୁ ପଚାରିଛନ୍ତି- ରାକ୍ଷସମାନେ ଆସିଲେ ଏବଂ ଆମ ଦେଶ ଉପରେ ଆକ୍ରମଣ କଲେ। ତେବେ ଆପଣଙ୍କ ଏଭଳି ଶସ୍ତା ପ୍ରଚାରରୁ ଫାଇଦା ହାସଲ କରିବା କ’ଣ ଦରକାର ଥିଲା ? ଯଦି ଏଠାରେ ଅଧିକାର (ବାକ୍ ସ୍ବାଧୀନତା) କଥା ଉଠୁଛି, ତା’ହେଲେ କର୍ତ୍ତବ୍ୟ ବି ଗୁରୁତ୍ବପୂର୍ଣ୍ଣ। ଦେଶ ଯେଉଁ ସମୟରେ ଏକଜୁଟ ରହିବା ଆବଶ୍ୟକ, ସେତେବେଳେ କର୍ତ୍ତବ୍ୟ ପାଳନ ଗୁରୁତ୍ବପୂର୍ଣ୍ଣ ବୋଲି ସୁପ୍ରିମ୍କୋର୍ଟ ଚେତାଇ ଦେଇଛନ୍ତି।ଉଲ୍ଲେଖଯୋଗ୍ୟ, ଅଶୋକା ବିଶ୍ବବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଲୀ ଖାନ୍ ମହମୁଦାବାଦ ଗତ ସପ୍ତାହରେ ଅପରେସନ୍ ସିନ୍ଦୂର ସଂକ୍ରାନ୍ତରେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ୍ ପାଇଁ ଗିରଫ ହୋଇଥିଲେ। ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବୃଦ୍ଧି କରିବାପାଇଁ ଉସୁକାଇବା ଏବଂ ଦେଶର ସାର୍ବଭୌମତ୍ବ ଏବଂ ଅଖଣ୍ଡତାକୁ ବିପଦରେ ପକାଉଥିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପ୍ରଫେସରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଆଜି ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଏନ୍ କୋଟିସ୍ବର ସିଂହଙ୍କ ଖଣ୍ଡପୀଠଙ୍କ ନିକଟରେ ପକ୍ଷ ରଖିଥିଲେ। ଏହାର ଜବାବରେ ଜଷ୍ଟିସ କାନ୍ତ କହିଛନ୍ତି, ସମସ୍ତଙ୍କର କହିବାର ଏବଂ ଭାବନା ପ୍ରକାଶ କରିବାର ଅଧିକାର ଅଛି। କିନ୍ତୁ ଏବେ ଏସବୁ କହିବାର ସମୟ କି ? ଏହାପରେ ସିବଲ କହିଥିଲେ ଯେ ପ୍ରଫେସରଙ୍କ ସୋସିଆଲ ମିଡିଆ ପୋଷ୍ଟରେ କିଛି ଆପରାଧିକ ଉଦ୍ଦେଶ୍ୟ ନାହିଁ। ଜଷ୍ଟିସ କାନ୍ତ ଏହାର ଜବାବ ଦେଇ କହିଥିଲେ, ‘କ’ଣ ସବୁ ଚାଲିଛି ଆପଣ ଜାଣିବା ଦରକାର। ମୁକ୍ତ କଥା କହିବାର ଅଧିକାର ଅଛି କିନ୍ତୁ କର୍ତ୍ତବ୍ୟ ବାବଦରେ କ’ଣ ହେବ। ଲାଗୁଛି ଯେମିତି ସାରା ଦେଶ ଗତ ୭୫ ବର୍ଷ ଧରି କେବଳ ଅଧିକାର ବାଣ୍ଟୁଛି, କିଛି କର୍ତ୍ତବ୍ୟ ନାହିଁ। ଜଷ୍ଟିସ କାନ୍ତ ମଧ୍ୟ ପ୍ରଫେସରଙ୍କ ଟିପ୍ପଣୀକୁ ଏକ ମୁକ୍ତ ସମାଜ ପାଇଁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଜଷ୍ଟିସ କାନ୍ତ କହିଛନ୍ତି, ଅନ୍ୟ କାହାର ଭାବନାକୁ ଆଘାତ ନଦେବା ଭଳି ଭାଷା ବ୍ୟବହାର କରିପାରିଥାନ୍ତେ। ତେବେ ପ୍ରଫେସରଙ୍କ ଟିପ୍ପଣୀ ଯୁଦ୍ଧ ବିରୋଧୀ ନୁହେଁ। କୋର୍ଟ ତାଙ୍କୁ ୩ଟି ସର୍ତ୍ତରେ ଜାମିନ ପ୍ରଦାନ କରିଛନ୍ତି। ପ୍ରଥମଟି ସେ କୌଣସି ସ୍ତମ୍ଭ ଲେଖିବେନି କି ଅନଲାଇନ ପୋଷ୍ଟ୍ କରିବେନି। ଅପରେସନ୍ ସିନ୍ଦୂର ସଂକ୍ରାନ୍ତରେ କୌଣସି ଟିପ୍ପଣୀ ଦେବେନାହିଁ। ସେ ତାଙ୍କ ପାସ୍ପୋର୍ଟ ସରେଣ୍ଡର କରିଦେବେ।
