ଘଟଣା ଦୁର୍ଘଟଣାଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ଗୁଜରାଟର ବଡ଼ୋଦରାରେ ପୋଲ ଭୁଶୁଡ଼ିଲା ଘଟଣା

ଗୁଜରାଟର ବଡ଼ୋଦରାରେ ପୋଲ ଭୁଶୁଡ଼ିଲା ଘଟଣା

ଗୁଜରାଟର ବଡ଼ୋଦରା ଜିଲ୍ଲାରେ ମହୀସାଗର ନଦୀ ଉପରେ ଥିବା ୪୦ ବର୍ଷ ପୁରୁଣା ଗମ୍ଭୀରା ବ୍ରିଜ୍ ଭୁଶୁଡ଼ି ପଡ଼ିବାରୁ ମଙ୍ଗଳବାର ସକାଳେ ୧୩ ଜଣଙ୍କର ମୃତ୍ୟୁ ଘଟିବା ସହ ୫ ଜଣ ଆହତ ହୋଇଛନ୍ତି

ଅହମଦାବାଦ/ଭୁବନେଶ୍ୱର୧୦-୦୭-୨୦୨୫( ଏସ .ଏମ ) : ଗୁଜରାଟର ବଡ଼ୋଦରା ଜିଲ୍ଲାରେ ମହୀସାଗର ନଦୀ ଉପରେ ଥିବା ୪୦ ବର୍ଷ ପୁରୁଣା ଗମ୍ଭୀରା ବ୍ରିଜ୍ ଭୁଶୁଡ଼ି ପଡ଼ିବାରୁ ମଙ୍ଗଳବାର ସକାଳେ ୧୩ ଜଣଙ୍କର ମୃତ୍ୟୁ ଘଟିବା ସହ ୫ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ଖବର ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତ ୧୩ଜଣଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ବୁଧବାର ଘୋଷଣା କରିଛନ୍ତି। ବଡ଼ୋଦରା ଜିଲ୍ଲାପାଳ ଅନିଲ ଧମେଲିଆ କହିଛନ୍ତି ଯେ ପୋଲ ଭୁଶୁଡ଼ି ପଡ଼ିବାରୁ ୨ଟି ଟ୍ରକ୍, ୨ଟି ଭ୍ୟାନ୍ ଓ ଗୋଟିଏ ଅଟୋରିକ୍ସା ସମେତ ୫ଟି ଗାଡ଼ି ନଦୀରେ ଖସି ପଡ଼ିଥିଲା। ନଦୀକୁ ଖସି ପଡ଼ିଥିବା ଏକ ଦୁଇଚକିଆ ଯାନରେ ଥିବା ୩ ଜଣ ପହଁରି ସୁରକ୍ଷିତ ସ୍ଥାନକୁ ଯିବାରେ ସକ୍ଷମ ହୋଇଥିଲେ। ଏହି ଦୁଃଖଦ ଘଟଣା ଏବେ ସ୍ଥାନୀୟ ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ୨୦୨୨ ଅଗଷ୍ଟ ୨୨ ତାରିଖରେ ବଡ଼ୋଦରାର ସାମାଜିକ କର୍ମୀ ଲଖନ ଦରବାର ଓ ରୋଡ୍ ଆଣ୍ଡ ବିଲ୍ଡିଂ (ଆର୍ ଆଣ୍ଡ୍ ବି) ବିଭାଗର ଜଣେ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଏକ ଫୋନ୍ ବାର୍ତ୍ତାଳାପ ଭାଇରାଲ୍ ହୋଇଛି। କ୍ଲିପ୍‌ରେ ଅଧିକାରୀ ଜଣକ ସ୍ୱୀକାର କରୁଥିବା ଶୁଣିବାକୁ ମିଳୁଛି ଯେ ସେତୁଟି ଦୁର୍ବଳ ହୋଇପଡ଼ିଛି ଓ ଅଧିକ ଦିନ ତିଷ୍ଠିବ ନାହିଁ। ଏହା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। କଲ୍‌ରେ ଅଧିକାରୀ କହିଥିଲେ ଯେ ମରାମତି ପାଇଁ ଏକ ପ୍ରସ୍ତାବ ପଠାଯାଇଛି, ଡିଜାଇନ୍ ଯାଞ୍ଚ ଟିମ୍‌କୁ ଡକାଯାଇଛି। ତେବେ ଏହି ପୋଲଟି ଭୁଶୁଡ଼ିବା ପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇ ନ ଥିଲା। ସାମାଜିକ କର୍ମୀ ଲଖନ ଦରବାର ଆପରାଧିକ ଉତ୍ତରଦାୟିତ୍ୱ ଦାବି କରିଛନ୍ତି। ତୁରନ୍ତ ଏଫ୍‌ଆଇଆର୍‌ ରୁଜୁ କରାଯାଉ ଏବଂ ଦାୟୀ ଅଧିକାରୀଙ୍କୁ ଗିରଫ କରି ଜେଲ୍ ପଠାଯିବା ଦରକାର ବୋଲି ସେ କହିଛନ୍ତି। ଗମ୍ଭୀରା ସେତୁକୁ ନେଇ ପ୍ରଶାସନିକ ସ୍ତରରେ ଭିନ୍ନ ମତ ପ୍ରକାଶ ପାଇଛି। ‘ଏହି ସେତୁ ୧୯୮୫ ମସିହାରେ ନିର୍ମିତ ହୋଇଥିଲା ଏବଂ ଏହାର ଜୀବନକାଳ ୧୦୦ ବର୍ଷ ଥିଲା। ଏହା ଜରାଜୀର୍ଣ୍ଣ ଅବସ୍ଥାରେ ନ ଥିଲା। ଗତବର୍ଷ ରକ୍ଷଣାବେକ୍ଷଣ କାର୍ଯ୍ୟ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଖାଲ ପୂରଣ ହୋଇଛି। ଆମର ଯାଞ୍ଚ ରିପୋର୍ଟରେ କୌଣସି ବଡ଼ ଢାଞ୍ଚାଗତ କ୍ଷୟକ୍ଷତି ଦର୍ଶାଯାଇ ନାହିଁ। ଏହି ପୋଲକୁ ଅସୁରକ୍ଷିତ ବୋଲି ବିବେଚନା କରାଯାଇ ନାହିଁ। ବିସ୍ତୃତ ରିପୋର୍ଟ ଆସିବା ପରେ ହିଁ ଭୁଶୁଡ଼ିବାର ପ୍ରକୃତ କାରଣ ଜଣାପଡ଼ିବ’ ବୋଲି ନିର୍ବାହୀ ଯନ୍ତ୍ରୀ ଏନ୍‌ଏମ୍ ନାୟକୱାଲା ଗଣମାଧ୍ୟମକୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ରାଜ୍ୟର ସଡ଼କ ଓ କୋଠାବାଡ଼ି ବିଭାଗକୁ ଏହି ଦୁର୍ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି। ଗୁଜରାଟର ମନ୍ତ୍ରୀ ହୃଷୀକେଶ ପଟେଲ କହିଛନ୍ତି ଯେ ଏହି ସେତୁର ସମସ୍ତ ରକ୍ଷଣାବେକ୍ଷଣ ଠିକ୍‌ ଭାବେ କରାଯାଇଥିଲା। ଭୁଶୁଡ଼ିବା ପଛର ପ୍ରକୃତ କାରଣ ଅନୁସନ୍ଧାନ କରାଯିବ ବୋଲି ସେ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *