ଖେଳଦେଶ- ବିଦେଶ

ଗୁଜରାଟ ଟାଇଟନ୍ସ ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ରୁ ବିଦାୟ ନେଇଛି

ଗୁଜରାଟ ଟାଇଟନ୍ସ ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ରୁ ବିଦାୟ ନେଇଛି

ମୁମ୍ବାଇ ଇଣ୍ଡିଆନ୍ସ ପ୍ରତିପକ୍ଷ ଗୁଜରାଟ ଟାଇଟନ୍ସକୁ ୨୦ ରନ୍‌ରେ ହରାଇ କ୍ବାଲିଫାୟର୍‌-୨ରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି

ମୁଲାନପୁର/ଭୁବନେଶ୍ୱର୩୧-୦୫-୨୦୨୫ (ଏସ.ଏମ ) : ସିଜନ୍ ସାରା ଚମତ୍କାର ଖେଳିବା ସହ ଅଧିକାଂଶ ସମୟରେ ଶୀର୍ଷରେ ରହିଥିବା ଗୁଜରାଟ ଟାଇଟନ୍ସ ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ରୁ ବିଦାୟ ନେଇଛି। ଏପରିକି ଦଳର ଦୁଇ କ୍ୟାପ୍‌ଧାରୀ ସାଇ ସୁଦର୍ଶନ (ଅରେଞ୍ଜ୍ କ୍ୟାପ୍‌, ୭୫୯ ରନ୍) ଏବଂ ପ୍ରସିଦ୍ଧ କୃଷ୍ଣ (ପର୍ପଲ୍ କ୍ୟାପ୍‌, ୨୫ ୱିକେଟ୍‌)ଙ୍କୁ ବି ବିନା ଟ୍ରଫିରେ ବିଦାୟ ନେବାକୁ ପଡ଼ିଛି। ଶୁକ୍ରବାର ଚଳିତ ଆଇପିଏଲ୍‌ର ଏଲିମିନେଟର୍‌ରେ ରୋହିତ ଶର୍ମାଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରତିପକ୍ଷ ଗୁଜରାଟ ଟାଇଟନ୍ସକୁ ୨୦ ରନ୍‌ରେ ହରାଇ କ୍ବାଲିଫାୟର୍‌-୨ରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ରବିବାର ଅହମଦାବାଦରେ ଏହି ୫ ଥର ବିଜେତା ଦଳ ପଞ୍ଜ‌ାବ କିଙ୍ଗ୍ସ ସହ ଖେଳି ଫାଇନାଲ୍ ପ୍ରବେଶ ଲକ୍ଷ୍ୟରେ ରହିବ। ବିଜୟୀ ଦଳ ମଙ୍ଗଳବାର ଫାଇନାଲ୍‌ରେ ଆର୍‌ସିବି ସହ ଖେଳିବ।

ମୁମ୍ବାଇ ଇଣ୍ଡିଆନ୍ସ ଶୁକ୍ରବାର ଆତ୍ମବିଶ୍ବାସର ସହ ପଡ଼ିଆକୁ ଓହ୍ଲାଇଥିଲା। ପରମ୍ପରା ବିରୋଧରେ ଯାଇ ଟସ୍ ଜିତିବା ମାତ୍ରେ ବ୍ୟାଟିଂ ବି କରିଥିଲା। ଏହାକୁ ଯଥାର୍ଥ ସାବ୍ୟସ୍ତ କରି ରୋହିତ ଶର୍ମା ଓ ଜନି ବେୟାରଷ୍ଟୋ ବି ଭଲ ଆରମ୍ଭ କରିଥିଲେ। ପାୱାର ପ୍ଲେ ୬ ଓଭରରେ ଉଭୟ ୭୯ ରନ୍ ଉଠାଇଥିଲେ ବିନା କ୍ଷତିରେ। ସିଜନ୍‌ର ପ୍ରଥମ ମ୍ୟାଚ୍‌ ଖେଳିଥିବା ଜନି ବେୟାରଷ୍ଟୋ ୨୨ ବଲ୍‌ରୁ ୪୭ ରନ୍ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଏହି ପାଳିରେ ସେ ୪ ଚୌକା ଓ ୩ ଦର୍ଶନୀୟ ଛକା ବି ମାରିଥିଲେ। ବ୍ୟକ୍ତିଗତ ଭାବେ ୩ ଓ ୧୨ ରନ୍ ବେଳେ କ୍ୟାଚ୍‌ ହାତଛଡ଼ା କାରଣରୁ ରୋହିତ ଶର୍ମା ଜୀବନଦାନ ପାଇଥିଲେ। ଶେଷକୁ ଏହି ପୂର୍ବତନ ଅଧିନାୟକ ୫୦ ବଲ୍ ଖେଳି ୯ ଚୌକା ଓ ୪ ଛକା ସହାୟତାରେ ୮୧ ରନ୍ କରି ପ୍ରସିଦ୍ଧ କୃ‌ଷ୍ଣଙ୍କ ଶିକାର ହୋଇଥିଲେ। ଏମାନଙ୍କ ପରେ ସୂର୍ଯ୍ୟ କୁମାର ୟାଦବ (୨୦ ବଲ୍‌ରୁ ୩୩ ରନ୍), ତିଳକ ବର୍ମା (୧୧ ବଲ୍‌ରୁ ୨୫ ରନ୍), ହାର୍ଦିକ ପାଣ୍ଡ୍ୟା (୯ ବଲ୍‌ରୁ ୨୨* ରନ୍) କରିବାରୁ ମୁମ୍ବାଇ ଆହ୍ବାନଭରା ୨୨୮ ରନ୍ ସଂଗ୍ରହ କରି ନେଇଥିଲା। ପ୍ରସିଦ୍ଧ କୃଷ୍ଣ କିନ୍ତୁ ସର୍ବାଧିକ ୫୩ ରନ୍ ବ୍ୟୟ କରିଥିଲେ। ଜବାବରେ ସାଇ ସୁଦର୍ଶନ (୪୯ ବଲରୁ ୮୦ ରନ୍) ଏବଂ ୱାସିଂଟନ୍ ସୁନ୍ଦର (୨୪ ବଲ୍‌ରୁ ୪୮ ରନ୍)ଙ୍କ ଭଲ ପାଳି ସତ୍ତ୍ବେ ଗୁଜରାଟ ୨୦୮ରେ ଅଟକିଯାଇଥିଲା।

ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୨୨୮/୫ (ରୋହିତ ଶର୍ମା-୮୧, ଜନି ବେୟାରଷ୍ଟୋ-୪୭, ସୂର୍ଯ୍ୟକୁମାର ୟାଦବ-୩୩, ତିଳକ ବର୍ମା-୨୫, ହାର୍ଦ୍ଦିକ ପାଣ୍ଡ୍ୟା-୨୨*, ସାଇ କିଶୋର-୨/୪୨, ପ୍ରସିଦ୍ଧ କୃଷ୍ଣ-୨/୫୩, ମହମ୍ମଦ ସିରାଜ-୧/୩୭)। ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୨୦୮/୬ (ସାଇ ସୁଦର୍ଶନ-୮୦, ୱାସିଂଟନ୍ ସୁନ୍ଦର-୪୮, ସେର୍ଫାନ୍ ରଦରଫୋର୍ଡ-୨୪, କୁସାଲ ମେଣ୍ଡିଜ୍‌-୨୦, ଟ୍ରେଣ୍ଟ୍ ବୋଲ୍ଟ-୨/୫୬, ମିଚେଲ ସାଣ୍ଟନର୍‌-୧/୧୦, ଯଶପ୍ରୀତ୍ ବୁମରା-୧/୨୭, ଅଶ୍ବନି କୁମାର-୧/୨୮, ରିଚାର୍ଡ ଗ୍ଲିସନ୍‌-୧/୩୯)।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *