ମନୋରଞ୍ଜନରାଜ୍ୟ

ଚନ୍ଦନ ଯାତ୍ରାରେ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର

ଚନ୍ଦନ ଯାତ୍ରାରେ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର

ପରମ୍ପରା ଅନୁସାରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଆରମ୍ଭ ହୋଇଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା। ଏଥିପାଇଁ ଆଜି ଦିନ ତମାମ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇଉଠିଥିଲା। ଚନ୍ଦନ ବାସ୍ନାରେ ଏକାମ୍ର କ୍ଷେତ୍ର ମହକି ଉଠିଥିଲା।

ଭୁବନେଶ୍ୱର ୦୨-୦୫-୨୦୨୫(ଏସ.ଏମ ) : ରମ୍ପରା ଅନୁସାରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଆରମ୍ଭ ହୋଇଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା। ଏଥିପାଇଁ ଆଜି ଦିନ ତମାମ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇଉଠିଥିଲା। ଚନ୍ଦନ ବାସ୍ନାରେ ଏକାମ୍ର କ୍ଷେତ୍ର ମହକି ଉଠିଥିଲା। ବିନ୍ଦୁସାଗରର ଘନ ନୀଳ ଜଳରାଶିରେ ଖେଳି ବୁଲୁଥିଲା ଚନ୍ଦନ ମହକ ଭରା ଲହରିର ଢେଉ। ଏମିତି ସୁଗନ୍ଧିତ ପରିବେଶରେ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରୁ ବାହାରି ଶୋଭାଯାତ୍ରାରେ ବିନ୍ଦୁସାଗର ଅଭିମୁଖେ ଯାତ୍ରା କରିଥିଲେ ଏବଂ ଚାପ ଡଙ୍ଗାରେ ଭଉଁରି ଖେଳିବା ପରେ ଜଗତି ଉପରେ ଚନ୍ଦନ ପାଣି କୁଣ୍ଡରେ ସ୍ନାନ କରିଥିଲେ। ଆଜିଠୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୩ସପ୍ତାହ ଅର୍ଥାତ ୨୨ଦିନ ଧରି ଚାଲିବ। ପ୍ରଚଣ୍ଡ ଗ୍ରୀଷ୍ମ ଦାଉରୁ ବର୍ତ୍ତିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଆସୁଥିବା ପ୍ରଭୁଙ୍କ ଏହି ଅନ୍ୟତମ ଲୀଳାଖେଳା ‌ଦେଖିବା ପାଇଁ ଆଜି ଏକାମ୍ର କ୍ଷେତ୍ରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ନିକଟରେ ଯାଇଛି ରୁକୁଣା ରଥଯାତ୍ରା। ଶ୍ରଦ୍ଧାଳୁମାନେ ରଥାରୂଢ଼ ପ୍ରଭୁଙ୍କ ଦିବ୍ୟ ଦର୍ଶନ କରିଛନ୍ତି। ଆଜିଠୁ ଠାକୁରଙ୍କୁ ଚାପ ଡଙ୍ଗାରେ ଭଉଁରି ଖେଳିବାର ଅପୂର୍ବ ଦୃଶ୍ୟ ଦେଖି ଶ୍ରଦ୍ଧାଳୁମାନେ ବିମୋହିତ ହେବେ। ସକାଳୁ ସଂଜ ପର୍ଯ୍ୟନ୍ତ ପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଯଥାରୀତି ସମାହିତ ହୋଇଥିଲା। ସନ୍ଧ୍ୟା ୬ଟା ୪୫ ମିନିଟ ସୁଦ୍ଧା ମନ୍ଦିରର ସମସ୍ତ ନୀତିକାନ୍ତି ସମାହିତ ହେବା ପ‌ରେ ଆରମ୍ଭ ହୋଇଥିଲା ଚନ୍ଦନ ଯାତ୍ରା ପ୍ରସ୍ତୁତି। ସନ୍ଧ୍ୟା ୭ଟା ୧୫ମିନିଟରେ ପ୍ରଭୁ ଶ୍ରୀଲିଙ୍ଗରାଜ ବାହାରିଥିଲେ ବିନ୍ଦୁସାଗର ଅଭିମୁଖେ। ସାଙ୍ଗରେ ଥିଲେ ମା ପାର୍ବତୀ, ମା ଦୁର୍ଗା ଓ ପ୍ରଭୁ ବାସୁଦେବ। ଚାରି ପ୍ରତିମାଙ୍କୁ ମୁଖ୍ୟ ମନ୍ଦିରର ସିଂହଦ୍ବାରରୁ ବିନ୍ଦୁସାଗର ବ୍ରହ୍ମାଘାଟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ନିଆଯାଇଥିଲା ଏବଂ ବିଭିନ୍ନ ବାଜାରେ ଦାଣ୍ଡ ଦୁଲୁକିଥିଲା। ଘଣ୍ଟ, କାହାଳୀ, ତୂରୀ, ମେଘ ଡମ୍ବରୁ ବାଜା ଶୋଭାଯାତ୍ରାର ଆକର୍ଷଣ ବଢ଼ାଇଥିଲା। ବ୍ରହ୍ମା ଘାଟରେ ଅପେକ୍ଷା କରିଥିଲା ସୁସଜ୍ଜିତ ଚାପ ଡଙ୍ଗା। ରଥଯାତ୍ରା ବିଧି ଭଳି ପୂଜାପଣ୍ଡା ସେବାୟତ ଚାପ ଡଙ୍ଗାରେ ଛେରା ପହଁରା କରିଥିଲେ। ଏହାପରେ ପାଳିଆ ବଡ଼ୁ ସେବାୟତ ଠାକୁରଙ୍କୁ ମଣେଇଥିଲେ ଏବଂ ଚାରି ଠାକୁରଙ୍କ ବିଗ୍ରହ ଚାପ ଡଙ୍ଗା ସିଂହାସନରେ ବିରାଜମାନ କରିଥିଲେ।

ସମ୍ମୁଖ ସିଂହାସନରେ ଶ୍ରୀଲିଙ୍ଗରାଜ, ମା ପାର୍ବତୀ, ମା ଦୁର୍ଗାଙ୍କୁ ଓ କଡ଼ରେ ଥିବା ସ୍ବତନ୍ତ୍ର ସିଂହାସନରେ ପ୍ରଭୁ ବାସୁଦେବଙ୍କୁ ବିରାଜମାନ କରାଯାଇଥିଲା। ବ୍ରହ୍ମା ଘାଟରୁ ବାହାରି ଚାପ ଡଙ୍ଗା ମହନି ଘାଟ ଓ ପରେ ମଠ ଘାଟରେ ଲାଗିଥିଲା। ଏହି ଦୁଇ ମଠରେ ଠାକୁରଙ୍କୁ ଭୋଗଲାଗି କରାଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଭଉଁରି ଖେଳ। ୮ଘେରା ଭଉଁରି ଖେଳିବା ପରେ ଠାକୁରଙ୍କୁ ଜଗତିକୁ ନିଆଯାଇଥିଲା। ବିନ୍ଦୁସାଗର ଭିତରେ ଠାକୁର ଭଉଁରି ଖେଳୁଥିବା ବେଳେ ଉପରେ ଶ୍ରଦ୍ଧାଳୁମାନଙ୍କ ‘ହରିବୋଲ’ ଶବ୍ଦ କମ୍ପିଉଠିଥିଲା। ଜଗତିରେ ନୀତିପୂଜା ସରିବା ପରେ ବିଗ୍ରହମାନଙ୍କୁ ଚନ୍ଦନ ପାଣି କୁଣ୍ଡରେ ବେକ ପର୍ଯ୍ୟନ୍ତ ବୁଡ଼ାଇ ରଖାଯାଇଥିଲା। ଚନ୍ଦନ, ଅଗୁର, କର୍ପୂର, ମଲ୍ଲୀ ଫୁଲ, ଚମ୍ପା ଫୁଲ ପଡ଼ିଥିବା କୁଣ୍ଡରେ ଦେବଦେବୀମାନେ ବୁଡ଼ି ରହିଥିଲେ। ଗୋଟିଏ କୁଣ୍ଡରେ ଶ୍ରୀଲିଙ୍ଗରାଜ, ମା ପାର୍ବତୀ, ମା ଦୁର୍ଗା ବୁଡ଼ିଥିବା ବେଳେ ବାସୁଦେବ ସ୍ବତନ୍ତ୍ର କୁଣ୍ଡରେ ବୁଡ଼ି ସ୍ନାନ କରିଥିଲେ। ଏହାପରେ ଭଉଁରି ଖେଳିଖେଳି ଠାକୁର ଫେରିଥିଲେ ଏବଂ ବାଟରେ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ ଓ ବଡ଼ୁ ନିଯୋଗଠାରେ ଭୋଗ ଖାଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *