ଚିଟ୍ଫଣ୍ଡ ପ୍ରସଙ୍ଗ: ଶାସକ ବିରୋଧୀ ମୁହାଁମୁହିଁ
ଚିଟ୍ଫଣ୍ଡ ପ୍ରସଙ୍ଗ: ଶାସକ ବିରୋଧୀ ମୁହାଁମୁହିଁ
ଚିଟ୍ଫଣ୍ଡ ପ୍ରସଙ୍ଗରେ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ବିଜେଡ଼ିକୁ ବିଜେପି କଡ଼ା ଟାର୍ଗେଟ କରିବା ପରେ ବିରୋଧୀ ଦଳ ପକ୍ଷରୁ ଶାସକ ଦଳକୁ ପାଲଟା ପ୍ରଶ୍ନ ପଚରା ଯାଇଛି…
ଭୁବନେଶ୍ୱର ୦୪-୦୭-୨୦୨୫(ଏସ.ଏମ. ) : ଚିଟ୍ଫଣ୍ଡ ପ୍ରସଙ୍ଗରେ ବିଜେଡ଼ିକୁ ବିଜେପି କଡ଼ା ଟାର୍ଗେଟ କରିଛି । ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ି ଉପରେ ରାଜ୍ୟ ସଭାପତି ମନମୋହନ ସାମଲ ବର୍ଷିଛନ୍ତି। ସରକାରଙ୍କ ଉପରେ ବିଶ୍ୱାସ ଭରସା ରଖି ଜମାକାରୀମାନେ ଚିଟ୍ଫଣ୍ଡରେ ଟଙ୍କା ଜମା କରିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ, ବିଗତ ସରକାରରେ ୧୫ ବର୍ଷ ଭିତରେ ୧୭୪ ଚିଟ୍ଫଣ୍ଡ କମ୍ପାନି ଓଡ଼ିଶାର ସାଧାରଣ ଲୋକଙ୍କ କଷ୍ଟ ଅର୍ଜିତ ଟଙ୍କା ଲୁଟ୍ କରିବାରେ ଲାଗିଥିଲେ ।ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ତାଙ୍କ ମନ୍ତ୍ରୀ, ବିଧାୟକ, ସାଂସଦମାନେ ପ୍ରାୟୋଜିତ ଭାବେ ଚିଟ୍ଫଣ୍ଡ ମାଧ୍ୟମରେ ଲୋକଙ୍କ ଟଙ୍କା ଆତ୍ମସାତ କରୁଥିଲେ । ବିଜେଡ଼ିର ଅନେକ ନେତା, ମନ୍ତ୍ରୀ ଏଥିପାଇଁ ଦଣ୍ଡିତ ହୋଇ ବର୍ଷ ବର୍ଷ ଜେଲ୍ ମଧ୍ୟ ଯାଇଛନ୍ତି । ପ୍ରାୟୋଜିତ ଚିଟ୍ଫଣ୍ଡ କାରଣରୁ ଲକ୍ଷ ଲକ୍ଷ ଲୋକ ଅନିଶ୍ଚିତତା ଭିତରେ ଦିନ କାଟୁଥିଲେ । ସେତେବେଳେ ସରକାର ଉପରୁ ଓଡ଼ିଶା ଲୋକ ବିଶ୍ୱାସ ଉଠିଯାଇଥିଲା ।ଏପରିକି ବିଜେଡ଼ି ଶାସନରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ ମାନେ ଚିଟ୍ଫଣ୍ଡ କମ୍ପାନିକୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସୁପ୍ରିମକୋର୍ଟକୁ କେସ୍ ଗଲା ପରେ ପୂର୍ବ ସରକାର କର୍ପସ ଫଣ୍ଡ ତିଆରି କଲେ । କିନ୍ତୁ ବିଜେଡ଼ି ସରକାରର ଉଦ୍ଦେଶ୍ୟ ଠିକ୍ ନଥିବାରୁ କ୍ରିୟାନ୍ଵୟନ ହୋଇପାରିଲା ନାହିଁ । ପୂର୍ବ ସରକାର କମିସନ ପରେ କମିସନ ବସାଇଲେ । କିନ୍ତୁ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ ।
ବିଜେପି ନିର୍ବାଚନୀ ସଂକଳ୍ପ ପତ୍ରରେ ଘୋଷଣା କରିଥିଲା, ସବୁ ଯୋଗ୍ୟ ଜମାକାରୀମାନଙ୍କୁ ଟଙ୍କା ଫେରସ୍ତ କରାଯିବ । ଛୋଟ, ବଡ଼ ସବୁ ଜମାକାରୀଙ୍କ ଟଙ୍କା ଫେରାଇବେ ବିଜେପି ସରକାର । ପର୍ଯ୍ୟାୟକ୍ରମେ ଟଙ୍କା ଫେରାଇବେ ସରକାର । ୩ରୁ ୪ ମାସ ଭିତରେ ୫ ଲକ୍ଷ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ । ବିଜେପି ସରକାର କମିସନ ରିପୋର୍ଟ ମଧ୍ୟ ଯାଞ୍ଚ କରିବେ ବୋଲି ମନମୋହନ ସାମଲ କହିଛନ୍ତି। ଚିଟ୍ଫଣ୍ଡ ଟଙ୍କା ଫେରସ୍ତ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ ନେଇ ବିଜେଡି ବରିଷ୍ଠ ଉପସଭାପତି ଦେଵୀ ପ୍ରସାଦ ମିଶ୍ର ମୁହଁ ଖୋଲିଛନ୍ତି। ସେ କହିଛନ୍ତି ପୂର୍ବ ସରକାର ପଦକ୍ଷେପ ନେଇଥିଲେ ବୋଲି ଏବେ ସରକାର ଫେରାଇବାକୁ ପଦକ୍ଷେପ ନେଇଛନ୍ତି। ବିଜେଡ଼ି ସରକାର ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏବେ ଚିହ୍ନଟ କରି ଟଙ୍କା ଫେରସ୍ତ ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଯଦି ପୂର୍ବ ସରକାର ପଦକ୍ଷେପ ନେଇ ନଥିଲେ ତେବେ କାଗଜ କିପରି ମିଳୁ ନଥିଲା ବୋଲି ବିଜେପି କହୁଥିଲା ବୋଲି ଦେବୀ ପ୍ରସାଦ ମିଶ୍ର ପାଲଟା ପ୍ରଶ୍ନ କରିଛନ୍ତି।