TOP STORIESରାଜ୍ୟ

ଜବରଦଖଲରେ ସରକାରୀ କ୍ବାର୍ଟର୍ସ

ଜବରଦଖଲରେ ସରକାରୀ କ୍ବାର୍ଟର୍ସ

ତାଲା ଭାଙ୍ଗି ମାଡ଼ି ବସୁଛନ୍ତି, ସାଧାରଣ ପ୍ରଶାସନ-ପୂର୍ତ୍ତ ବିଭାଗ ଚୁପ୍‌

ଭୁବନେଶ୍ୱର ୧୯.୦୫.୨୦୨୫( ଏସ .ଏମ ) : କେଉଁ କ୍ବାର୍ଟର୍ସରେ ବାଉଁଶ ଓ ବେତ ବ୍ୟବସାୟୀ ତ କେଉଁଠି ଗୁପ୍‌ଚୁପ୍‌। କେଉଁଠି ହୋଟେଲ୍‌ ଚାଲିଛି ତ ଆଉ କେଉଁଠି ଷ୍ଟୋର‌୍ରୁମ୍‌ ପାଲଟିଛି ସରକାରୀ କ୍ବାର୍ଟର୍ସ। କିଛି କ୍ବାର୍ଟର୍ସ ଆଗରୁ ତାଲା ପଡ଼ିଛି, ହେଲେ ଭିତରେ ଲୋକ ରହୁଛନ୍ତି। କିଛି କ୍ବାର୍ଟର୍ସ ତାଲା ଭାଙ୍ଗି ଆଡ଼ା ଜମାଇଛନ୍ତି ବାଂଲାଦେଶୀ। ଭୁବନେଶ୍ବର ଛାତି ଉପରେ ସରକାରୀ କ୍ବାର୍ଟର୍ସ ଏଭଳି ବ୍ୟବହାର ହେଉଥିବା ବେଳେ ସାଧାରଣ ପ୍ରଶାସନ ବିଭାଗ(ଜିଏ) କିମ୍ବା ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗର ଏଥିପ୍ରତି ନଜର ନାହିଁ। ୟୁନିଟ୍-୨ ରାଜମହଲଠାରୁ ମାଷ୍ଟରକ୍ୟାଣ୍ଟିନ୍‌ ପର୍ଯ୍ୟନ୍ତ ଥିବା ଅଧିକାଂଶ ସରକାରୀ କ୍ବାର୍ଟର୍ସକୁ ବେଆଇନ ଭାବେ କବ୍‌ଜା କରାଯାଇଛି। ଏମିତିକି ଆଇଏସ୍‌ଙ୍କ ପାଇଁ ଉଦ୍ଦିଷ୍ଟ କ୍ବାର୍ଟର୍ସରେ ବି ଓଡ଼ିଶା ବାହାରର ବ୍ୟବସାୟୀ ରହୁଥିବା ଦେଖିବାକୁ ମିଳିଛି। କିଛି ଭିଆଇପି କ୍ବାର୍ଟର୍ସ ଆଗରେ ବିଭିନ୍ନ ସଂଘର ପୋଷ୍ଟର ଲଗା ହୋଇଛି। ଜିଏରୁ କ୍ବାର୍ଟର୍ସ ଆଲର୍ଟ ହୋଇଥିବା କିଛି ବ୍ୟକ୍ତି ବ୍ୟବସାୟୀଙ୍କୁ ଭଡ଼ା ଦେଇଛନ୍ତି। ଆଉ କିଛି ଆଲର୍ଟ ହୋଇନଥିବା ଘରର ତାଲା ଭାଙ୍ଗି ଜବରଦଖଲ କରାଯାଇଛି।ମିଳିଥିବା ସୂଚନା ଅନୁସାରେ ୟୁନିଟ୍‌-୨ ଅଞ୍ଚଳରେ ଭିଆଇପି, ଭିଭିଆଇପିଙ୍କଠାରୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରମୁଖଙ୍କ ପାଇଁ ମୋଟ ୭୬୫ଟି ସରକାରୀ କ୍ବାର୍ଟର୍ସ ରହିଛି। ପୂର୍ବ ସରକାର ସମୟରେ ମାର୍କେଟ ବିଲଡିଂଠାରୁ କଂଗ୍ରେସ ଭବନ ଯାଏ ସରକାରୀ ଘରଗୁଡ଼ିକୁ ଭାଙ୍ଗି ସେଠାରେ ବହୁତଳ କୋଠା ନିର୍ମାଣ ପାଇଁ ଉଦ୍ୟମ ହୋଇଥିଲା।ଏମିତିକି ଘର ଚିହ୍ନଟ ସହ ଡିଜାଇନ୍‌‌ ବି ପ୍ରସ୍ତୁତ ହୋଇଥିଲା। ହେଲେ କୌଣସି କାରଣରୁ ପୂର୍ବ ସରକାର ଏଥି ପ୍ରତି ଧ୍ୟାନ ଦେଇ ନଥିଲେ। କିନ୍ତୁ ଯେଉଁ ସରକାରୀ ଅଧିକାରୀ ଘର ଛାଡ଼ିଲେ ତାଙ୍କ ବଦଳରେ ସେହି ଘରକୁ ଆଉ ଅନ୍ୟ କାହାକୁ ଦିଆଗଲା ନାହିଁ। ଏହାର ସୁଯୋଗ ନେଇ କିଛି ଅସାମାଜିକ ବ୍ୟକ୍ତି ତାଲା ଭାଙ୍ଗି ଘର କବ୍‌ଜା କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଏମାନଙ୍କ ମଧ୍ୟରେ ଅଧିକାଂଶ ବାଙ୍ଗଲାଦେଶୀ। ସ୍ଥାନୀୟ ଅସାମାଜିକଙ୍କ ସହ ମିଶି ସେମାନେ ଏଭଳି ଦୁଃସାହସ କରୁଥିବା ଅଭିଯୋଗ ହେଉଛି। ଆଉ କିଛି କର୍ମଚାରୀଙ୍କ ଦ୍ବାରା ଘର ଭଡ଼ାରେ ଲାଗିଛି।ମିଳିଥିବା ସୂଚନା ଅନୁଯାୟୀ ୭୬୫ଟି କ୍ବାର୍ଟର୍ସ ମଧ୍ୟରୁ ୪୦୪ଟି ଭଙ୍ଗା ହେବା ପାଇଁ ନିଷ୍ପତ୍ତି ହୋଇଛି। ଏଥିମଧ୍ୟରୁ ୨୨୨ଟି କ୍ବାର୍ଟର୍ସକୁ ଖାଲି କରାଯାଇଛି। ସମୁଦାୟ ୭୬୫ରୁ ୨୫୦ କ୍ବାର୍ଟର୍ସ ଖାଲି ପଡ଼ିଛି। ଏଥରୁ ପାଖାପାଖି ୨୦୦ କ୍ବାର୍ଟର୍ସକୁ ବେଆଇନ ଭାବେ କବ୍‌ଜା କରାଯାଇଛି। ପୂର୍ତ୍ତ ବିଭାଗ ଡିଭିଜନ-୧, ୟୁନିଟ୍‌-୨ର ସହକାରୀ ଯନ୍ତ୍ରୀଙ୍କ କହିବା ଅନୁସାରେ ଏଗୁଡ଼ିକ ସାଧାରଣ ପ୍ରଶାସନ(ଜିଏ) ବିଭାଗର କ୍ବାର୍ଟର୍ସ। ଆମେ ରକ୍ଷଣାବେକ୍ଷଣ କରୁଛୁ। ପ୍ରତି ମାସରେ କେତୋଟି ଖାଲି ହେଉଛି ତାର ରିପୋର୍ଟ ଜିଏକୁ ଦେଉଛୁ। କ୍ବାର୍ଟର୍ସ ଜବରଦଖଲ ହେଉଥିବା ଦେଖିଲେ ଆମେ ଉପରିସ୍ଥ ଅଧିକାରୀଙ୍କ ଜରିଆରେ ଜିଏକୁ ଜଣାଉଛୁ। ଏନେଇ ଜିଏ ପଦକ୍ଷେପ ନେବା କଥା। ନିୟମ ଅନୁସାରେ ଜଣେ ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ଘର ଛାଡ଼ିବା ପୂର୍ବରୁ ପାଣି ଓ ବିଦ୍ୟୁତ୍‌ କ୍ଲିୟରାନ୍ସ କରିଥାଏ। ଏହାପରେ ଉକ୍ତ କ୍ବାର୍ଟର୍ସକୁ ପାଣି ଓ ବିଦ୍ୟୁତ୍‌ ବିଛିନ୍ନ କରାଯାଏ। ପୁଣି ଜିଏରୁ ସେହି କ୍ବାର୍ଟର୍ସ ଆଲର୍ଟ ହେବା ପରେ ପୂର୍ତ୍ତ ବିଭାଗ ମରାମତି କରେ ଓ ପରେ ପାଣି, ବିଦ୍ୟୁତ୍‌ ସଂଯୋଗ କରିଥାଏ। ହେଲେ କ୍ବାର୍ଟର୍ସ ଆଲର୍ଟ ହୋଇନଥିବା ବେଳେ ବେଆଇନ ଜବରଦଖଲକାରୀଙ୍କୁ କେମିତି ପାଣି ଓ ବିଦ୍ୟୁତ୍‌ ଦିଆଯାଉଛି ତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ଏନେଇ ବାରମ୍ବାର ଅଭିଯୋଗ ହୋଇଛି। ବାବୁମାନେ ଅକସ୍ମାତ୍‌ ପରିଦର୍ଶନ କରିବାକୁ ଆସିବା ପୂର୍ବରୁ ଜବରଦଖଲକାରୀଙ୍କ ପାଖରେ ଖବର ପହଞ୍ଚି ଯାଉଥିବା ଅଭିଯୋଗ ହେଉଛି।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *