ରାଜ୍ୟ

ଜଷ୍ଟିସ୍‌ ମାନସ ରଞ୍ଜନ ପାଠକଙ୍କ ଶପଥଗ୍ରହଣ

ଜଷ୍ଟିସ୍‌ ମାନସ ରଞ୍ଜନ ପାଠକଙ୍କ ଶପଥଗ୍ରହଣ…

  • ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ ଆଜି ଶପଥ ଗ୍ରହଣ କରିଛନ୍ତି।
  • ହାଇକୋର୍ଟ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ୍‌ ଜଷ୍ଟିସ୍‌ ପାଠକଙ୍କୁ ଶପଥପାଠ କରାଇଥିଲେ। 

କଟକ, ୨୨-୦୭-୨୦୨୫(ଏସ.ଏମ. ) :  (ବିଜୟ କୁମାର ପଣ୍ଡା ) ଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ ଆଜି ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ୍‌ ଜଷ୍ଟିସ୍‌ ପାଠକଙ୍କୁ ଶପଥପାଠ କରାଇଥିଲେ। ରାଜ୍ୟ ଗୃହ ସଚିବ ସତ୍ୟବ୍ରତ ସାହୁ ଆସାମ ହାଇକୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ଜଷ୍ଟିସ୍‌ ପାଠକଙ୍କ ବଦଳି ସଂପର୍କିତ ବିଜ୍ଞପ୍ତି ପାଠ କରିଥିଲେ। ଶପଥଗ୍ରହଣ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି, ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଆଡଭୋକେଟ୍‌ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର, ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ, ହାଇକୋର୍ଟ ବାର୍ ସଭାପତି ମନୋଜ କୁମାର ମିଶ୍ର, ସଂପାଦକ ଅଭିଜିତ ପଟ୍ଟନାୟକ, ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି, ରେଜିଷ୍ଟ୍ରାର, ବରିଷ୍ଠ ଅଧିକାରୀ ଓ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ। ଗୌହାଟୀ ହାଇକୋର୍ଟରୁ ଜଷ୍ଟିସ୍‌ ମାନସ ରଞ୍ଜନ ପାଠକଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ମେ ୨୬ରେ ସୁପ୍ରିମକୋର୍ଟ କଲେଜିମୟ ସୁପାରିସ୍‌ କରିଥିଲେ। ଜୁଲାଇ ୧୪ରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ତରଫରୁ ତାଙ୍କ ବଦଳି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜଷ୍ଟିସ୍‌ ପାଠକ ୧୯୬୫ ଅଗଷ୍ଟ ୨୮ରେ ଗୌହାଟୀଠାରେ ଜନ୍ମଗ୍ରହଣ କରିଥିଲେ। ଗୌହାଟୀ ବିଶ୍ବବିଦ୍ୟାଳୟରୁ ଏଲ୍‌ଏଲ୍‌ବି ପାସ୍ କରିବା ପରେ ୧୯୯୦ରେ ସେ ଆଇନଜୀବୀ ଭାବେ ‌ଯୋଗ ଦେଇଥିଲେ। ସେ ଗୌହାଟୀ ହାଇକୋର୍ଟ ଓ ଆସାମ ସରକାରଙ୍କ ଶିକ୍ଷା ବିଭାଗର ଷ୍ଟାଣ୍ଡିଂ କାଉନ୍‌ସେଲ୍‌ ଭାବେ କାର୍ଯ୍ୟ କରୁଥିବା ବେଳେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୩ ମେ ୨୨ରେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଏବଂ ୨୦୧୮ ନଭେମ୍ବର ୧୨ରେ ସେ ଗୌହାଟୀ ହାଇକୋର୍ଟର ସ୍ଥାୟୀ ବିଚାରପତି ‌ହୋଇଥିଲେ। ଓଡ଼ିଶା ହାଇକୋର୍ଟରେ ମଞ୍ଜୁରିପ୍ରାପ୍ତ ବିଚାରପତି ସଂଖ୍ୟା ୩୩ ହୋଇଥିବା ବେଳେ ଏବେ ମୁଖ୍ୟ ବିଚାରପତିଙ୍କ ସମେତ ୨୦ଜଣ ବିଚାରପତି ରହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *