TOP STORIESଦେଶ- ବିଦେଶ

ଜାତିସଂଘରେ ଭାରତର ସ୍ପଷ୍ଟୀକରଣ

ଜାତିସଂଘରେ ଭାରତର ସ୍ପଷ୍ଟୀକରଣ

ସିନ୍ଧୁ ଚୁକ୍ତିକୁ ଭାରତ ନୁହେଁ, ପାକିସ୍ତାନ ଉଲ୍ଲଂଘନ କରିଛି

ନୂଆଦିଲ୍ଲୀ/ଭୁବନେଶ୍ୱର ୨୫-୦୫-୨୦୨୫(ଏସ .ଏମ ) : ହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବାକୁ ଭାରତର ନିଷ୍ପତ୍ତି ଏକ ସୁଚିନ୍ତିତ ପ୍ରକ୍ରିୟାର ପରିଣାମ ବୋଲି ଶୁକ୍ରବାର ଭାରତ ଜାତିସଂଘରେ କହିଛି। ୧୯୬୦ ଜଳ ବଣ୍ଟନ ଚୁକ୍ତିକୁ ଭାରତ ନୁହେଁ, ପାକିସ୍ତାନ ଉଲ୍ଲଂଘନ କରିଛି ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପର୍ବଥାନେନୀ ହରିଶ ସିନ୍ଧୁ ଜଳ ଚୁକ୍ତି ସମ୍ପର୍କରେ ପାକିସ୍ତାନୀ ପ୍ରତିନିଧି ଦଳ ଦ୍ୱାରା ପ୍ରସାରିତ ଭୁଲ ସୂଚନାକୁ ପ୍ରତ୍ୟାଖ୍ୟାନ କରି ଏହି ଚୁକ୍ତିକୁ ସ୍ଥଗିତ ରଖିବାର ପ୍ରମୁଖ କାରଣ ଉପରେ ଆଲୋକପାତ କରିଛନ୍ତି। ଏଥିରେ ପହଲଗାମ ଆକ୍ରମଣ ସମେତ ବାରମ୍ବାର ସୀମାପାର ଆତଙ୍କବାଦର ଉଦାହରଣ ମଧ୍ୟ ରଖିଛନ୍ତି।

୪ ଦଶନ୍ଧିରେ ଆତଙ୍କବାଦୀ ଆକ୍ରମଣରେ ୨୦ ହଜାର ଭାରତୀୟ ମୃତ

ଭାରତ ୬୫ ବର୍ଷ ପୂର୍ବେ ସଚ୍ଚୋଟ ବିଶ୍ୱାସରେ ସିନ୍ଧୁ ଜଳ ଚୁକ୍ତି କରିଥିଲା। ଚୁକ୍ତିର ପ୍ରସ୍ତାବନାରେ ବର୍ଣ୍ଣନା କରାଯାଇଛି ଯେ ଏହି ଚୁକ୍ତି ସଦ୍ଭାବନା ଓ ବନ୍ଧୁତା ଭାବନା ଉପରେ ପର୍ଯ୍ୟବସିତ। ସାଢ଼େ ଛଅ ଦଶନ୍ଧି ମଧ୍ୟରେ ପାକିସ୍ତାନ ଭାରତ ବିରୋଧରେ ତିନୋଟି ଯୁଦ୍ଧ ଲଢ଼ିବା ସହ ହଜାର ହଜାର ଆତଙ୍କବାଦୀ ଆକ୍ରମଣ କରି ଚୁକ୍ତିର ଭାବନାକୁ ଉଲ୍ଲଂଘନ କରିଛି। ଗତ ୪ ଦଶନ୍ଧି ମଧ୍ୟରେ ଆତଙ୍କବାଦୀ ଆକ୍ରମଣରେ ୨୦,୦୦୦ରୁ ଅଧିକ ଭାରତୀୟ ପ୍ରାଣ ହରାଇଛନ୍ତି। ଗତ ମାସରେ ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ହେଉଛି ଏହାର ସଦ୍ୟତମ ଉଦାହରଣ। ନୂଆଦିଲ୍ଲୀ ଆଜିଯାଏଁ ଅସାଧାରଣ ଧୈର୍ଯ୍ୟ ଓ ଉଦାରତା ଦେଖାଇଆସିଛି। ଭାରତରେ ପାକିସ୍ତାନର ରାଷ୍ଟ୍ର ପ୍ରାୟୋଜିତ ସୀମାପାର ଆତଙ୍କବାଦ ସାଧାରଣ ନାଗରିକଙ୍କ ଜୀବନ, ଧାର୍ମିକ ସୌହାର୍ଦ୍ଦ୍ୟ ଓ ଅର୍ଥନୈତିକ ସମୃଦ୍ଧିକୁ ପ୍ରଭାବିତ କରିଛି ବୋଲି ହରିଶ କହିଛନ୍ତି।ଆଞ୍ଚଳିକ ନିରାପତ୍ତା ଚିନ୍ତା ବ୍ୟତୀତ ଭାରତର ଶକ୍ତି ଆବଶ୍ୟକତା ଓ ଡ୍ୟାମ୍ ନିରାପତ୍ତା ସମେତ ଅନ୍ୟାନ୍ୟ କାରଣ ମଧ୍ୟ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି ବୋଲି ରାଷ୍ଟ୍ରଦୂତ ହରିଶ କହିଛନ୍ତି। ସେ ଦର୍ଶାଇଛନ୍ତି ଯେ ଡ୍ୟାମ୍ ଭିତ୍ତିଭୂମି ଓ ପରିଚାଳନା ଦକ୍ଷତାରେ ଯଥେଷ୍ଟ ଉନ୍ନତିର ଆବଶ୍ୟକତା ଅଛି। କିଛି ପୁରୁଣା ଡ୍ୟାମ୍ ଏବେ ବି ସୁରକ୍ଷାକୁ ନେଇ ଗମ୍ଭୀର ଚିନ୍ତା ସୃଷ୍ଟି କରୁଛି। କିନ୍ତୁ ପାକିସ୍ତାନ ଏହି ଭିତ୍ତିଭୂମିରେ କୌଣସି ପରିବର୍ତ୍ତନ ଏବଂ ଚୁକ୍ତି ଅନୁଯାୟୀ ଅନୁମୋଦିତ ବ୍ୟବସ୍ଥାର କୌଣସି ସଂଶୋଧନକୁ କ୍ରମାଗତ ଭାବେ ବିରୋଧ କରି ଆସୁଛି। ପାକିସ୍ତାନର ପ୍ରତିବନ୍ଧକବାଦୀ ଆଭିମୁଖ୍ୟ ଭାରତ ଦ୍ୱାରା ବୈଧ ଅଧିକାରର ସମ୍ପୂର୍ଣ୍ଣ ବ୍ୟବହାରକୁ ରୋକିବାରେ ଲାଗିଛି। ଆତଙ୍କବାଦର ବିଶ୍ୱକେନ୍ଦ୍ର ପାଲଟିଥିବା ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ଏହି ଚୁକ୍ତି ସ୍ଥଗିତ ରହିବ ବୋଲି ହରିଶ ସ୍ପଷ୍ଟ କରିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *