ରାଜନୀତିରାଜ୍ୟ

ଜାନକୀ ବାବୁ ଜଣେ ବିରଳ ବ୍ୟକ୍ତିତ୍ବ

ଜାନକୀ ବାବୁ ଜଣେ ବିରଳ ବ୍ୟକ୍ତିତ୍ବ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ଆଜି ଖୋର୍ଦ୍ଧା ସହରସ୍ଥିତ ଜନକୀବଲ୍ଲଭ ପଟ୍ଟନାୟକ ପାର୍କରେ ଅନୁଷ୍ଠିତ ହୋଇଯାଇଛି।

ଖୋର୍ଦ୍ଧା/ଭୁବନେଶ୍ୱର ୨୨-୦୪-୨୦୨୫( ଏସ .ଏମ ) : ଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ଆଜି ଖୋର୍ଦ୍ଧା ସହରସ୍ଥିତ ଜନକୀବଲ୍ଲଭ ପଟ୍ଟନାୟକ ପାର୍କରେ ଅନୁଷ୍ଠିତ ହୋଇଯାଇଛି। ଜାନକୀବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ଟ୍ରଷ୍ଟ ପକ୍ଷରୁ ଏହି ଅବସରରେ ଏକ ସ୍ମୃତିସଭା ଆୟୋଜନ କରାଯାଇଥିଲା। ଟ୍ରଷ୍ଟ ସଭାପତି ତଥା ପୂର୍ବତନ ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାନକୀ ବାବୁଙ୍କୁ ଦିବ୍ୟ ପୁରୁଷ ଓ ପୂର୍ଣ୍ଣପ୍ରାପ୍ତିର ବ୍ୟକ୍ତିତ୍ବ ବୋଲି ଦର୍ଶାଇଥିଲେ। ସେ ହିଁ ବିକଶିତ ଓଡ଼ିଶାର ମୂଳଦୁଆ ପକାଇଥିଲେ, ଯାହା ଏବେ ଆହୁରି ଦ୍ରୁତଗତି ଧରିଛି। ଖୋର୍ଦ୍ଧାର ବୀର ମାଟି ପାଇଁ ଏଭଳି ଜଣେ ବ୍ୟକ୍ତିତ୍ବଙ୍କୁ ଦ୍ବିତୀୟ ବାର ପାଇବା ବିରଳ, ଯିଏ କି ମୁଖ୍ୟମନ୍ତ୍ରୀ ସହିତ ରାଜ୍ୟପାଳ ଭଳି ଗୁରୁଦାୟିତ୍ବ ତୁଲାଇଥିଲେ। ତାଙ୍କ ଭଳି ଜଣେ ବ୍ୟକ୍ତିତ୍ବଙ୍କୁ ଆହୁରି ସ୍ମରଣୀୟ କରିବା ପାଇଁ ଖୋର୍ଦ୍ଧାସ୍ଥିତ ଜାନକୀବଲ୍ଲଭ ପଟ୍ଟନାୟକ ଉଦ୍ୟାନରେ ଏକ ପାଠାଗାର ଖୋଲିବାକୁ ଶ୍ରୀ ଜଗଦ୍ଦେବ ପ୍ରସ୍ତାବ ଦେଇଥିଲେ। ଅନୁରୂପ ଭାବେ ବେଗୁନିଆ-ବୋଲଗଡ଼ରେ ବି ତାଙ୍କ ନାଁରେ ଏକ ଉଦ୍ୟାନ କରିବାକୁ ବିଧାୟକ ଶ୍ରୀ ଜଗଦ୍ଦେବ ପ୍ରତିଶ୍ରୁତି ଦେଇଥିଲେ।ମୁଖ୍ୟବକ୍ତା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଯୋଗ ଦେଇ ଜାନକୀ ବାବୁଙ୍କ ଭଳି ଯୋଗଜନ୍ମା ଓ ସ୍ବୟଂସମ୍ପୂର୍ଣ୍ଣ ବ୍ୟକ୍ତିତ୍ବ ବିରଳ ବୋଲି କହିଥିଲେ। ଆସନ୍ତାବର୍ଷ ତାଙ୍କ ଜନ୍ମ ଶତବାର୍ଷିକୀ ପାଳନ ହେବାକୁ ଯାଉଥିବା ବେଳେ ଏହାକୁ ବର୍ଷସାରା ଓଡ଼ିଶାର ପ୍ରତିଟି ଜାଗାରେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ। ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ରାଜନୀତିରେ ଜାନକୀ ବାବୁ ଜଣେ ବିରଳ ବ୍ୟକ୍ତିତ୍ବ ଓ ବିରଳ ନେତୃତ୍ବ ବୋଲି କହିଥିଲେ। ବେଗୁନିଆ-ବୋଲଗଡ଼ ବିଧାୟକ ପ୍ରଦୀପ ସାହୁ ଜାନକୀ ବାବୁଙ୍କ ସମୟରେ ନିର୍ବାଚନମଣ୍ଡଳୀର ହୋଇଥିବା ବିକାଶ ଅଭୁଲା ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଟଣୀର ପୂର୍ବତନ ବିଧାୟକ ସୁରେଶ ରାଉତରାୟ, ବରିଷ୍ଠ କଂଗ୍ରେସ ନେତା ପୃଥ୍ବୀବଲ୍ଲଭ ପଟ୍ଟନାୟକ, ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜାନକୀ ବାବୁଙ୍କ ସ୍ମୃତିଚାରଣ କରିଥିଲେ। ଜାନକୀ ବାବୁଙ୍କ ଅସୀମ ‌ଧୈର୍ଯ୍ୟ, ପରିବ୍ୟାପକ ଚିନ୍ତାଧାରା, କଠୋର ପରିଶ୍ରମ ଓ ଓଡ଼ିଶା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ। ନିଜର ସଭାପତିତ୍ବ ଅଭିଭାଷଣରେ ଶ୍ରୀ ପଟ୍ଟନାୟକ କହିଲେ, ଦଳମତ ନିର୍ବିଶେଷରେ ପାର୍ଟିକୁ ପଛରେ ପକାଇ ଜାନକୀ ବାବୁଙ୍କ ପାଇଁ ଏକାଠି ହେବା ଏବଂ ସ୍ମୃତିଚାରଣ କରିବା ତାଙ୍କ ପାଇଁ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ପ୍ରାରମ୍ଭରେ ଟ୍ରଷ୍ଟର କୋଷାଧ୍ୟକ୍ଷ ତଥା ଖୋର୍ଦ୍ଧା ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାମନ୍ତରାୟ ସ୍ବାଗତ ଭାଷଣ ଦେଇଥିଲେ। ଅମିତ୍ ମହାନ୍ତି ଧନ୍ୟବାଦ ଦେଇଥିଲେ। ଶ୍ରଦ୍ଧାଞ୍ଜଳି ସଭା ପୂର୍ବରୁ ପାର୍କସ୍ଥିତ ଜାନକୀ ବାବୁଙ୍କ ପ୍ରତିମୂର୍ତ୍ତିରେ ସମସ୍ତ ଅତିଥି ଓ ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *