BusinessFoodGeneralLatestNewsPoliticsTOP STORIESଦେଶ- ବିଦେଶବାଣିଜ୍ୟରାଜନୀତିରାଜ୍ୟ

ଜୀବନ ଖୋଜୁଛି ବରୀ ଚିନିକଳ

ଜୀବନ ଖୋଜୁଛି ବରୀ ଚିନିକଳ…

ଇଥାନଲ୍‌ ପ୍ଲାଣ୍ଟ ପାଇଁ ସାଂସଦଙ୍କ ପ୍ରସ୍ତାବ

ଯାଜପୁର ମାଟିର ପାଣି, ପବନ ସଂପୂର୍ଣ୍ଣ ଭାବେ ଆଖୁଚାଷ ପାଇଁ ଅନୁକୂଳ। ଏହାକୁ ନେଇ ୫୦ ବର୍ଷ ତଳେ ବରୀରେ ଗଢ଼ି ଉଠିଥିଲା ଏକ ଚିନିକଳ। ପରିଚାଳନା ଓ ପରିବହନରେ ଅବ୍ୟବସ୍ଥା ପାଇଁ ଏହି କୃଷିଭିତ୍ତିକ ଶିଳ୍ପ ଦୀର୍ଘବର୍ଷରୁ ବନ୍ଦ ରହିଛି।

ଯାଜପୁର/ଭୁବନେଶ୍ୱର ୧୦-୦୫-୨୦୨୫(ଏସ.ଏମ ) :  ଯାଜପୁର ମାଟିର ପାଣି, ପବନ ସଂପୂର୍ଣ୍ଣ ଭାବେ ଆଖୁଚାଷ ପାଇଁ ଅନୁକୂଳ। ଏହାକୁ ନେଇ ୫୦ ବର୍ଷ ତଳେ ବରୀରେ ଗଢ଼ି ଉଠିଥିଲା ଏକ ଚିନିକଳ। ପରିଚାଳନା ଓ ପରିବହନରେ ଅବ୍ୟବସ୍ଥା ପାଇଁ ଏହି କୃଷିଭିତ୍ତିକ ଶିଳ୍ପ ଦୀର୍ଘବର୍ଷରୁ ବନ୍ଦ ରହିଛି। ତଥାପି ପଡ଼ୋଶୀ ଜିଲ୍ଲା ଢେଙ୍କାନାଳର ଚିନିକଳକୁ ଆଶ୍ରା କରି ଏଠାରେ ଆଖୁଚାଷ ବଞ୍ଚି ରହିଛି। ଜିଲ୍ଲାର ଆଖୁଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା ପାଇଁ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ବରୀଠାରେ ଇଥାନଲ୍‌ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରସ୍ତାବ ରଖିଛନ୍ତି। ଏହାଦ୍ବାରା ଆଖୁଚାଷର ପ୍ରସାର ସହ ଚାଷୀ ଲାଭବାନ ହୋଇପାରିବେ ବୋଲି ସେ ଦର୍ଶାଇଛନ୍ତି। ତେବେ ବରୀ ଚିନିକଳ ବନ୍ଦ ହେବା ପରେ ଯାଜପୁର ଜିଲ୍ଲାରେ ଆଖୁ ପ୍ରକ୍ରିୟାକରଣ ଶିଳ୍ପ ନାହିଁ। ଯାହାଫଳରେ ଚାଷୀ ଉପଯୁକ୍ତ ମୂଲ୍ୟ ଓ ବଜାର ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଏହାର ବିକଳ୍ପ ଭାବେ ବରୀ ଚିନିକଳର ପୁନରୁଦ୍ଧାରକୁ ବିଭିନ୍ନ ମହଲ ଗୁରୁତ୍ବ ଦେଉଛନ୍ତି।ବ୍ରାହ୍ମଣୀ, ବିରୂପା ଓ ଖରସ୍ରୋତା ବନ୍ୟା ଦ୍ବାରା ବରୀ ଅଞ୍ଚଳ ପ୍ରଭାବିତ ହେଉଥିବାବେଳେ ସ୍ଥାନୀୟ ଚାଷୀଙ୍କ ପାଇଁ ଆଖୁ ଚାଷ ହିଁ ଏକମାତ୍ର ବେଉସା ହୋଇଆସିଛି। ଏଠାକାର ଚାଷୀମାନେ ଶହଶହ ହେକ୍ଟର ଜମିରେ ଆଖୁଚାଷ କରୁଛନ୍ତି। ପଡ଼ୋଶୀ ଢେଙ୍କାନାଳ ଜିଲ୍ଲାରେ ଥିବା ଚିନିକଳକୁ ଏସବୁ ଆଖୁ ଯାଉଛି। କିନ୍ତୁ ଆଖୁଚାଷ ପାଇଁ ବରୀର ପରିଚୟ ରହିଥିଲେ ସୁଦ୍ଧା ଏଠାରେ ଚାଷୀଙ୍କୁ ସୁବିଧା ଦେବାକୁ କୌଣସି ଉଦ୍ୟମ କରାଯାଉନାହିଁ। ୧୯୭୫ ମସିହାରେ ୫ ଏକର ଜମିରେ ବରୀରେ ପ୍ରତିଷ୍ଠା ହୋଇଥିଲା ଚିନିକଳ। ୧୦୦ ଶ୍ରମିକଙ୍କ ସହଯୋଗରେ ଦୈନିକ ୨୦ ବସ୍ତା ଚିନି ଉତ୍ପାଦନ ହେଉଥିଲା। ପରିବହନ ସମସ୍ୟା ଯୋଗୁଁ କ୍ଷତି ହେବା ସହ ବର୍ଷକ ମଧ୍ୟରେ କାରଖାନାରେ ତାଲା ଝୁଲିଲା। ସେବେଠାରୁ ଏହାର ପୁନରୁଦ୍ଧାର ପାଇଁ ଆଉ ଉଦ୍ୟମ ହୋଇନାହିଁ। ତେବେ ଢେଙ୍କାନାଳ ଶକ୍ତି ସୁଗାର କମ୍ପାନିର ପ୍ରୋତ୍ସାହନ ଦେଉଥିବାରୁ ଏ ଅଞ୍ଚଳରେ ଆଖୁଚାଷ ଜାରି ରହିଛି। ବରୀ ବ୍ୟତୀତ ବଡ଼ଚଣା, ବିଞ୍ଝାରପୁର, ଧର୍ମଶାଳା, ଯାଜପୁର ଓ ରସୁଲପୁର ବ୍ଲକ୍‌ରେ ମଧ୍ୟ ବହୁଳ ଭାବେ ଆଖୁଚାଷ ହେଉଛି।କୃଷି ବିଭାଗର ତଥ୍ୟାନୁସାରେ, ୨୦୨୨-୨୩ରେ ବରୀରେ ୩୬୦ ହେକ୍ଟର, ଯାଜପୁରରେ ୩୬୦ ହେକ୍ଟର, ରସୁଲପୁରରେ ୫ ଶହ ହେକ୍ଟର ଜମିରେ ଆଖୁ ଚାଷ ହୋଇଥିଲା। ୨୦୨୩-୨୪ରେ ବରୀରେ ୫୭୫ ହେକ୍ଟର, ଯାଜପୁର ଓ ରସୁଲପୁରରେ ୫ ଶହ ହେକ୍ଟର, ୨୦୨୪-୨୫ରେ ବରୀରେ ୫୫୦ ହେକ୍ଟର, ଯାଜପୁରରେ ୪୮୫ ଓ ରସୁଲପୁରରେ ୪୦୦ ହେକ୍ଟର ଜମିରେ ଆଖୁଚାଷ ହୋଇଥିଲା। ଜିଲ୍ଲାରେ ୨୦୨୨-୨୩ରେ ୧୯୧୦ ହେକ୍ଟର, ୨୦୨୩-୨୪ରେ ମୋଟ ୨୩୭୫ ହେକ୍ଟର ଓ ୨୦୨୪-୨୫ରେ ୨୨୩୫ ହେକ୍ଟର ଜମିରେ ଆଖୁଚାଷ କରାଯାଇଛି। ଆହୁରି ଅନେକ ଚାଷୀ ଏହି ଅର୍ଥକାରୀ ଫସଲ କରିବାକୁ ଆଗ୍ରହୀ ଥିଲେ ହେଁ ପ୍ରୋତ୍ସାହନ ମିଳୁନି। ବରୀର ବନ୍ଦ ଚିନିକଳକୁ ସରକାର କାର୍ଯ୍ୟକ୍ଷମ କଲେ ଶହଶହ ଆଖୁଚାଷୀ ଲାଭବାନ ହୋଇପାରିବେ ବୋଲି ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଯୁକ୍ତି ବାଢ଼ିଛନ୍ତି। ଏ ନେଇ ସେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଚିରାଗ ପାଶୱାନଙ୍କୁ ଭେଟି ଏକ ଇଥାନଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଅନୁ‌ରୋଧ କରିଛନ୍ତି। ଏହା ଜିଲ୍ଲାର ଅର୍ଥନୀତିକୁ ସୁଦୃଢ଼ କରିବା ସହ ଆଖୁଚାଷୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ସେ ଦର୍ଶାଇଛନ୍ତି।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *