ଅପରାଧଘଟଣା ଦୁର୍ଘଟଣାରାଜ୍ୟ

ଜେଲ୍‌ରେ ଆଫଗାନୀ ନାଗରିକଙ୍କୁ ଜେରା ହେବ

ଜେଲ୍‌ରେ ଆଫଗାନୀ ନାଗରିକଙ୍କୁ ଜେରା ହେବ

କଟକ, ଭୁବନେଶ୍ବରରେ ଚାଲିଛି ଛାନ୍‌ଭିନ୍‌

କଟକ/ଭୁବନେଶ୍ୱର ୨୪-୦୬-୨୦୨୫(ଏସ.ଏମ. ) :  ଭୁବନେଶ୍ବର ବିମାନବନ୍ଦରରୁ ଗିରଫ ହୋଇଥିବା ଆଫଗାନିସ୍ତାନ ନାଗରିକ ମହମ୍ମଦ ଯୁସୁଫ୍ ଓରଫ୍ ୟାହା ଖାନ୍‌କୁ ନେଇ ଏନ୍‌ଆଇଏ ଓ ଆଇବି ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ସେ ଭାରତୀୟ ପାସ୍‌ପୋର୍ଟ କିପରି ହାତେଇଲା ଓ ଏହା ପଛରେ ତା’ର ଉଦ୍ଦେଶ୍ୟ କ’ଣ ସେ ନେଇ ଜାତୀୟ ତଦନ୍ତକାରୀ ଟିମ୍ ଜେଲ୍‌ରେ ଥିବା ମହମ୍ମଦ ୟୁସୁଫ୍‌କୁ ଜେରା କରିବାକୁ ଯୋଜନା କରିଛି। କୋର୍ଟଙ୍କ ଅନୁମତି ନେଇ ଜେଲ୍‌ ଭିତରେ ତା’କୁ ଜେରା କରିବାକୁ ତଦନ୍ତକାରୀ ଟିମ୍ ପ୍ରସ୍ତୁତି ଆରମ୍ଭ କରିଛି। ବ୍ୟବସାୟ ପାଇଁ ପାସ୍‌ପୋର୍ଟ ନା ଅନ୍ୟ କିଛି ଅନ୍ତର୍ଘାତୀ ଯୋଜନା ରହିଛି ସେ ନେଇ ଯାଞ୍ଚ କରାଯିବ।

ଅପର ପକ୍ଷରେ କଟକର ପୁରୀଘାଟ ଥାନା ପେଟିନ୍‌ସାହିରେ ଥିବା ୟୁସୁଫ୍‌ର ସମ୍ପର୍କ ସାମନାକୁ ଆସିଲା ପରେ ସେଠାରେ ଖୋଳତାଡ଼ ଜାରି ରହିଛି। ସେଠାରେ ଚାରି ଆଫଗାନୀ ନାଗରିକ ରହିବା ଘଟଣାକୁ ନେଇ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ତନାଘନା ଆରମ୍ଭ କରିଛି। ୟୁସୁଫର ସମସ୍ତ ପରିଚୟପତ୍ର ଜାଲ୍‌ ବୋଲି ଜଣାପଡ଼ିବା ପରେ ପେଟିନ୍‌ସାହି ଓ ନିମସାହିରେ ରହୁଥିବା ତିନି ଜଣ ଆଫଗାନୀଙ୍କ ପରିଚୟପତ୍ର ଯାଞ୍ଚ କରାଯାଇଛି। ଗତକାଲି ପୁରୀଘାଟ ଥାନା ପୁଲିସ ସେମାନଙ୍କ କାଗଜପତ୍ର ଯାଞ୍ଚ କରିଥିବା ବେଳେ ଆଜି କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋର ଦୁଇ ଜଣିଆ ଟିମ୍ ପହଞ୍ଚି ଯାଞ୍ଚ୍‌ କରିଛନ୍ତି। ଏମାନେ ୩୦ ବର୍ଷ ହେବ କଟକରେ ରହିଆସୁଥିଲେ। ଏମାନେ ରହୁଥିବା ଭଡ଼ା ଘରର ମାଲିକଙ୍କୁ ମଧ୍ୟ ସେମାନଙ୍କ ସଂପର୍କରେ ପଚରାଉଚରା କରାଯାଇଛି।

ଏନ୍‌ଆଇଏ, ଆଇବିର ମିଳିତ ତଦନ୍ତ ଜାରି
କଟକରେ ଘର ମାଲିକଙ୍କ ସମେତ ୪ ଜଣଙ୍କ ବୟାନ ରେକର୍ଡ
ଜେରା ହେବେ ଅବହେଳା କରିଥିବା ପୁଲିସ ଓ ଅଧିକାରୀ

ପେଟିନ୍‌ସାହିରେ ଗିରଫ ମହମ୍ମଦ ୟୁସୁଫ୍ ରହୁଥିବା ବେଳେ ସେଠାରେ ଶେର୍ ଖାଁ ଓ ଆଲମ୍ ଖାଁ ବି ରହୁଛନ୍ତି। ଶେର୍ ଖାଁର ପରିବାର ଆଫଗାନିସ୍ତାନରେ ଅଛନ୍ତି। ଶେର୍ ନିୟମିତ ବ୍ୟବଧାନରେ ଭାରତୀୟ ପାସ୍‌ପୋର୍ଟରେ ଆଫଗାନିସ୍ତାନ ଯିବାଆସିବା କରୁଥିବା ତଦନ୍ତ ସମୟରେ ଜଣାପଡ଼ିଛି। ଉଭୟ ୟୁସୁଫ୍ ଓ ଆଲମ୍ ଅବିବାହିତ। ଚତୁର୍ଥ ବ୍ୟକ୍ତି ଆମିର୍ ଖାଁ ଜଗତସିଂହପୁର ଜିଲ୍ଲାରେ ବିବାହ କରିଥିବା ବେଳେ ସେ ପତ୍ନୀ ଓ ପରିବାର ସହିତ ନିମସାହିରେ ଭଡ଼ାରେ ରହୁଛନ୍ତି। ୟୁସୁଫ୍ ବେଆଇନ କାରବାର କରୁଥିବାର ପ୍ରମାଣ ମିଳିଥିବା ବେଳେ ଅନ୍ୟ ତିନି ଜଣ କଟକରେ ଡ୍ରାଏ ଫ୍ରୁଟ୍ ବ୍ୟବସାୟ କରୁଛନ୍ତି। ୨୦୧୭ରୁ ପେଟିନ୍‌ସାହିର ଗୋଟିଏ ଘରେ ୟୁସୁଫ୍, ଆଲମ୍ ଓ ଶେର ରହୁଛନ୍ତି। ପୂର୍ବରୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରେ ଏମାନେ ଭଡ଼ା ନେଇ ରହୁଥିଲେ।

ଆଜି ରାଜଧାନୀରେ ଏନ୍‌ଆଇଏର ଏକ ଟିମ୍‌ ଭୁବନେଶ୍ବର ଏୟାରପୋର୍ଟ ଥାନା, ଇମିଗ୍ରେସନ୍‌ ଅଫିସ ଓ ବିମାନବନ୍ଦରରେ ତଦନ୍ତ କରିଛି। ଏୟାରପୋର୍ଟ ଥାନାଧିକାରୀଙ୍କୁ ପ୍ରାଥମିକ ତଦନ୍ତ ସମ୍ପର୍କରେ ପଚାରିଛନ୍ତି। ଏନ୍‌ଆଇଏ ଟିମ୍‌ ଇମିଗ୍ରେସନ୍‌ ଅଧିକାରୀଙ୍କ ରିପୋର୍ଟ ଉପରେ ମାମଲା ଥିବାରୁ ତାଙ୍କଠାରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିଛି। ୟୁସୁଫ୍ ଭାରତୀୟ ପାସ୍‌ପୋର୍ଟ ହାତେଇ ବାରମ୍ବାର ବିମାନବନ୍ଦର ଦେଇ ଦୁବାଇ ଓ ସେଠାରୁ ଆଫଗାନିସ୍ତାନ ଯାଇଥିବା ବେଳେ ଏହା କିଭଳି ଜଣାପଡ଼ି ନଥିଲା, ସେନେଇ ପଚରାଉଚରା କରିଛି। ୟୁସୁଫ୍‌ ପାସ୍‌ପୋର୍ଟ ହାତେଇବା ଭଳି ବଡ଼ ଧରଣର ତ୍ରୁଟି ପଛରେ କେଉଁ ପୁଲିସ କର୍ମଚାରୀଙ୍କ ଭୂମିକା ରହିଛି ସେ ନେଇ ଯାଞ୍ଚ ଜାରି ରହିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *