ଅପରାଧଘଟଣା ଦୁର୍ଘଟଣାରାଜ୍ୟ

ଝାଡ଼ଖଣ୍ଡ ନାବାଳିକା ଗଣଦୁଷ୍କର୍ମ ମାମଲା

ଝାଡ଼ଖଣ୍ଡ ନାବାଳିକା ଗଣଦୁଷ୍କର୍ମ ମାମଲା

ଯାଜ୍ଞସେନୀ ନିବାସକୁ ବେଶ୍ୟାଳୟ ଘୋଷିତ

ଦୀର୍ଘଦିନ ଧରି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ସଞ୍ଜୀବ ଦାସଙ୍କ ତିନିମହଲା କୋଠା ଯାଜ୍ଞସେନୀ ନିବାସରେ ସେକ୍ସ ରୢାକେଟ୍‌ ଚାଲିଥିଲା। ଝାଡ଼ଖଣ୍ଡ ନାବାଳିକା ଗଣଦୁଷ୍କର୍ମ ମାମଲା ପଦାକୁ ଆସିବା ପରେ ଯାଜ୍ଞସେନୀ ନିବାସର ଅସଲ ଚେହେରା ପଦାକୁ ଆସିଛି।

ଭୁବନେଶ୍ୱର ୨୨-୧୦-୨୦୨୫ (ଏସ.ଏମ ) :  ଦୀର୍ଘଦିନ ଧରି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ସଞ୍ଜୀବ ଦାସଙ୍କ ତିନିମହଲା କୋଠା ଯାଜ୍ଞସେନୀ ନିବାସରେ ସେକ୍ସ ରୢାକେଟ୍‌ ଚାଲିଥିଲା। ଝାଡ଼ଖଣ୍ଡ ନାବାଳିକା ଗଣଦୁଷ୍କର୍ମ ମାମଲା ପଦାକୁ ଆସିବା ପରେ ଯାଜ୍ଞସେନୀ ନିବାସର ଅସଲ ଚେହେରା ପଦାକୁ ଆସିଛି। ତେଣୁ କମିସନରେଟ୍‌ ପୁଲିସ ଏହି କୋଠାକୁ ବେଶ୍ୟାଳୟ ଘୋଷଣା କରିଛି। ସେହିଭଳି ଏହି କୋଠାର ଦ୍ବିତୀୟ ଓ ତୃତୀୟ ମହଲାରେ ଥିବା ୬ଟି ଘର ସହ ସମ୍ପୂର୍ଣ୍ଣ ବିଲ୍ଡିଂକୁ ସିଲ୍‌ କରାଯାଇଛି। ଏହି ମାମଲାରେ ଘରମାଲିକ ସଞ୍ଜୀବ ଦାସଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ଏହି ମାମଲାର ମାଷ୍ଟରମାଇଣ୍ଡ କୁହାଯାଉଥିବା ସଞ୍ଜୀବଙ୍କୁ ପୁଲିସ ମାରାଥନ୍‌ ଜେରା କରିଛି। ସେ କେଉଁ ଉଦ୍ଦେଶ୍ୟରେ କିଙ୍ଗପିନ୍‌ ମଞ୍ଜୁ ସେଠୀଙ୍କୁ ଘରଭଡ଼ା ଦେଇଥିଲେ? କେବେଠାରୁ ଭଡ଼ାରେ ଦେଇଥିଲେ? କେବେଠାରୁ ସେକ୍ସ ରୢାକେଟ୍‌ ଚାଲିଥିଲା? ସେ କେବେଠାରୁ ଏଥିରେ ସମ୍ପୃକ୍ତ ହୋଇଥିଲେ? ଏସବୁ ପ୍ରଶ୍ନର ଉତ୍ତର ସଞ୍ଜୀବ ଦେଇପାରି ନଥିଲେ। ପୁଲିସକୁ ଭୁଆଁ ବୁଲାଇବାକୁ ସଞ୍ଜୀବ ଚେଷ୍ଟା କରିଥିଲା। ସମସ୍ତ ତଥ୍ୟ ଆଧାରରେ ପୁଲିସ ଏହି ଘରକୁ ବେଶ୍ୟାଳୟ ଘୋଷଣା କରିଛି।

ପୁଲିସ ଜବତ କରିଥିବା ରେଜିଷ୍ଟର ଓ ସିଡିଆର୍‌ ରିପୋର୍ଟରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଛି। କିଛି ଦଲାଲ ଓ ସହଯୋଗୀଙ୍କ ସମ୍ପର୍କରେ ପୁଲିସକୁ ବହୁ ତଥ୍ୟ ମିଳିଛି। ସେମାନଙ୍କ ସମ୍ପର୍କରେ ଅଧିକ ଖୋଳତାଡ଼ ପାଇଁ ଡିସିପିଙ୍କ ନିର୍ଦେଶକ୍ରମେ ଦୁଇଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି ଏବଂ ସେମାନେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ପୁଲିସ ସହ ଯୋଗାଯୋଗ କରିଛନ୍ତି। ଖୁବ୍‌ଶୀଘ୍ର ଏହି ଦୁଇ ଟିମ୍‌ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଯାଇ ସ୍ଥାନୀୟ ପୁଲିସ ସହ ଆଲୋଚନା କରିବ। ସେହିପରି ନାବାଳିକାଙ୍କ ପରିବାର ସହ ମଧ୍ୟ ଆଲୋଚନା କରି ସ୍ଥାନୀୟ ଥାନାରେ ମାମଲା ରୁଜୁକରିବାକୁ ଯୋଜନା କରାଯାଇଛି।

ଘୋଷଣା ହେଲେ କ’ଣ ହୁଏ…
ଯେଉଁ ଘରକୁ ବେଶ୍ୟାଳୟ ବୋଲି ଘୋଷଣା କରାଯାଏ, ସେହି ଘରକୁ କମିସନରେଟ ପୁଲିସ ବର୍ଷକ ପାଇଁ ସିଲ୍‌ କରି ରଖିବ। ଏହି ସମୟରେ ଘରମାଲିକ କୌଣସି କୋର୍ଟରେ ଅପିଲ୍‌ କରିପାରିବେ ନାହିଁ। ଏଥିସହିତ ସେହି ଘରକୁ ଲାଗି କରିଥିବା ଶିକ୍ଷାନୁଷ୍ଠାନ, ମନ୍ଦିର, କ୍ଲବ୍‌ ଭଳି ସର୍ବସାଧାରଣ ସ୍ଥାନକୁ ଘରଟି ବେଶ୍ୟାଳୟ ବୋଲି ଚିଠି କରି ଜଣାଇଦିଆଯିବ।

ଏଚ୍‌ଆଇଭି ଆକ୍ରାନ୍ତ ରୂପଜୀବୀଙ୍କୁ ନେଇ ଆତଙ୍କ…
ରଙ୍ଗଶାଳା ଯାଜ୍ଞସେନୀ ନିବାସକୁ ଆସୁଥିବା ରୂପଜୀବୀମାନଙ୍କ ମଧ୍ୟରୁ କେତେକ ଏଚ୍‌ଆଇଭି ଆକ୍ରାନ୍ତ ଥିବା ପରୀକ୍ଷାରୁ ଜଣାପଡ଼ିଛି। ହସ୍ପିଟାଲ୍‌ରୁ ଏଭଳି ସୂଚନା ମିଳିବା ପରେ ପୁଲିସ ପାଇଁ ଆହୁରି ବଡ଼ ଚ୍ୟାଲେଞ୍ଜ୍‌ ସୃଷ୍ଟି ହୋଇଛି। ଏଚ୍‌ଆଇଭି ଆକ୍ରାନ୍ତ ରୂପଜୀବୀମାନଙ୍କ ଗ୍ରାହକ ସାଜିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଠାବ କରାଯିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ମାଷ୍ଟର୍‌ମାଇଣ୍ଡ୍‌ ବାରିକ ଗଲା କୁଆଡ଼େ?
ସେକ୍ସ ରୢାକେଟ୍‌ର ଅନ୍ୟତମ ମାଷ୍ଟରମାଇଣ୍ଡ କୁହାଯାଉଥିବା ବାରିକ ଏବେ ବି ପୁଲିସ ପାଇଁ ଅପହଞ୍ଚ ହୋଇ ରହିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବାରିକ, ଉଭୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର କିଛି ଦଲାଲଙ୍କ ସହ ନିୟମିତ ଯୋଗାଯୋଗରେ ରହିଛି। ସେହି ଅଣଓଡ଼ିଆ ଦଲାଲଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ବାରିକ ଯୁବତୀଙ୍କୁ ଓଡ଼ିଶା ଆଣୁଥିଲା। ସେମାନଙ୍କୁ ଚାକିରି କରାଇବା ନାଁରେ ଫସାଇ ସେକ୍ସ ରୢାକେଟ୍‌ରେ ଲଗାଉଥିଲା। ଏହାର ମଙ୍ଗ ଧରିଥିଲେ ମଞ୍ଜୁ ଓ ମମତା। ମଞ୍ଜୁ-ମମତା ଯୋଡ଼ି ମଧ୍ୟ ଅଣଓଡ଼ିଆ ମହିଳା ଦଲାଲଙ୍କ ଲିଙ୍କ୍‌ରେ ଥିବା ଜଣାପଡ଼ିଛି। ବାରିକ ଗିରଫ ହେବା ପରେ ଏହି ବଡ଼ ରୢାକେଟ୍‌ର ବହୁ ଗୁମର ଖୋଲିବ।

ଆର୍ଥିକ କାରବାରର ଖୋଳତାଡ଼…
ରୢାକେଟ୍‌ରେ ସମ୍ପୃକ୍ତି ଥିବା ଅଭିଯୋଗରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ଆର୍ଥିକ କାରବାରକୁ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ସେମାନେ କେଉଁମାନଙ୍କୁ ଟଙ୍କା ପଠାଉଥିଲେ? ଏହି ଟଙ୍କା ପଠାଇବା ପଛରେ କ’ଣ କାରଣ ରହିଛି? ଏସବୁର ତଦନ୍ତ ଆରମ୍ଭ ହୋଇଛି। 

ଦାମୀ କାର୍‌ ଓ ସ୍କୁଟି କାହାର?…

ପୁଲିସ ବେଶ୍ୟାଳୟ ସମ୍ମୁଖରୁ ଗୋଟିଏ ଦାମୀ କାର୍‌ ଓ ସ୍କୁଟି ଜବତ କରିଛି। ସବୁଠୁ ବଡ଼କଥା ହେଲା ଯେ କାର୍‌ଟି ସେଠାରେ ବହୁଦିନ ହେବ ପଡ଼ିରହିଥିଲା। ପୁଲିସ ଚଢ଼ଉ ଦିନ ଜଣେ ମହିଳା ସ୍କୁଟିକୁ ଛାଡ଼ି ସେଠାରୁ ଚମ୍ପଟ ମାରିଥିଲେ। ତେବେ କାର୍‌ଟି କାହାର? କାହିଁକି ସେଠାରେ ପଡ଼ି ରହିଥିଲା? ସ୍କୁଟି ଛାଡ଼ିଯାଇଥିବା ମହିଳା ଜଣଙ୍କ କିଏ? ସେମାନଙ୍କ ସମ୍ପର୍କରେ ଜାଣିବା ପାଇଁ ପୁଲିସ କାର୍‌ ଓ ସ୍କୁଟି ନମ୍ବରକୁ ଆର୍‌ଟିଓକୁ ପଠାଇଛି। ପଞ୍ଜୀକରଣ ହୋଇଥିବା ଗାଡ଼ିମାଲିକଙ୍କୁ ଡାକି ପଚରାଉଚରା କରାଯିବ।

ସିଡବ୍ଲ୍ୟୁସିରେ ନାବାଳିକା…

ଗଣଦୁଷ୍କର୍ମର ଶିକାର ନାବାଳିକାଙ୍କୁ ଆଜି କ୍ୟାପିଟାଲ୍‌ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି ଏବଂ ତାଙ୍କୁ ସିଡବ୍ଲ୍ୟୁସିଙ୍କୁ ହସ୍ତାନ୍ତର କରାଯାଇଛି। ପୀଡ଼ିତା ନାବାଳିକା ଜଣକ ଅନାଥ ବୋଲି ଜଣାପଡ଼ିଛି। ତେଣୁ ଓଡ଼ିଶା ପୁଲିସ ଝାଡ଼ଖଣ୍ଡ ପୁଲିସକୁ ନାବାଳିକା ବାବଦରେ ଅଧିକ ତଥ୍ୟ ପାଇଁ ଚିଠି ଲେଖିଛି। ଆଜି ପୀଡ଼ିତାଙ୍କର ବୟ‌ାନ ରେକର୍ଡ କରାଯାଇଛି। ତାଙ୍କ ବୟାନରୁ ସଂଗିନ୍ ତଥ୍ୟ ମିଳିଛି। ତାଙ୍କୁ ରାଜଧାନୀର ବିଭିନ୍ନ ସ୍ଥାନକୁ ନେଇ ଦୁଷ୍କର୍ମ କରାଯାଇଛି ବୋଲି ଜଣାପଡ଼ିଛି।

ଉଦ୍ଧାର ୩ ଯୁବତୀ କିଏ?

ଯାଜ୍ଞସେନୀ ନିବାସରୁ ଉଦ୍ଧାର ହୋଇଥିବା ୩ ଯୁବତୀଙ୍କ ସମ୍ପର୍କରେ ପୁଲିସ ଅଧିକ ଖୋଳତାଡ଼ କରିଛି। ସେମାନଙ୍କ ସମ୍ପର୍କରେ ପଚରାଉଚରା କରାଯାଉଛି ଏବଂ ସେମାନେ କିଭଳି ଭୁବନେଶ୍ବର ଆସିଥିଲେ, କିଏ ସୋମନଙ୍କୁ ରାଜଧାନୀ ଭୁବନେଶ୍ବରକୁ ଆଣିଥିଲା, ସେ ଦିଗରେ ପୁଲିସ ତନାଘନା ଚଳାଇଛି। 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *