ଟ୍ରାଫିକ ଯନ୍ତ୍ରଣା ପଳାଶୁଣୀ ବ୍ରିଜ
ଟ୍ରାଫିକ ଯନ୍ତ୍ରଣା ପଳାଶୁଣୀ ବ୍ରିଜ…
୪ ଲେନ୍ ରାସ୍ତାକୁ ୨ ଲେନ୍ ବ୍ରିଜ
ଯନ୍ତ୍ରଣା ଦେଉଛି ପଳାଶୁଣୀ ବ୍ରିଜ। ଯା’ଆସ ବେଳେ ଟ୍ରାଫିକରେ ଫସୁଛନ୍ତି ଚାଳକ। ଦୈନିକ ହଜାର ହଜାର ଗାଡ଼ି ଏହି ଭିଡ଼ରେ ଫସି କଲବଲ ହେଉଛନ୍ତି। ସେ ଦୁଇଚକିଆ, ଚାରିଚକିଆ ହେଉ କି ଅନ୍ୟ ବଡ଼ ଗାଡ଼ି
ଭୁବନେଶ୍ୱର ୦୭.୦୫.୨୦୨୫(ଏସ .ଏମ ) : ଯନ୍ତ୍ରଣା ଦେଉଛି ପଳାଶୁଣୀ ବ୍ରିଜ। ଯା’ଆସ ବେଳେ ଟ୍ରାଫିକରେ ଫସୁଛନ୍ତି ଚାଳକ। ଦୈନିକ ହଜାର ହଜାର ଗାଡ଼ି ଏହି ଭିଡ଼ରେ ଫସି କଲବଲ ହେଉଛନ୍ତି। ସେ ଦୁଇଚକିଆ, ଚାରିଚକିଆ ହେଉ କି ଅନ୍ୟ ବଡ଼ ଗାଡ଼ି, ସମସ୍ତଙ୍କ ଯନ୍ତ୍ରଣା ସମାନ। ଦିନତମାମ ଏଭଳି ସମସ୍ୟା ଲାଗି ରହୁଛି।ଭୁବନେଶ୍ବର-କଟକ ୧୬ ନଂ ଜାତୀୟ ରାଜପଥରେ ପଳାଶୁଣୀ ବ୍ରିଜ ସବୁଠୁ ଅଧିକ ଜନଗହଳିପୂର୍ଣ୍ଣ ରାସ୍ତା। ଏହି ବାଟ ଦେଇ ଦୈନିକ ରାଜ୍ୟ ଓ ରାଜ୍ୟ ବାହାରର ଲକ୍ଷାଧିକ ଯାତ୍ରୀବାହୀ, ମାଲବାହୀ ଗାଡ଼ିମୋଟର ଯା’ଆସ କରୁଛି। କିନ୍ତୁ ଏନ୍ଏଚ୍ଏଆଇର ଦୂରଦୃଷ୍ଟିର ଅଭାବ ଯୋଗୁଁ ଏଠାରେ ଦୈନିକ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି। କାରଣ, ପଳାଶୁଣୀ ବ୍ରିଜ୍ ଦୁଇ ଲେନ୍ ବିଶିଷ୍ଟ ହୋଇଥିବା ବେଳେ ଏହାକୁ ସଂଯୋଗ କରୁଥିବା ଜାତୀୟ ରାଜପଥର ପିଚୁ ରାସ୍ତା ୪ ଲେନ୍ ବିଶିଷ୍ଟ। ଏହା ଏକ ଜଙ୍କସନ୍ (ମୁଖ୍ୟ ଛକ) ମଧ୍ୟ। ଯାହା ଟ୍ରାଫିକ ସମସ୍ୟାର ମୂଳ କାରଣ ସାଜିଛି। ଏକାଧିକ ଧାଡ଼ିରେ ଆସୁଥିବା ସବୁ ଗାଡ଼ିକୁ ବ୍ରିଜ ପାଖରେ ଅଟକିବାକୁ ପଡ଼ୁଛି। ଦୁଇଟି ଧାଡ଼ି ହୋଇ ବ୍ରିଜ୍ ଉପରେ ଯିବାକୁ ପଡ଼ୁଛି। ଫଳରେ ହଜାର ହଜାର ଗାଡ଼ି ପ୍ରତିଦିନ ଏଠାରେ ଅଟକିବା ସହ ଟ୍ରାଫିକ ସମସ୍ୟା ଜଟିଳ ହେଉଛି। ଫଳରେ ଅଧିକାଂଶ ସମୟରେ ଏଠାରେ ଦୁର୍ଘଟଣା ଘଟୁଛି ଓ ଲୋକେ ମୃତାହତ ହେଉଛନ୍ତି। ଭିଡ଼ କମାଇବାର ବିକଳ୍ପ ବାଟ ନ ଥିବାରୁ ଟ୍ରାଫିକ ଯନ୍ତ୍ରଣା ପାଉଥିଲେ ବି ଗାଡ଼ିଗୁଡ଼ିକ ଭିଡ଼ ଭିତରେ ଯା’ଆସ କରିବାକୁ ବାଧ୍ୟ ହେଉଛନ୍ତି।
୪ ଲେନ୍ ରାସ୍ତାକୁ ୨ ଲେନ୍ ବ୍ରିଜ
ପ୍ରତିଦିନ ଟ୍ରାଫିକରେ ଫସୁଛି ହଜାର ହଜାର ଗାଡ଼ି
୧୦୦ ମିଟର ପାର୍ ହେବାକୁ ଅଧଘଣ୍ଟା
ଭୁବନେଶ୍ବର ପାର୍ଶ୍ବରୁ କଟକ ଯିବାବେଳେ ସେତେଟା ଅସୁବିଧା ହେଉନି। କିନ୍ତୁ କଟକ ପାର୍ଶ୍ବରୁ ଯେଉଁମାନେ ଆସୁଛନ୍ତି, ସେମାନେ ଭିଡ଼ରେ ଫସି କଲବଲ ହେଉଛନ୍ତି। ବିଶେଷ କରି ପୁରୀ କେନାଲ୍ ଛକରୁ ଏକାଧିକ ରାସ୍ତା ଏହି ବ୍ରିଜ୍କୁ ସଂଯୋଗ କରୁଥିବାରୁ ସମସ୍ୟା ଅଧିକ ଜଟିଳ ହେଉଛି। ହଂସପାଳ, ବାଲିଅନ୍ତା, ପୁରୀ କେନାଲ୍ ସଂଲଗ୍ନ ରାସ୍ତାରୁ ଗାଡ଼ି ଆସୁଥିବା ବେଳେ ପୁରୀ ବାଇପାସ୍ରୁ ମଧ୍ୟ ଆଉ ଏକ ଲେନ୍ରେ ଗାଡ଼ି ଆସୁଥିବାରୁ ରାସ୍ତା ଜାମ୍ ହେଉଛି। ଫଳରେ ପ୍ରାୟ ୧୦୦ ମିଟରର ବ୍ରିଜ୍କୁ ପାର ହେବାକୁ ପାଖାପାଖି ଅଧଘଣ୍ଟା ଲାଗି ଯାଉଛି। କୌଣସି ବଡ଼ ଅଘଟଣ ପୂର୍ବରୁ ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର କରିବାକୁ ଚାଳକମାନେ ଦାବି କରିଛନ୍ତି।
