ରାଜ୍ୟ

ଢୋ ଢାରେ ୨୫କୋଟି ଧୂଆଁ: ବୋହିନେଲେ, ଫୁଟାଇଲେ

ଢୋ ଢାରେ ୨୫କୋଟି ଧୂଆଁ: ବୋହିନେଲେ, ଫୁଟାଇଲେ

  • ଆଗରୁ ବୋହି ନେଇଥିଲେ।
  • ଦୀପାବଳିରେ ଫୁଟାଇଦେଲେ।
  • ଦିନବେଳା ସାମାନ୍ୟ ବର୍ଷା ହେଲା।
  • କିନ୍ତୁ ଅପରାହ୍ଣରୁ ପାଗ ବଦଳିଗଲା।
  • ତେଣୁ ସଂଜ ବୁଡ଼ୁବୁଡ଼ୁ ଫୁଟିଲା।
  • କମିସନରେଟ୍‌ ପୁଲିସର କଟକଣାକୁ ଫୁ’ କରି ଲୋକେ ବାଣ ଫୁଟାଇଚାଲିଲେ।

ଭୁବନେଶ୍ୱର ୨୨-୧୦-୨୦୨୫ (ଏସ.ଏମ ) :  ଗରୁ ବୋହି ନେଇଥିଲେ। ଦୀପାବଳିରେ ଫୁଟାଇଦେଲେ। ଦିନବେଳା ସାମାନ୍ୟ ବର୍ଷା ହେଲା। କିନ୍ତୁ ଅପରାହ୍ଣରୁ ପାଗ ବଦଳିଗଲା। ତେଣୁ ସଂଜ ବୁଡ଼ୁବୁଡ଼ୁ ଫୁଟିଲା। କମିସନରେଟ୍‌ ପୁଲିସର କଟକଣାକୁ ଫୁ’ କରି ଲୋକେ ବାଣ ଫୁଟାଇଚାଲିଲେ। ରାତି ୯ଟା ପର୍ଯ୍ୟନ୍ତ ଲାଗୁ ହୋଇଥିବା କଟକଣା ଚୁଲିକି ଗଲା। ତଳୁ ଆକାଶ ପର୍ଯ୍ୟନ୍ତ ବାଣ ବିସ୍ଫୋରଣର ଝଲକ। ତଳେ ଗଡ଼ମ୍ବା, ଗୋଡ଼ିବାଣର ଗର୍ଜନ ସାଙ୍ଗକୁ ଆକାଶରେ ରକେଟ୍‌ ଓ ସଟ୍‌ ବାଣ ବିସ୍ଫୋରଣ ସର୍ବତ୍ର ଧୂଆଁମୟ କରିଦେଲା। ଆକଳନ କରାଯାଉଛି ଚଳିତ ବର୍ଷ ୨୫କୋଟିରୁ ଅଧିକ ଟଙ୍କା ଢୋ ଢାରେ ଧୂଆଁ ହୋଇଯାଇଛି। ପାଇକାରୀ ଓ ଖୁଚୁର ବେପାରୀଙ୍କ ବେପାରରୁ ଏଭଳି ଆକଳନ କରାଯାଇଛି। ସମସ୍ତଙ୍କ ପସରା ଖାଲି ହୋଇଯାଇଥିବାରୁ ଚଳିତ ବର୍ଷର ବାଣ ବେପାର ବେଶ୍ ଜମିଛି ବୋଲି ଚର୍ଚ୍ଚା ହେଉଛି। ଚଳିତ ବର୍ଷ ଲଘୁଚାପଜନିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା। ତେଣୁ ଦୀପାବଳିରେ ବାଣଫୁଟା ମଜା ଧୋଇଯିବାର ଆଶଙ୍କା ଉପୁଜିଥିଲା। ତଥାପି ଲୋକେ ପୂର୍ବରୁ ବାଣ କିଣି ସାଇତି ଥିଲେ। ପାଇକାରୀ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଖୁଚୁରା ବ୍ୟବସାୟୀଙ୍କ ଦୋକାନରୁ ଲୋକେ ବାଣ ଖାଲି କରିଦେଇଥିଲେ। ବର୍ଷା ଖବର ଆସିବା ପରେ ମୁଣ୍ଡରେ ହାତଦେଇ ବସିଥିବା ବାଣ ବେପାରୀଙ୍କ ପାଇଁ ଶେଷ ୪ଦିନ ପୁଷ ମାସ ପାଲଟି ଯାଇଥିଲା। ଚଳିତ ବର୍ଷ ରାଜଧାନୀ ଓ ଉପକଣ୍ଠ ଜଟଣୀ, ବାଲିଅନ୍ତା, ବାଲିପାଟଣା, ଚନ୍ଦକା ଆଦି ଅଞ୍ଚଳରେ ୧୦ଟି କ୍ଲଷ୍ଟର୍‌ରେ ପ୍ରାୟ ୧୩ଶହ ଦୋକାନ ଖୋଲିଥିଲା। ଜଟଣୀ ସହରରେ ୭ଜଣ ପାଇକାରୀ ବ୍ୟବସାୟୀଙ୍କ ସହ ଶରତ ପାଇକରାୟ ଷ୍ଟାଡିୟମ୍‌ରେ ବସିଥିବା ବାଣ ବଜାରରେ ୧୦୫ଟି ଖୁଚୁରା ଦୋକାନ ଖୋଲିଥିଲା। ସେହିଭଳି ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳରେ ପାଖାପାଖି ୨୫ଟି ଖୁଚୁରା ଦୋକାନ ଖୋଲିଥିଲା। ଶନିବାରଠାରୁ ବାଣ ବଜାରରେ ଅସମ୍ଭାଳ ଭିଡ଼ ହେଲା। ଦୋକାନୀମାନଙ୍କୁ ଖାଇବା ପିଇବାକୁ ବି ଫୁରୁସତ ମିଳିଲା ନାହିଁ।

ଜଟଣୀ-ତଳଖେତା ରାସ୍ତାରେ ଟ୍ରାଫିକ୍ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଗଲା। ରବିବାର ଓ ସୋମବାର ଅର୍ଥାତ୍ ଦୀପାବଳି ଦିନ ଅପରାହ୍ଣରେ ଏହି ରାସ୍ତାରେ ଯାନବାହନ ଚଳାଚଳ କଷ୍ଟକର ହୋଇପଡ଼ିଲା। ଏମିତି ସ୍ଥିତିରେ ବାଣ ଦର ମନକୁ ମନ ବଢ଼ିବାକୁ ଲାଗିଲା। ଖୁଚୁରା ବେପାରୀମାନେ ମନ ଇଚ୍ଛା ଦର କଷିଲେ। ପାଟିରୁ ଯାହା ବାହାରିଲା, ଗ୍ରାହକ ସେୟା ଦେବାକୁ ବାଧ୍ୟ। ମୂଲଚାଲ କରିବାକୁ ବେଳ ନଥିଲା। ଦୋକାନ ଭିତରେ ଗୋଡ଼ କୁଦାକୁଦି ଅବସ୍ଥା, ତେଣୁ ମୂଲଚାଲ କରୁଛି କିଏ! ଯେଉଁ ସିଙ୍ଗଲ୍ ସଟ୍‌ ୫୦୦ ଟଙ୍କାରେ ବିକ୍ରି ହେଉଥିଲା, ତାହା ୧୦୦୦ ଟଙ୍କା ହୋଇଗଲା। ସଟ୍‌ ବକ୍ସ, କଲର କୁମ୍ପି ପେଟି ୧୦୦୦ ଟଙ୍କା ଥିଲା, ତାହା ୧୫୦୦ ରୁ ୨୦୦୦ ହୋଇଗଲା। ଯେଉଁ ୧୦୦ ଟିକିଆ ଧପଧପି ବିଡ଼ା ୩୦୦ ଟଙ୍କା ଥିଲା, ତାହା ୭୦୦ ଟଙ୍କା‌ ଟପିଗଲା। ସେହିଭଳି ୧୦୦ ଟଙ୍କିଆ ଝର୍‌ଝରି ପ୍ୟାକେଟ୍ ୩୦୦ ଟଙ୍କା ହୋଇଗଲା। ତଥାପି ଲୋକଙ୍କୁ ବାଧୁ ନଥିଲା। ଗ୍ରାହକମାନେ ବ୍ୟାଗ୍‌ରେ ବାଣ ପୂରାଇ ଟଙ୍କା ଗଣିଦେଉଥିଲେ। ବଡ଼ କଥା ହେଉଛି, ଦୀପାବଳି ଦିନ ସନ୍ଧ୍ୟା ସୁଦ୍ଧା ବାଣ ବଜାରରେ ପ୍ରବଳ ଗହଳି ଲାଗି ରହିଥିଲା, ମାତ୍ର ଦୋକାନୀଙ୍କ ପସରାରେ ବାଣ ନଥିଲା। ଶେଷରେ କିଛି ଗ୍ରାହକ ହତାଶ ହୋଇ ଫେରିଥିବା ମଧ୍ୟ ଦେଖିବାକୁ ମିଳିଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *