ତହବୁର ଛାତିରେ ଫାଶୀର ଛନକା !
ତହବୁର ଛାତିରେ ଫାଶୀର ଛନକା !
- ଆତଙ୍କ ରଚି ଦେଶକୁ ଦୋହଲାଇ ଦେଇଥିବା ତହବୁରକୁ ମିଳିବନି ତ୍ରାହି !
- ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ମନରେ ଫାଶୀର ଭୟ !
ନୂଆଦିଲ୍ଲୀଭୁବନେଶ୍ୱର ୧୫-୦୪-୨୦୨୫ (ଏସ .ଏମ ) : (ବିଜୟ କୁମାର ପଣ୍ଡା ) ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ମନରେ ଫାଶୀର ଭୟ ! କସାବ ପରି ତାକୁ ବି ଭାରତରେ ଦିଆଯିବ କି ଫାଶୀ ? ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରହବୁର ରାଣା ଅଜମଲ କସାବ ପରି ଫାଶୀ ପାଇବାକୁ ଭୟ କରୁଛି । ଆମେରିକୀୟ ଜେଲରେ ପ୍ରାୟ ୧୬ ବର୍ଷ ବିତାଇବା ପରେ, ରାଣା ଏବେ ଭାରତୀୟ ଆଇନ ଏବଂ ନ୍ୟାୟିକ ପ୍ରକ୍ରିୟା ବିଷୟରେ ସୂଚନା ସଂଗ୍ରହ କରୁଛି ।ଏନଆଇଏର ହେପାଜତରେ ରହି, ସେ ଅଧିକାରୀମାନଙ୍କୁ ନିରନ୍ତର ପଚାରୁଛି ଯେ, ତା ବିରୁଦ୍ଧରେ କେଉଁ ଧାରା ଲାଗୁ କରାଯାଇଛି ଏବଂ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା କ’ଣ ହେବ । ସୂତ୍ର ଅନୁସାରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଦୁଇ ସରକାରୀ ଓକିଲ ରାଣାକୁ ଭେଟିଛନ୍ତି । ଯେଉଁଥିରେ ତାକୁ ସମସ୍ତ ଅଭିଯୋଗ ବିଷୟରେ ଅବଗତ କରାଯାଇଛି । ରାଣା ପ୍ରତି ଅଭିଯୋଗ ଏବଂ ଆଇନଗତ ଧାରା ବିଷୟରେ ବିସ୍ତୃତ ଭାବରେ ପଚାରି ବୁଝୁଛି । ସେ ଜାଣିବାକୁ ଚାହୁଁଛି ଯେ ବିଚାର କେବେ ଆରମ୍ଭ ହେବ ଏବଂ ଏହା କେତେ ଦିନ ଚାଲିବ।ତେବେ ପ୍ରାଥମିକ ପଚରାଉଚରା ସମୟରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ତହବୁର ରାଣାଠାରୁ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ପାଇପାରି ନାହାଁନ୍ତି । ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, ପଚରାଉଚରା ସମୟରେ ଅଧିକାରୀମାନେ ରାଣା ଠାରୁ ତାର ପରିବାର, ବନ୍ଧୁ ଏବଂ ସମ୍ପର୍କ ବିଷୟରେ ଜାଣିବାକୁ ଚାହିଁଥିଲେ ବି ସେ କୌଣସି ସୂଚନା ଦେଇନାହିଁ । ରାଣା ଜାଣିଶୁଣି ସହଯୋଗ କରୁନଥିବା ଏଜେନ୍ସି କହିଛି । ୨୬ ନଭେମ୍ବର ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ, ୧୦ ଜଣ ଆତଙ୍କବାଦୀ ତାଜ ହୋଟେଲ, ଓବରୟ ଟ୍ରାଇଡେଣ୍ଟ, ଛତ୍ରପତି ଶିବାଜୀ ଟର୍ମିନସ୍ ଏବଂ ନରିମାନ ହାଉସ୍ ଭଳି ଅନେକ ସ୍ଥାନକୁ ଟାର୍ଗେଟ କରିଥିଲା । ଏହି ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଥିଲା । ତହବୁର ରାଣା ଉପରେ ଲସ୍କର-ଏ-ତୈବା ସହିତ ସହଯୋଗରେ ଆକ୍ରମଣ ଯୋଜନା କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିବାର ଅଭିଯୋଗ ଅଛି । ତେଣୁ ଏତେ ବଡ କାଣ୍ଡ ଭିଆଇଥିବା ତହବୁରକୁ ତ୍ରାହି ମିଳିବନି ସେ ଜାଣି ସାରିଛି ତେଣୁ ତାକୁ ଫାଶୀର ଭୟ ଘାରିଥିବା କୁହାଯାଉଛି ।ଅନ୍ୟପଟେ ଏନଆଇଏ ଅଧିକାରୀଙ୍କୁ ଆତଙ୍କବାଦୀ ତହବୁର ମାଗିଛି ଗୋଟିଏ କଲମ, କିଛି କାଗଜ ଏବଂ କୁରାନ । ଆଉ ତାକୁ ଏସବୁ ଜିନିଷ ମଧ୍ୟ ଯୋଗାଇ ଦିଆଯାଇଛି ।