ଦେଶ- ବିଦେଶ

ତହବୁର ରାଣାକୁ ଏନ୍‌ଆଇଏ ଜେରା

ତହବୁର ରାଣାକୁ ଏନ୍‌ଆଇଏ ଜେରା

  • ଆଇଏସ୍‌ଆଇର ଭୂମିକା
  • ହେଡ୍‌ଲି ସହ ସଂପର୍କ ଉପରେ ଫୋକସ୍‌

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର  ଷଡ୍‌ଯନ୍ତ୍ରକାରୀ ତହବୁର ରାଣାକୁ ଗୁରୁବାର ରାତିରେ ପଟିଆଲା ହାଉସ୍ କୋର୍ଟ ୧୮ ଦିନ ପାଇଁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ) ହେପାଜତକୁ ପଠାଇ ଦେବାପରେ ଆଜିଠାରୁ ତା’କୁ ଏନ୍‌ଆଇଏ ସ୍ବତନ୍ତ୍ର ସେଲ୍‌ରେ ଜେରା ଆରମ୍ଭ ହୋଇଛି।

ନୂଆଦିଲ୍ଲୀ/ଭୁବନେଶ୍ୱର ୧୨-୦୪-୨୦୨୫(ଏସ. ଏମ ) :  ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର  ଷଡ୍‌ଯନ୍ତ୍ରକାରୀ ତହବୁର ରାଣାକୁ ଗୁରୁବାର ରାତିରେ ପଟିଆଲା ହାଉସ୍ କୋର୍ଟ ୧୮ ଦିନ ପାଇଁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ) ହେପାଜତକୁ ପଠାଇ ଦେବାପରେ ଆଜିଠାରୁ ତା’କୁ ଏନ୍‌ଆଇଏ ସ୍ବତନ୍ତ୍ର ସେଲ୍‌ରେ ଜେରା ଆରମ୍ଭ ହୋଇଛି।  ରାଣା ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ଏନ୍‌ଆଇଏ ତାକୁ ଆନୁଷ୍ଠାନିକ ଭାବେ ଗିରଫ କରି ଅଦାଲତରେ ହାଜର କରାଇବା ସହ ୨୦ ଦିନିଆ ରିମାଣ୍ଡରେ ନେବାକୁ ଅନୁରୋଧ କରିଥିଲା। ଅଦାଲତ ପ୍ରଥମେ ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ ଏବଂ ପରେ ଏଜେନ୍ସିକୁ ୧୮ ଦିନ ପାଇଁ (ଏପ୍ରିଲ ୨୯ ପର୍ଯ୍ୟନ୍ତ) ହେପାଜତକୁ ନେବାକୁ ଅନୁମତି ପ୍ରଦାନ କରିଥିଲେ।  ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ଏନ୍‌ଆଇଏ ରାଣାକୁ ପଚରାଉଚରା ଆରମ୍ଭ କରିଥିଲା। ତଦନ୍ତକାରୀ ସଂସ୍ଥା ଜେରାରେ ତିନୋଟି ଦିଗ ଉପରେ ଧ୍ୟାନ ଦେଉଛି- ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର, ଆକ୍ରମଣରେ ପାକିସ୍ତାନର ଆଇଏସ୍‌ଆଇର ଭୂମିକା ଏବଂ ଆକ୍ରମଣ କରିଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ସହ ରାଣାର ଯୋଗସୂତ୍ର। ଡିଜି ସଦାନନ୍ଦ ଦାତେଙ୍କ ନେତୃତ୍ୱରେ ଏନ୍‌ଆଇଏର ୧୨ ଜଣିଆ ଟିମ୍ ରାଣାକୁ ପଚରାଉଚରା କରୁଛି। ରାଣାକୁ ୨୬/୧୧ ଆକ୍ରମଣ ସମ୍ବନ୍ଧରେ ତା’ର ମନ୍ତବ୍ୟ ସମ୍ପର୍କରେ ମଧ୍ୟ ପଚରାଉଚରା କରାଯିବ। ଆତଙ୍କବାଦୀ ଆକ୍ରମଣର ଅନ୍ୟ ଜଣେ ଷଡ୍‌ଯନ୍ତ୍ରକାରୀ ଡେଭିଡ୍ ହେଡ୍‌ଲି ସହ କଥାବାର୍ତ୍ତା ବେଳେ ସେ କହିଥିଲା ଯେ ମୁମ୍ବାଇରେ ଆକ୍ରମଣ କରିଥିବା ଲସ୍କର ଆତଙ୍କବାଦୀଙ୍କୁ ପାକିସ୍ତାନ ପୁରସ୍କୃତ କରିବା ଉଚିତ। ମୁମ୍ବାଇ ଆକ୍ରମଣର ବର୍ବରତା ଓ ଧନଜୀବନହାନି ନେଇ ରାଣା ହେଡ୍‌ଲିକୁ ନିଜର ଖୁସି ଜାହିର କରିଥିଲା।

ଗୃହ ମନ୍ତ୍ରଣାଳୟକୁ ରାଣାର ଜେରା ସଂପର୍କିତ ଦୈନିକ ତଦନ୍ତର ବିବରଣୀ ପ୍ରଦାନ କରାଯିବ। ରାଣାକୁ ଏନ୍‌ଆଇଏ ମୁଖ୍ୟାଳୟରେ ଏକ ସ୍ବତନ୍ତ୍ର ‌ସେଲ୍‌ରେ ବନ୍ଦ କରି ସିସିଟିଭି ନଜରରେ ରଖାଯାଇଛି। ସେ ଯେପରି ନିଜକୁ କ୍ଷତି ନ ପହଞ୍ଚାଇବ ସେଥିପାଇଁ ଅଧିକାରୀମାନେ ବିଶେଷ ସତର୍କତା ଅବଲମ୍ବନ କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ରାଣାକୁ ଏନ୍‌ଆଇଏ ମୁଖ୍ୟାଳୟରେ ୧୦/୧୦ ଫୁଟ୍ ଲକ୍‌ଅପ୍‌ରେ ରଖାଯାଇଛି। ସେଲ୍‌ରେ କୌଣସି ଫ୍ୟାନ୍ କିମ୍ବା ଝରକା ଯୋଗାଇ ଦିଆଯାଇନାହିଁ। ରାଣାକୁ ଏକ ସଂଯୁକ୍ତ ଶୌଚାଳୟ ସହିତ ସେଲ୍‌ରେ ରଖାଯାଇଛି ଏବଂ ତାକୁ କବାଟ ବନ୍ଦ କରିବାକୁ ଅନୁମତି ନାହିଁ। ତାକୁ କେବଳ ଚଟାଣରେ ଏକ ଗଦି ଯୋଗାଇ ଦିଆଯାଇଛି। ପଚରାଉଚରା କକ୍ଷକୁ ମଧ୍ୟ ସିସିଟିଭି ନଜରରେ ରଖାଯାଇଛି।

ssdxcz

ମୁମ୍ବାଇ ଭଳି ଅନ୍ୟ ସହରରେ ବି ଆକ୍ରମଣ ଷଡ୍‌ଯନ୍ତ୍ର କରିଥିଲା

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ) ଗତକାଲି ଦିଲ୍ଲୀର ଏକ ଅଦାଲତକୁ କହିଛି ଯେ ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହବୁର ରାଣା ଦେଶର ଅନ୍ୟ ସହରଗୁଡ଼ିକୁ ଟାର୍ଗେଟ କରିବା ପାଇଁ ସମାନ ଆତଙ୍କବାଦୀ ଆକ୍ରମଣ ଷଡ୍‌ଯନ୍ତ୍ର କରିଥିଲା। ପଟିଆଲା ହାଉସ୍ କୋର୍ଟରେ ସ୍ୱତନ୍ତ୍ର ବିଚାରପତି ଚନ୍ଦର ଜିତ୍ ସିଂହଙ୍କ ନିକଟରେ ଏନ୍‌ଆଇଏ ଏହି ଦାବି କରିବା ପରେ କୋର୍ଟ ରାଣାକୁ ୧୮ ଦିନିଆ ଏନ‌୍ଆଇଏ ହେପାଜତକୁ ପଠାଇ ଦେଇଛନ୍ତି। ୨୬/୧୧ ମୁଖ୍ୟ ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା ପ୍ରତି ୨୪ ଘଣ୍ଟାରେ କରିବା ସହ ପ୍ରତିଦିନ ତାକୁ ଏନ୍‌ଆଇଏ ଅଧିକାରୀଙ୍କ ଉପସ୍ଥିତିରେ ତା’ ଓକିଲଙ୍କୁ ଭେଟିବାକୁ ଅନୁମତି ଦେବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ଏହି ଷଡ଼୍‌ଯନ୍ତ୍ରର ଗଭୀର ସ୍ତରକୁ ଉନ୍ମୋଚନ କରିବା ଉଦ୍ଦେଶ୍ୟରେ ବ୍ୟାପକ ପଚରାଉଚରା କରିବା ପାଇଁ ରାଣାକୁ ଲମ୍ବା ରିମାଣ୍ଡରେ ନେବା ଜରୁରୀ ବୋଲି ବିବେଚନା କରାଯାଇଛି। କୋର୍ଟରେ ରାଣାକୁ ହାଜର କରିବା ସମୟରେ ଏନ୍‌ଆଇଏ ଡିଆଇଜି, ଜଣେ ଆଇଜି ଏବଂ ଦିଲ୍ଲୀ ପୁଲିସର ୫ ଜଣ ଡିସିପି ଉପସ୍ଥିତ ଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *