Uncategorized

ଦାଦନ ଶ୍ରମୀକରୁ ଡାକ୍ତର …

ଦାଦନ ଶ୍ରମୀକରୁ ଡାକ୍ତର …

ଭୁବନେଶ୍ବର୨୭-୦୯-୨୦୨୫(ଏସ.ଏମ ) :  ସ୍ବପ୍ନ ! ଆଖିରେ ଦେଖାଯାଏ କିନ୍ତୁ କର୍ମ ଓ ଶ୍ରମରେ ସତ ହୁଏ । ସ୍ବପ୍ନ ତ ସମସ୍ତେ ଦେଖନ୍ତି କିନ୍ତୁ ସେ ସ୍ବପ୍ନକୁ ପୂରଣ ଖୁବ୍ କମ୍ ମଣିଷ କରନ୍ତି । ମାତ୍ର ସେ ସ୍ବପ୍ନକୁ ସତ କରିବାକୁ ଯେବେ ନିଷ୍ଠାର ସହ ପରିଶ୍ରମ କରାଯାଏ ତେବେ ସେହି ଶ୍ରମ ଆଗରେ ସମୟ ବି ନତ ମସ୍ତକ ହୋଇ ସଫଳତାକୁ ହାତ ପାହାନ୍ତାରେ ଆଣି ଧରାଇଦିଏ… ହଁ ! ସ୍ବପ୍ନ ପଛରେ ସଂଘର୍ଷ ଅନେକ ଥାଏ… ଗରିବି, ଅଭାବ ବି ସ୍ବପ୍ନକୁ ସତ କରିବାକୁ ଆହୁରି ଶକ୍ତି ଯୋଗାଏ… ଯାହାର ବଡ଼ ଉଦାହରଣ ଆସିଛି  ବାଣପୁର ମୁଦୁଲିଡିହ ଗାଁରୁ…

WhatsApp Image 2025-09-01 at 17.49.38

ଶୁଭମ୍ ଶବର ! ୧୯ ବର୍ଷୀୟ ଆଦିବାସୀ ଛାତ୍ର । ଗରିବ ଘରେ ଜନ୍ମ ହୋଇଥିବା ଜଣେ ମେଧାବୀ ଛାତ୍ର ହେଉଛନ୍ତି ଶୁଭମ୍ । ଯିଏ ପ୍ରଥମେ ନିଜ ଗ୍ରାମର ସରକାରୀ ବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବା ପରେ ଯୁକ୍ତ ଦୁଇ ପଢ଼ିବା ପାଇଁ ଭୁବନେଶ୍ବରକୁ ଆସିଥିଲେ । ଭୁବନେଶ୍ବରର ବିଜେବି କଲେଜରେ ଯୁକ୍ତଦୁଇ ପାଠ ପଢ଼ିଥିଲେ । ଯୁକ୍ତ ଦୁଇରେ ଭଲ ନମ୍ବର ବି ରଖି ପାସ୍ କରିଥିଲେ । ପ୍ଲସଟୁ ସରିବା ପରେ ଦୁଇଜଣ ଶିକ୍ଷକ ତାଙ୍କୁ MBBS କରିବାକୁ ପରାମର୍ଶ ଦେଇଥିଲେ । ମାତ୍ର ନିଟ୍ ପରୀକ୍ଷା କଣ ଶୁଭମ୍ ଜାଣିନଥିବାରୁ ସେ ଦ୍ବନ୍ଦ୍ବରେ ରହିଥିଲେ । ମାତ୍ର ସେମାନେ ତାଙ୍କୁ ଏଥିପାଇଁ ପ୍ରେରଣା ଦେଇଥିଲେ। ତା’ପରେ, ଶୁଭମ ବ୍ରହ୍ମପୁର ଯାଇ NEET ପରୀକ୍ଷା ପାଇଁ ଗୋଟିଏ ବର୍ଷ ପ୍ରସ୍ତୁତି କରିଥିଲେ। ଆଉ ପରୀକ୍ଷା ମଧ୍ଯ ଦେଇଥିଲେ । ପରୀକ୍ଷା ଦେବା ପରେ ଘରକୁ ଫେରି କିଛି ଦିନ ରହିବା ପରେ ଘରର ପରିସ୍ଥିତି ଓ ଭବିଷ୍ୟତର ପାଠପଢ଼ା ପାଇଁ ଟଙ୍କା ଦରକାର ଭାବି ସେ ଦାଦନ ଖଟିବା ପାଇଁ ବେଙ୍ଗାଲୁରୁ ବାହାରି ଯାଇଥିଲେ । ସେଠାରେ ସେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଯେଉଁଠି ତାଙ୍କୁ ମାସିକ ୧୫ ହଜାର ଟଙ୍କା ମିଳୁଥିଲା । ସେଠାରେ ରହିବା ଓ ଖାଇବା ବାବଦକୁ ୫ ହଜାର ଚାଲିଯାଉଥିବା ବେଳେ ନିଜ ପାଠପଢ଼ା ପାଇଁ କିଛି ଟଙ୍କା ନିଜ ପାଖରେ ରଖି ବଳକା ଟଙ୍କା ନିଜ ଘରକୁ ପଠାଉଥିଲେ । 

New Project (1)

ତେବେ ଦିନେ ସେ କମ୍ପାନୀରେ କାମ କରୁଥିବା ବେଳେ ଉକ୍ତ ସାରଙ୍କ ଫୋନ୍ ଆସିଥିଲା । ସମ୍ପୃକ୍ତ ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷକ ତାଙ୍କୁ ଫୋନ୍ କରି ଜଣାଇଥିଲେ ଯେ- ସେ ନିଟ୍ ପରୀକ୍ଷାରେ ଭଲ ରାଙ୍କ୍‌ ରଖିବା ସହ ଏମକେସିଜି ମେଡିକାଲରେ ଡ଼ାକ୍ତରୀ ପାଠ ପଢ଼ିବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହା ଜାଣିବା ପରେ ସେ ପ୍ରଥମେ ବିଶ୍ବାସ କରିପାରିନଥିଲେ । ସ୍ବପ୍ନ କେମିତି ଓ କେତେବେଳେ ସତ ହୋଇ ଆସେ ତାହା କେହି ପାରିବେନି ବୋଲି ଭାବି ଭାବପ୍ରବଣ ହୋଇଥିଲେ । ପ୍ରଥମ ପ୍ରୟାସରେ ସେ ଏହି ସଫଳତା ପାଇଥିବା ବେଳେ ଏହି ଖୁସି ଖବର ନିଜ ପରିବାର ଲୋକଙ୍କୁ କହିବା ସହିତ ବ୍ରହ୍ମପୁରକୁ ଫେରି ଆସିଥିଲେ । ବର୍ତ୍ତମାନ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଡ଼ାକ୍ତରୀ ପାଠ ପଢ଼ିବା ନିମନ୍ତେ ନାମ ଲେଖାଇଛନ୍ତି ଶୁଭମ । ବହୁ ବାଧାବିଘ୍ନରେ ମେଡିକାଲ ପାଠପଢ଼ିବା ନିମନ୍ତେ ନାମ ଲେଖାଇଥିବା ବେଳେ ଭବିଷ୍ୟତରେ ଡ଼ାକ୍ତର ହୋଇ ଗାଁରେ ରହିଥିବା ସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରିବି ବୋଲି କହିଛନ୍ତି ଶୁଭମ ।

WhatsApp Image 2025-09-01 at 17.49.59

ସଫଳତା ପାଇଁ ତାଙ୍କ ଶିକ୍ଷକ ଏବଂ ପିତାମାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶୁଭମ୍। ତେବେ ପୁଅର ସଫଳତାରେ ଖୁସି ହୋଇ ମାଆ ରଙ୍ଗି ଶବର କହିଛନ୍ତି- ମୋ ପୁଅ ଶୁଭମ କଠିନ ପରିଶ୍ରମ କରିଛି ଏବଂ ଆମେ ଉଭୟ ବାପାମାଆ ମଧ୍ୟ ତା’ର ଉଚ୍ଚଶିକ୍ଷା ପାଇଁ କଠିନ ପରିଶ୍ରମ କରିଥିଲୁ । ଆମେ ତା’ର ପାଠପଢ଼ା ପାଇଁ ଋଣ କରିଥିଲୁ। ପୁଅର ବାପା ମୋତେ କହୁଥିଲେ ଯଦି ସେ ନିଟ୍ ପାସ୍ କରିପାରିବ ନାହିଁ ତେବେ ଆମେ କିପରି ଋଣ ପରିଶୋଧ କରିବୁ । କିନ୍ତୁ ମୁଁ ତାକୁ ଆଶ୍ୱାସନା ଦେଇଥିଲି ଯେ ସେ ନିଶ୍ଚିତ ଭାବରେ ପାସ୍ କରିବ କାରଣ ସେ ଜଣେ ମେଧାବୀ ଛାତ୍ର। ଆମେ ବହୁତ ଚିନ୍ତାରେ ଥିଲୁ । ଘରର ପରିସ୍ଥିତି ସଜାଡିବାକୁ ସେ ବେଙ୍ଗାଲୁରୁ ଯିବାକୁ ବାହାରିଥିଲା । ଆମେ ତାକୁ ବିରୋଧ କରୁଥିଲୁ କିନ୍ତୁ ସେ ଆମ କଥା ଶୁଣି ନଥିଲା । ମୁଁ ସରକାରଙ୍କୁ ମୋ ପୁଅକୁ ଡାକ୍ତରୀ ପାଠପଢ଼ା ପାଇଁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲି ଏବଂ ମୁଁ ଇଚ୍ଛା କରୁଛି ଯେ ସେ ଡାକ୍ତର ହେବା ପରେ ଆମ ଆଦିବାସୀ ଗାଁର ଲୋକଙ୍କ ସେବା କରୁ ବୋଲି…

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *