ଦିନଦ୍ବିପ୍ରହରରେ ବିଚ୍ ରାସ୍ତାରେ ପୁଲିସ ଉପରେ ଆକ୍ରମଣ
ଦିନଦ୍ବିପ୍ରହରରେ ବିଚ୍ ରାସ୍ତାରେ ପୁଲିସ ଉପରେ ଆକ୍ରମଣ
ଅନ୍ୟକୁ ସୁରକ୍ଷା ଯୋଗାଇବା ପାଇଁ ନ୍ୟସ୍ତ ଥିବା ପୁଲିସ ଅଧିକାରୀଙ୍କ ଉପରେ ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ଆକ୍ରମଣ ହେବା ଘଟଣା ଏବେ ପୁଲିସର ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଫୁଲବାଣୀ ୨୭-୦୨-୨୦୨୬(ଏସ .ଏମ ) : ଅନ୍ୟକୁ ସୁରକ୍ଷା ଯୋଗାଇବା ପାଇଁ ନ୍ୟସ୍ତ ଥିବା ପୁଲିସ ଅଧିକାରୀଙ୍କ ଉପରେ ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ଆକ୍ରମଣ ହେବା ଘଟଣା ଏବେ ପୁଲିସର ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। କନ୍ଧମାଳ ପୁଲିସ କେବଳ ମାଓ ଦମନରେ ବ୍ୟସ୍ତ ରହୁଥିବାବେଳେ ଜିଲ୍ଲାରେ ଏବେ ଆଇନଶୃଙ୍ଖଳା ବିଗିଡ଼ି ଯାଇଛି। ଏଭଳି ଏକ ବିଚିତ୍ର ସ୍ଥିତି ଆଜି ଫୁଲବାଣୀ ସହରରେ ଦେଖିବାକୁ ମିଳିଛି। ଆଜି ଫୁଲବାଣୀ ସହରର ସାଇ ମନ୍ଦିର ନିକଟରେ ଜଣେ ପୁଲିସ କନଷ୍ଟେବଳଙ୍କୁ ଦିନ ଦ୍ବିପ୍ରହରରେ ଦୁଇ ଜଣ ମଦ୍ୟପ ଯୁବକ ମରଣାନ୍ତକ ଆକ୍ରମଣ କରିବା ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଦିନ ୧୧ଟା ସମୟରେ ସ୍ଥାନୀୟ ସାଲୁଙ୍କୀସାହିର ଯୁବକ ସନ୍ତୋଷ ପ୍ରଧାନ ଓ ଅଞ୍ଜନ ସ୍ବାଇଁ ନାମକ ଦୁଇ ଜଣ ଯୁବକ ଏବଂ ବିନା ବର୍ଦ୍ଦିରେ ଥିବା ପୁଲିସ କନଷ୍ଟେବର ମନୋରଞ୍ଜନ ସାବତଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହି ଯୁକ୍ତିତର୍କ ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ, ଯୁବକ ଦୁଇଜଣ ପୁଲିସ କନେଷ୍ଟେବଳ ମନୋରଞ୍ଜନଙ୍କୁ ତଳେ ପକାଇ ବେକ, ଛାତି ଓ ମୁହଁରେ ଗୋଇଠା ମାରିଥିଲେ।
ଛୁରୀରେ ମଧ୍ୟ ଆକ୍ରମଣ କରିଥିଲେ। ଉପସ୍ଥିତ ଲୋକେ ଏହି ଦୃଶ୍ୟ ଦେଖୁଥିବାବେଳେ ଭୟରେ କେହି ବି ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରିବାକୁ ଆସି ନଥିଲେ। କିଛି ଦୂରରେ ଥିବା କେତେଜଣ ସାମ୍ବାଦିକ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ପୁଲିସ କନଷ୍ଟବଳକୁ ଉଦ୍ଧାର କରିଥିଲେ। ଏହା ପରେ ସମ୍ପୃକ୍ତ ପୁଲିସ କନଷ୍ଟବଳକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଫୁଲବାଣୀ ଟାଉନ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୨ ଜଣ ମଦ୍ୟପ ଯୁବକଙ୍କୁ ଗିରଫ କରିଛନ୍ତି।ଏ ନେଇ ଫୁଲବାଣୀ ଆଦର୍ଶ ଥାନାରେ ଏକ ମାମଲା (ନଂ.୬୨/୨୭.୨.୨୦୨୬) ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଆହତ ପୁଲିସ କନଷ୍ଟେବଳଙ୍କ ପତ୍ନୀ ମଧ୍ୟ ଜଣେ ପୁଲିସ କର୍ମଚାରୀ ବୋଲି ସୂଚନା ମିଳିଛି। ଫୁଲବାଣୀ ସହରରେ ଅନ୍ୟ ମାନଙ୍କୁ ସୁରକ୍ଷା ଦେବାର ଦାୟିତ୍ବରେ ଥିବା ଖୋଦ ପୁଲିସ ଅଧିକାରୀଙ୍କ ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିବା ଘଟଣା ଏବେ ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଗତ କିଛି ବର୍ଷ ଧରି ଫୁଲବାଣୀ ସହରରେ ଡ୍ରଗ୍ସ, ଗଞ୍ଜେଇ ଏବଂ ଚୋରା ମଦ କାରବାର ବଢ଼ି ଯାଇଥିବାରୁ ସହରରେ ଚୋରି,ଡକାୟତି ବୃଦ୍ଧି ସାଙ୍ଗକୁ ଆଇନଶୃଙ୍ଖଳା ସ୍ଥିତି ଉପୁଜୁଛି। ପୁଲିସ କେବଳ ମାଓ ଦମନରେ ବ୍ୟସ୍ତ ରହୁଥିବାବେଳେ ଜିଲ୍ଲାର ଆଇନଶୃଙ୍ଖଳା ସ୍ଥିତି ପ୍ରତି ଧ୍ୟାନ ଦେଉନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

