ଦିନରେ ଭୟ ରାତିରେ ଆଶ୍ବସ୍ତି
ଦିନରେ ଭୟ ରାତିରେ ଆଶ୍ବସ୍ତି…
ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷିଲା। ଭୁବନେଶ୍ବର ବି ବାଦ୍ ପଡ଼ିଲାନି। ତେଣୁ ଆଶଙ୍କା ବଢ଼ିଲା ଯେ ସନ୍ଧ୍ୟା ସୁଦ୍ଧା ସ୍ଥିତି ବେହାଲ ହୋଇଯିବ।
ଭୁବନେଶ୍ୱର ୨୯-୧୦-୨୦୨୫(ଏସ.ଏମ ) : ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷିଲା। ଭୁବନେଶ୍ବର ବି ବାଦ୍ ପଡ଼ିଲାନି। ତେଣୁ ଆଶଙ୍କା ବଢ଼ିଲା ଯେ ସନ୍ଧ୍ୟା ସୁଦ୍ଧା ସ୍ଥିତି ବେହାଲ ହୋଇଯିବ। ମୋନ୍ଥା ସ୍ଥଳଭାଗ ଛୁଇଁବା ବେଳେ ରାଜଧାନୀର ବହୁ ଅଞ୍ଚଳ ଜଳବନ୍ଦି ହୋଇଯିବ। ତେଣୁ ବିଏମ୍ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ସମ୍ଭାବ୍ୟ ୩୯ ଜଳବନ୍ଦି ଅଞ୍ଚଳକୁୁ ନେଇ ପ୍ରସ୍ତୁତି ଚାଲିଲା। ୮୬ଟି ବାତ୍ୟା ଆଶ୍ରୟସ୍ଥଳୀ ଖୋଲିଦିଆଗଲା। ଜଳ ନିଷ୍କାସନ ପାଇଁ ଆବଶ୍ୟକ ପରିମାଣର ପମ୍ପସେଟ୍ ସହ ସ୍ବତନ୍ତ୍ର ଦଳକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଗଲଲା। ମାତ୍ର ସନ୍ଧ୍ୟାରେ ଚିତ୍ର ବଦଳିଗଲା। ଦିନର ଭୟ ରାତିକି ନଥିଲା। ମୋନ୍ଥା ସ୍ଥଳଭାଗ ଛୁଇଁଲା, କିନ୍ତୁ ଭୁବନେଶ୍ବରରେ ଟୋପାଏ ବର୍ଷିଲାନି। ରାତିରେ ଲୋକେ ଆଶ୍ବସ୍ତ ହେଲେ। ସେହିଭଳି ବିଏମ୍ସି ମଧ୍ୟ ଶାନ୍ତିରେ ନିଶ୍ବାସ ନେଲା। ବିପର୍ଯୟ ମୁକାବିଲା କରିବାକୁ ନିୟୋଜିତ ଥିବା ଅଧିକାରୀମାନଙ୍କ ମୁଣ୍ଡ ଉପରୁ ବଡ଼ ବୋଝ ଓହ୍ଲାଇଗଲା।
ବାତ୍ୟା ପ୍ରସ୍ତୁତି ନେଇ ଗତ ୨୬ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ କମିସନର୍ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟୁତ୍, ୱାଟ୍କୋ, ସ୍ବାସ୍ଥ୍ୟ, ଡ୍ରେନେଜ୍ ବିଭାଗ ସହ ଅନ୍ୟ ଲାଇନ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ବାତ୍ୟା ପାଇଁ ବିଭିନ୍ନ ବିଭାଗର ନୋଡାଲ୍ ଅଧିକାରୀ ନିଯୁକ୍ତ ହୋଇଥିଲେ। ସମସ୍ତ ବିଭାଗର ନୋଡାଲ୍ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପାଣି, ବିଜୁଳି, ଗମନାଗମନ ଆଦି ଯେଭଳି ପ୍ରଭାବିତ ନ ହୁଏ, ସେ ଦିଗରେ ଦୃଷ୍ଟି ଦେବାକୁ କୁହାଯାଇଥିଲା। ଏଥିପାଇଁ ଆବଶ୍ୟକ ଲୋକବଳ ସହ ଜେସିବି ଓ ଅନ୍ୟ ଗାଡ଼ି, ଇନ୍ଧନ ଆଦି ମହଜୁଦ ରଖିବାକୁ କୁହାଯାଇଥିଲା। ଜେଡ୍ଡିସି(ଜୋନାଲ୍ ଡେପୁଟି କମିସନର୍)ମାନେ ନିଜ ନିଜ ଅଞ୍ଚଳ ନିୟମିତ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ରିପୋର୍ଟ କରିବାର ଥିଲା। ଲୋକଙ୍କଠାରୁ ପ୍ରତ୍ୟକ୍ଷ ଅଭିଯୋଗ ଶୁଣିବା ଓ ସମାଧାନ ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଥିଲା। ନିୟନ୍ତ୍ରଣ କକ୍ଷରେ ୧୦ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ୧୯୨୯ ଟୋଲ୍ଫ୍ରି ନମ୍ବର ସହ ସବୁ ସେକ୍ସନ୍ ତଥା ବିଭାଗର ଟୋଲ୍ ଫ୍ରି ନମ୍ବର ସାମାଜିକ ଗଣମାଧ୍ୟମରେ ଜାରି କରାଯାଇଥିଲା। ବିଏମ୍ସି ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଥିଲେ। ଅଗ୍ନିଶମ ବିଭାଗ ସହ ବି ବିଏମ୍ସି ଅଧିକାରୀମାନେ ଯୋଗାଯୋଗରେ ଥିଲେ। ଡ୍ରେନେଜ୍ ବିଭାଗ ମଧ୍ୟ ୨୮ ଓ ୨୯ ତାରିଖ ପାଇଁ ପ୍ରସ୍ତୁତ ଥିଲା। ପୂର୍ବରୁ ଭୁବନେଶ୍ବର ମହାନଗରରେ ୩୨ଟି ସମ୍ବେଦନଶୀଳ ଅଞ୍ଚଳ ରହିଥିଲା, ଯେଉଁଠି ବର୍ଷା ହେଲେ ଜଳବନ୍ଦି ସମସ୍ୟା ସୃଷ୍ଟି ହୁଏ। ଏହି ଅଞ୍ଚଳ ଉପରେ ଆମେ ନଜର ରଖାଯାଇଥିଲା। ତତ୍କାଳ ଏଠାରୁ ଜଳ ନିଷ୍କାସନ ପାଇଁ ୩୨ଟି ପମ୍ପସେଟ୍ ଏଠାରେ ରଖାଯାଇଥିଲା। ଏଥିସହ ଆଉ ୭ଟି ନୂଆ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରାଯାଇ ୭ଟି ପମ୍ପସେଟ୍ ରଖାଯାଇଥିଲା। ସମୁଦାୟ ୩୯ଟି ପମ୍ପସେଟ୍ ସହ ଅନ୍ୟାନ୍ୟ ଆସବାବ ମହଜୁଦ ରଖାଯାଇଥିଲା।
ରାପିଡ୍ ଆକ୍ସନ୍ ଟିମ୍ ବାତ୍ୟା ଉପରେ ନଜର ରଖି ସ୍ବତନ୍ତ୍ର ଦଳ ଗଠନ କରିଥିଲା। ଗଛ ଭାଙ୍ଗି ରାସ୍ତା ଅବରୋଧ ହେବାର ଜରୁରିକାଳୀନ ପରିସ୍ଥିତିରେ ତାହାକୁ କାଟି ବାହାର କରିବା ପାଇଁ ଟ୍ରି କଟର୍ ଓ ଅନ୍ୟାନ୍ୟ ଯନ୍ତ୍ରପାତି ମହଜୁଦ ରଖିବାକୁ ଅଗ୍ନିଶମ ବିଭାଗକୁ କୁହାଯାଇଥିଲା। ବିଦ୍ୟୁତ୍ସରବରାହ ପ୍ରଭାବିତ ହେଲେ, ଆସ୍କା ଲାଇଟ୍ ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ବି ଅଗ୍ନିଶମ ବିଭାଗକୁ କୁହାଯାଇଥିଲା। ପମ୍ପସେଟ୍, ଗାଡ଼ିମୋଟର, ଟ୍ରି କଟର୍ ଆଦି ପାଇଁ ଆବଶ୍ୟକ ପେଟ୍ରୋଲ୍, ଡିଜେଲ୍ ମହଜୁଦ ରଖାଯାଇଥିଲା। କଣ୍ଟ୍ରୋଲ୍ ରୁମ୍କୁ ଆସୁଥିବା ଅଭିଯୋଗର ତତ୍କାଳ ସମାଧାନ ପାଇଁ କର୍ମଚାରୀମାନେ ୨୪ ଘଣ୍ଟିଆ ରୋଷ୍ଟର୍ ଡ୍ୟୁଟି କରୁଥିଲେ। ଇଡ୍କୋ, ଏନ୍ଏଚ୍, ଆର୍ ଆଣ୍ଡ୍ ବି, ବିଡିଏକୁ ବି ନିଜ ନିଜ ଅଞ୍ଚଳ ପାଇଁ ପ୍ରସ୍ତୁତ ରହିଥିଲେ। ମାତ୍ର ଶେଷରେ ରାତି ହେବା ବେଳକୁ ବାତ୍ୟା ଭୟ ଆପାତତଃ ନଥିଲା। ବିଳମ୍ବିତ ରାତି ସୁଦ୍ଧା ରାଜଧାନୀରେ ଆଶ୍ବସ୍ତି ଖେଳିଯାଇଥିଲା।
ଭୁବନେଶ୍ବରରେ ୧୯ ମିମି ବର୍ଷା…
ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଆଜିଠାରୁ ଭୁବନେଶ୍ବର ଲଗାଣ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ସୂଚନା ମୁତାବକ, ଭୁବନେଶ୍ବରରେ ଆଜି ଦିନରେ ମଧ୍ୟମ ଧରଣର ବର୍ଷା ହୋଇଛି। ସଂଧ୍ୟା ସୁଦ୍ଧା ଭୁବନେଶ୍ବରରେ ୧୯ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ ଉପରେ ନଜର ପକାଇଲେ, ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ମୁଖ୍ୟାଳୟ ତଥା ସତ୍ୟନଗର ଅଞ୍ଚଳରେ ୧୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିଭଳି ଚନ୍ଦ୍ରଶେଖରପୁର ଅଞ୍ଚଳରେ ୧୭ ମିଲିମିଟର, କଳ୍ପନା ଓ ଆଖପାଖ ଅଞ୍ଚଳରେ ୧୮ ମିଲିମିଟର ଏବଂ ଖଣ୍ଡଗିରି, ରେଣ୍ଟାଲ୍ କଲୋନି ଓ ଏହା ଆଖପାଖ ଅଞ୍ଚଳରେ ୧୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
କ୍ୟାପିଟାଲ୍ ହସ୍ପିଟାଲ୍ କର୍ମଚାରୀଙ୍କ ଛୁଟି ବାତିଲ…
ବାତ୍ୟା ମୋନ୍ଥା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ କ୍ୟାପିଟାଲ୍ ହସ୍ପିଟାଲରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ହସ୍ପିଟାଲର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଯେଭଳି ବିଦ୍ୟୁତ୍ ବ୍ୟାଘାତ ନ ଘଟେ ସେଥିପାଇଁ ସବୁ ଜେନେରେଟର୍କୁ ପ୍ରସ୍ତୁତ ରଖିବା ସହିତ ଡିଜେଲ ମହଜୁଦ କରି ରଖାଯାଇଛି। ଔଷଧ ସହ ଜରୁରୀକାଳୀନ ବିଭାଗରେ କର୍ମଚାରୀ ସଂଖ୍ୟା ବୃଦ୍ଧି କରାଯାଇଛି। ଯେପରି କୌଣସି ରୋଗୀ ଆସିଲେ ତାଙ୍କୁ ତୁରନ୍ତ ସବୁ ପ୍ରକାର ଚିକିତ୍ସା ଯୋଗାଇ ଦିଆଯାଇ ପାରିବ ସେ ନେଇ ବ୍ୟବସ୍ଥା କରାଯାଇଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା ରୁପଭାନୁ ମିଶ୍ର କହିଛନ୍ତି।
‘ମୋନ୍ଥା’ ପାଇଁ ରେଡ୍କ୍ରସ୍ର ରିଲିଫ୍ ପ୍ରସ୍ତୁତି…
‘ମୋନ୍ଥା’ ବାତ୍ୟାରେ ପୀଡିତମାନଙ୍କ ପାଇଁ ରିଲିଫ ଯୋଗାଣ ନିମନ୍ତେ ରେଡ୍କ୍ରସ୍ ଭବନରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛିl ଭାରତୀୟ ରେଡ୍କ୍ରସ୍ ସୋସାଇଟି, ଓଡ଼ିଶା ଶାଖାର ଅବୈତନିକ ସଚିବ ଗଣେଶ ଚନ୍ଦ୍ର ପାତ୍ରଙ୍କ ତତ୍ତ୍ବାବଧାନରେ ପ୍ରଥମ ପର୍ଯ୍ୟାୟରେ ତିନି ହଜାରରୁ ଉର୍ଦ୍ଧ୍ୱ ଖାଦ୍ୟ ପୁଡ଼ିଆ ପ୍ରସ୍ତୁତି କରାଯାଉଛି l ଆବଶ୍ୟକ ପଡିଲେ ଆହୁରି ଖାଦ୍ୟପୁଡିଆ କରାଯିବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ଜୁନିୟର ରେଡ୍କ୍ରସ୍, ଯୁବ ରେଡ୍କ୍ରସ୍ର କାଉନସିଲର, ସ୍ୱେଚ୍ଛାସେବୀ, ଆଜୀବନ ସଦସ୍ୟମାନେ ବିଭିନ୍ନ ଜିଲ୍ଲାର ପ୍ରଶାସନ ସହ ମିଶି ତତ୍ପରତାର ସହ କାର୍ଯ୍ୟ କରୁଛନ୍ତି। ନଦୀକୂଳ ତଥା ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ସ୍ଥାନାନ୍ତରଣ କରିବା ତଥା ରନ୍ଧାଖାଦ୍ୟ ବଣ୍ଟନ ଇତ୍ୟାଦି କାର୍ଯ୍ୟରେ ରେଡ୍କ୍ରସ୍ର ସ୍ୱେଚ୍ଛାସେବୀମାନେ ସହଯୋଗ କରୁଛନ୍ତି ବୋଲି ଜୁନିୟର ରେଡ୍କ୍ରସ୍ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ କହିଛନ୍ତି l ବାତ୍ୟା ଦ୍ୱାରା ଯଦି ଅଧିକ କ୍ଷୟକ୍ଷତି ଘଟେ ତେବେ ବାତ୍ୟା ପ୍ରଭାବିତ ଲୋକଙ୍କୁ ଯାଞ୍ଚ ପରେ ପାଲ, ବାସନକୁସନ, ଲୁଗାପଟା ଇତ୍ୟାଦି ଯୋଗାଇ ଦେବାପାଇଁ ରେଡ୍କ୍ରସ୍ ପ୍ରସ୍ତୁତ ଅଛି ବୋଲି କୋଷାଧ୍ୟକ୍ଷ ଲାବଣ୍ୟ ଶବର କହିଛନ୍ତି।
/filters:format(webp)/sambad/media/media_files/2025/10/29/untitled-11-2025-10-29-07-23-15.jpg)
