NewsSportsଖେଳରାଜ୍ୟ

ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା

ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା

ଦିବ୍ୟାଙ୍ଗ ହୋଇ ବି ହାର୍ ମାନି ନାହାନ୍ତି ଗଦାଧର। ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର୍ ମାନିଛି ଅକ୍ଷମତା। ପ୍ରଥମେ ସୁନ୍ଦରସ୍ବାସ୍ଥ୍ୟ ଓ ପରେ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗୋଟିଏ ପରେ ଗୋଟିଏ ପଦକ ଜିତି ଦେଶ, ରାଜ୍ୟ ତଥା ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।

ବ୍ରହ୍ମପୁର/ଭୁବନେଶ୍ୱର ୧୪.୦୪.୨୦୨୫ (ଏସ .ଏମ ) : ଦିବ୍ୟାଙ୍ଗ ହୋଇ ବି ହାର୍ ମାନି ନାହାନ୍ତି ଗଦାଧର। ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର୍ ମାନିଛି ଅକ୍ଷମତା। ପ୍ରଥମେ ସୁନ୍ଦରସ୍ବାସ୍ଥ୍ୟ ଓ ପରେ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗୋଟିଏ ପରେ ଗୋଟିଏ ପଦକ ଜିତି ଦେଶ, ରାଜ୍ୟ ତଥା ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ନିଷ୍ଠା ଓ ଦୃଢ଼ ଇଚ୍ଛାଶକ୍ତି ପାଇଁ ସେ ଅନେକଙ୍କ ଆଦର୍ଶ ପାଲଟିଛନ୍ତି। ଏହି ସଫଳତା ପାଇଁ ସେ ପାଲଟିଛନ୍ତି ଗଞ୍ଜାମର ସୁନାପୁଅ। ଗଦାଧର ସାହୁଙ୍କ ଘର ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ନରେନ୍ଦ୍ରପୁରରେ। ୨୦୦୮ରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇ ଗଦାଧର ୨ଟି ଯାକ ଗୋଡ଼ ହରାଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ତାଙ୍କ ସଂଘର୍ଷ। ସେ ହିଞ୍ଜିଳିକାଟୁ କଲେଜରୁ ଉଚ୍ଚଶିକ୍ଷା ମଧ୍ୟ ଶେଷ କରିଛନ୍ତି। ଗଦାଧର ଦିନେ ମୋବାଇଲରେ ଭାରତର ସର୍ବପ୍ରଥମ ହ୍ବିଲ୍‌ଚେୟାର ବିଡିବିଲ୍‌ଡର ଆନନ୍ଦ ଆର୍ଣ୍ଣଲ୍‌ଡଙ୍କ ସଂପର୍କରେ ଜାଣିବାକୁ ପାଆନ୍ତି। ଆନନ୍ଦ କିପରି ତାଙ୍କ ୨ଟି ଗୋଡ଼ ହରାଇବା ପରେ ଭାଙ୍ଗି ନପଡ଼ି ଜଣେ ସଫଳ ଆଥଲେଟ୍ ଭାବେ ଭାରତ ପାଇଁ ଗୌରବ ଆଣିଛନ୍ତି ତାହା ଗଦାଧରଙ୍କୁ ପ୍ରଭାବିତ କରିଥିଲା। ଆନନ୍ଦଙ୍କୁ ଆଦର୍ଶ ମାନି ଗଦାଧର ଆରମ୍ଭ କରିଥିଲେ ତାଙ୍କ ଯାତ୍ରା। ସୁନ୍ଦରସ୍ବାସ୍ଥ୍ୟ ଏକ ବ୍ୟୟବହୁଳ ପ୍ରତିଯୋଗିତା ହୋଇଥିବା ବେଳେ ଗଦାଧରଙ୍କୁ ଆର୍ଥିକ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥିଲା। ଏହି ସମୟରେ ସେ ଓଡ଼ିଶାର ଜଣେ ବରିଷ୍ଠ ବଡିବଲ୍‌ଡର ବଲାଲ୍ ଖାନ୍‌ଙ୍କ ସଂସ୍ପର୍ଶରେ ଆସନ୍ତି। ବଲାଲ୍ ତାଙ୍କୁ ପ୍ରଶିକ୍ଷଣ ଦେବାର କିଛିଦିନ ମଧ୍ୟରେ ଗଦାଧରଙ୍କ ଅସାଧାରଣ ପ୍ରତିଭା ସ୍ପଷ୍ଟ ହୋଇଯାଇଥିଲା। ଜିଲ୍ଲା ଓ ଉପଖଣ୍ଡସ୍ତରରେ ସେ ପଦକ ଜିଣି ନିଜ ଅଞ୍ଚଳ ପାଇଁ ଗୌରବ ଆଣନ୍ତି।
ଗଦାଧରଙ୍କ ପ୍ରତିଭାକୁ ସାରା ଦୁନିଆରେ ପହଞ୍ଚାଇବା ପାଇଁ ଆଗେଇ ଆସିଥିଲେ ହିଞ୍ଜିଳିକାଟୁର ପ୍ରାକ୍ତନ ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ, ପ୍ରାକ୍ତନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ତତ୍କାଳୀନ ଶେରଗଡ଼ ବିଡିଓ ଶୁଭାଶିଷ ବରାଳ ଓ ଓଡ଼ିଆ ସିନେମା ସୁପରଷ୍ଟାର ଅନୁଭବ ମହାନ୍ତି। ଅନୁଭବ ଆର୍ଥିକ ସହ ମାନସିକସ୍ତରରେ ଗଦାଧରଙ୍କୁ ଉତ୍ସାହିତ କରିଥିଲେ। ଗଦାଧର ଇତିମଧ୍ୟରେ ୨୦ରୁ ଅଧିକ ପଦକ ଜିଣିସାରିଛନ୍ତି। ୨୦୨୧ରେ ସେ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଛାଡ଼ି ଭାରୋତ୍ତୋଳନ ପ୍ରତିଯୋଗିତା ଖେଳିବା ଆରମ୍ଭ କରିଥିଲେ। ୨୦୨୩ରେ ନୂଆଦିଲ୍ଲୀରେ ଆୟୋଜିତ ୨୦ତମ ଜାତୀୟ ବରିଷ୍ଠ ପାରା ଶକ୍ତି ଉରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରି ୬୫ କେଜି ବର୍ଗରେ କାଂସ୍ୟ ଜିଣି ରାଜ୍ୟ ପାଇଁ ଗୌରବ ଆଣିଥିଲେ। ଏଥିପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ରହ୍ମପୁର ଶଶୀଭୂଷଣ ରଥ ମହିଳା ମହାବିଦ୍ୟାଳୟରେ ଅଣଶିକ୍ଷକ କର୍ମଚାରୀ ଭାବେ ନିଯୁକ୍ତି ମିଳିଥିଲା। ଗଦାଧର ଏସିଆନ୍ ଗେମ୍ସରେ ପଦକ ଜିଣି ଦେଶ ପାଇଁ ଗୌରବ ଆଣିବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି। ୨ରୁ ୩ ଘଣ୍ଟା ଜିମ୍‌ରେ ପରିଶ୍ରମ କରିବାକୁ ପଡ଼ୁଥିବା କହିଛନ୍ତି ଗଦାଧର। ସେ ଏତେ ସଫଳତା ପାଇବେ ବୋଲି କେବେ ଭାବି ନଥିଲେ। ନିଷ୍ଠା, କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ଏଠାରେ ପହଞ୍ଚାଇ ପାରିଛି ବୋଲି ସେ ଭାବବିହ୍ବଳ ହୋଇ ପ୍ରକାଶ କରନ୍ତି। ଆଗକୁ ଆହୁରି ଅନେକ ବାଟ ଯିବାକୁ ଅଛି ବୋଲି ଗଦାଧର କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *