ଦେଶ- ବିଦେଶବାଣିଜ୍ୟରାଜନୀତିରାଜ୍ୟ

ଦେଶର ୧ ନମ୍ବର ଜିଲ୍ଲା ହେବ ଝାରସୁଗୁଡ଼ା

ଦେଶର ୧ ନମ୍ବର ଜିଲ୍ଲା ହେବ ଝାରସୁଗୁଡ଼ା !

ଜି୨୦ ସେର୍ପାଙ୍କ ରୋଡ୍‌ମ୍ୟାପ୍‌ ସମୀକ୍ଷା

ଦେଶର ପ୍ରଗତିରେ ଝାରସୁଗୁଡ଼ାର ଅବଦାନ ଗୁରୁତ୍ବପୂର୍ଣ୍ଣ। ଖଣି ଖାଦାନଭରା ଏହି ଜିଲ୍ଲାରେ ଅନେକ ଉନ୍ନତି ହୋଇଥିବାବେଳେ ଆଗକୁ କିଭଳି ଏହି ଧାରା ଜାରି ରହିବ ଓ ଝାରସୁଗୁଡ଼ାକୁ ଦେଶର ୧ ନମ୍ବର ଜିଲ୍ଲାରେ ପରିଣତ କରାଯିବ 

ଝାରସୁଗୁଡ଼ା/ଭୁବନେଶ୍ୱର ୨୦-୦୫-୨୦୨୫(ଏସ.ଏମ ) :  ଦେଶର ପ୍ରଗତିରେ ଝାରସୁଗୁଡ଼ାର ଅବଦାନ ଗୁରୁତ୍ବପୂର୍ଣ୍ଣ। ଖଣି ଖାଦାନଭରା ଏହି ଜିଲ୍ଲାରେ ଅନେକ ଉନ୍ନତି ହୋଇଥିବାବେଳେ ଆଗକୁ କିଭଳି ଏହି ଧାରା ଜାରି ରହିବ ଓ ଝାରସୁଗୁଡ଼ାକୁ ଦେଶର ୧ ନମ୍ବର ଜିଲ୍ଲାରେ ପରିଣତ କରାଯିବ, ସେଥିପାଇଁ ବିସ୍ତୃତ ଆଲୋଚନା ହୋଇଛି। ସୋମବାର ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପୂର୍ବତନ ନୀତି ଆୟୋଗ ସିଇଓ ତଥା ଜି୨୦ ସେର୍ପା ଅମିତାଭ କାନ୍ତ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ଏଭଳି ମତବ୍ୟକ୍ତ କରିଛନ୍ତି। ବୈଠକରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଏସ୍‌ପି ସ୍ମିତ୍‌ ପି. ପରମାରଙ୍କ ସମେତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ କାନ୍ତ ଝାରସୁଗୁଡ଼ା ଆସି ଏହି ସମୀକ୍ଷା ବୈଠକରେ ସାମିଲ ହୋଇଥିବା କହିଛନ୍ତି। ନୀତି ଆୟୋଗ ତଥା ଶିଳ୍ପ କ୍ଷେତ୍ରରେ ରହିଥିବା ତାଙ୍କର ଅଭିଜ୍ଞତା ଆଧାରରେ କିଭଳି ଜିଲ୍ଲାର ଅଧିକରୁ ଅଧିକ ବିକାଶ ହୋଇପାରିବ, ସେ ଦିଗରେ ସମସ୍ତ ଆଲୋଚନା କରାଯାଇଛି। ଏହାର ରିପୋର୍ଟ ସେ ଦିଲ୍ଲୀରେ ଉପସ୍ଥାପନ କରିବେ ବୋଲି ଶ୍ରୀ କାନ୍ତ କହିଥିଲେ। ତେବେ ଜିଲ୍ଲାରେ ଏତେ ସଂଖ୍ୟକ ଶିଳ୍ପାନୁଷ୍ଠାନ ଥିଲେ ହେଁ ଦକ୍ଷତା ଅଭାବରୁ ବାହାର କର୍ମଚାରୀ ଏ‌ଠାରେ ନିୟୋଜିତ ହେଉଛନ୍ତି। ‌ତେଣୁ ଜିଲ୍ଲା ତଥା ଏହି ଅଞ୍ଚଳର ସାମଗ୍ରିକ ଆବଶ୍ୟକତାକୁ ଆଖି ଆଗରେ ରଖି ଏଠାରେ ଏକ ଶିଳ୍ପ ତାଲିମ ଅନୁଷ୍ଠାନ ଖୋଲିବା ଆବଶ୍ୟକତା ରହିଛି।

ଜିଲ୍ଲାରେ ହେବ ଶିଳ୍ପ ତାଲିମ ଅନୁଷ୍ଠାନ
ଉଡ଼ନ୍ତା ପାଉଁଶ ସମସ୍ୟାର ହେବ ସମାଧାନ

ସେହିପରି ଜିଲ୍ଲାରେ ସ୍ବାସ୍ଥ୍ୟ, ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ର କିଭଳି ଅଧିକ ଉନ୍ନତ ହୋଇପାରିବ, ସେ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଉଡ଼ନ୍ତା ପାଉଁଶ (ଫ୍ଲାଇଆସ୍‌) ସମସ୍ୟାର ସ୍ଥାୟୀ ସମାଧାନ, ସହରରେ ସବୁଜୀକରଣ ବୃଦ୍ଧି, ରେଳବାଇ ଓ ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ନେଇ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ବୈଠକ ପରେ ଗଣମାଧ୍ୟମକୁ ବିବୃତି ଦେଇ ଝାରସୁଗୁଡ଼ା ବିଧାୟକ ଶ୍ରୀ ତ୍ରିପାଠୀ କହିଥିଲେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ। ସେ ଅମିତାଭ କାନ୍ତଙ୍କ ଭଳି ଅଭିଜ୍ଞ ବିଶେଷଜ୍ଞଙ୍କୁ ଝାରସୁଗୁଡ଼ା ପଠାଇଛନ୍ତି। ୨୦୩୬ରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନକୁ ଶହେ ବର୍ଷ ପୂରଣ ବେଳକୁ ଝାରସୁଗୁଡ଼ା କିଭଳି ଦେଶର ୧ ନମ୍ବର ଜିଲ୍ଲା ହୋଇସାରିଥିବ, ସେ ବାବଦରେ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଉଛି। ଭୂତଳ ଜଳସ୍ତର ସମସ୍ୟା ହେଉ ବା ପାଉଁଶ ସମସ୍ୟାର ସ୍ଥାୟୀ ନିରାକରଣ; ବିଶ୍ବର ସମସ୍ତ ଅଭିଜ୍ଞ ବ୍ୟକ୍ତିଙ୍କୁ ଆଣି ଏଠାରେ କାମ କରାଯିବ। ମୃତ ଖଣିଗୁଡ଼ିକରେ ପାଉଁଶ ପକାଇବା ନେଇ ଖୁବ୍‌ଶୀଘ୍ର ସରକାର ନୂତନ ଗାଇଡ୍‌ଲାଇନ୍‌ ଆଣୁଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଥିଲେ।

ବୈଠକରେ ସିଏସ୍‌ଆର୍‌ ପାଣ୍ଠି ବିନିଯୋଗ ଉପରେ ଆଲୋଚନା ହୋଇଥିବା ବେଳେ କମିଟି ଏ ନେଇ ବାର୍ଷିକ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରୁ ବୋଲି ଶ୍ରୀ କାନ୍ତ ପରାମର୍ଶ ଦେଇଥିଲେ। ନିଯୁକ୍ତି ମେଳା ଆୟୋଜନ, ରକ୍ତହୀନତା ଦୂରୀକରଣ ପାଇଁ ଆବଶ୍ୟକ ପଦକ୍ଷେପ, ଡାକ୍ତରଖାନାଗୁଡ଼ିକରେ ଖାଲି ପଡ଼ିଥିବା ପଦ ପୂରଣ ସହ ଝାରସୁଗୁଡ଼ାକୁ ଗ୍ରିନ୍‌ ସିଟି କରିବାକୁ ଶ୍ରୀ କାନ୍ତ ପରାମର୍ଶ ଦେଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *