ନବୀନ ନିବାସରେ ପହଞ୍ଚିଲେ ବଡ଼ ନେତା, କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା
ନବୀନ ନିବାସରେ ପହଞ୍ଚିଲେ ବଡ଼ ନେତା, କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା
- ନବୀନ ନିବାସ ଭିତରେ ବିଜେଡି ସଂଖ୍ୟାଲଘୁ ସେଲର ନେତାମାନେ ପହଞ୍ଚି ଗତକାଲି ‘ପାଣ୍ଡିଆନ୍ ଗୋ ବ୍ୟାକ୍’ ନାରା ଦେଇଥିଲେ ।
- ନବୀନଙ୍କୁ ଭେଟିଥିଲେ ।
- କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।
- ଆଜି ଦଳର ବରିଷ୍ଠ ନେତାମାନେ ନବୀନ ନିବାସରେ ପହଞ୍ଚିଛନ୍ତି ।
ଭୁବନେଶ୍ୱର ୦୮-୦୪-୨୦୨୫(ଏସ .ଏମ ) : ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଭିଡ଼ । ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ପ୍ରତାପ ଦେବ, ପ୍ରଣବପ୍ରକାଶ ଦାସ ଓ କଳିକେଶ ସିଂହଦେଓ ନବୀନ ନିବାସରେ ପହଞ୍ଚିଛନ୍ତି । ବିଜେଡିରେ ଲାଗି ରହିଛି କନ୍ଦଳ । ଚରମସୀମାରେ ପହଞ୍ଚିଛି ଦଳୀୟ ନେତାଙ୍କ ମଧ୍ୟରେ ବାକ୍-ଯୁଦ୍ଧ । ନବୀନ ନିବାସରେ ଚାଲିଛି ଘମାଘୋଟ ଆଲୋଚନା । ଦଳରେ ସୃଷ୍ଟି ହୋଇଥିବା ଏହି କନ୍ଦଳକୁ ନେଇ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ୱକଫ୍ ସଂଶୋଧନ ବିଲକୁ ନେଇ ଦଳର ନିଷ୍ପତ୍ତି କେଉଁ ପରିସ୍ଥିତିରେ ବଦଳିଲା ସେ ସଂପର୍କରେ ଆମେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଜଣାଇଛୁ । ସେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆମକୁ ପ୍ରତିଶ୍ରୁତି ଦେଇଛନ୍ତି । ଆମେ ଏବେ ତାଙ୍କ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଛୁ ।

ପଦ୍ମନାଭ କହିଛନ୍ତି, ଯଦି ଦଳର ନିଷ୍ପତ୍ତି ବଦଳିଲା, ତେବେ ସମସ୍ତଙ୍କୁ ନେଇ ନିଷ୍ପତ୍ତି ବଦଳିବାର ଥିଲା । ଖୁବଶୀଘ୍ର ଏହି ବିବାଦରେ ଯବନିକା ପଡିବା ଉଚିତ ବୋଲି କହିଛନ୍ତି ପଦ୍ମନାଭ । ଦଳରେ ଏବେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହା ଦଳ ପାଇଁ କ୍ଷତିକାରକ ବୋଲି କହିଛନ୍ତି ବିଜେଡିର ଏହି ବରିଷ୍ଠ ନେତା । ଅଧିକ ସମୟ ନେଲେ ଠିକ୍ ହେବନି ବୋଲି ସେ କହିଛନ୍ତି ।ୱକଫ୍ ବିଲକୁ ନେଇ ସାଂସଦ ସସ୍ମିତ ପାତ୍ରଙ୍କ ଆଭିମୁଖ୍ୟକୁ ସାଂସଦ ମୁନ୍ନା ଖାନ୍ କଡା ସମାଲୋଚନା ପରେ ତାଙ୍କର ସମର୍ଥକମାନେ ଗତକାଲି ନବୀନ ନିବାସରେ ଗର୍ଜିଥିଲେ । ନବୀନ ନିବାସରେ, ନବୀନଙ୍କ ଆଗରେ କମ୍ପିଥିଲା ‘ପାଣ୍ଡିଆନ ଗୋ ବ୍ୟାକ୍ ନାରା’ । ଦିନେ ଯିଏ ଦଳର ତଥାକଥିତ ସର୍ବେସର୍ବା ପାଲଟିଥିଲେ ସେହି ‘ପାଣ୍ଡିଆନଙ୍କୁ ତଡ଼, ବିଜେଡି ବଞ୍ଚାଅ’ ନାରା ଦେଇଥିଲେ ଦଳୀୟ ସାଂସଦଙ୍କ ସମର୍ଥକ ।ପାଣ୍ଡିଆନଙ୍କ ଭିତିରିଆ ନିର୍ଦ୍ଦେଶରେ ସସ୍ମିତ ବିଲ୍ ସପକ୍ଷରେ ଭୋଟ୍ ଦେଇଥିବାର ସଙ୍ଗୀନ ଅଭିଯୋଗ ଆଣି ତାଙ୍କୁ ଦଳରୁ ନିଲମ୍ବନ ପାଇଁ ଗର୍ଜନ କରିଥିଲେ ମୁନ୍ନା ଖାନଙ୍କ ସମର୍ଥକ । ସେମାନଙ୍କର ଅଭିଯୋଗ ଯେ, ପାଣ୍ଡିଆନ ପ୍ରଚ୍ଛଦପଟରେ ରହି ସବୁ କରାଇଛନ୍ତି । ତାଙ୍କରି ନିର୍ଦ୍ଦେଶରେ ସସ୍ମିତ ପାତ୍ର ରାଜ୍ୟସଭାରେ ୱାକଫ୍ ବିଲ୍କୁ ସମର୍ଥନ କରିଛନ୍ତି । ତେଣୁ ସସ୍ମିତଙ୍କୁ ତୁରନ୍ତ ବିଜେଡିରୁ ନିଲମ୍ବନ କରାଯାଉ । ଏହା ସହିତ ନବୀନଙ୍କ ଆଗରେ ‘ପାଣ୍ଡିଆନ ତଡ଼ ବିଜେଡି ବଞ୍ଚାଅ’ ନାରା ଦେଇଥିଲେ ସମର୍ଥକ ।