ଅପରାଧରାଜ୍ୟ

ନିଟ୍‌ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ରାକେଟ୍‌ର ପର୍ଦ୍ଦାଫାସ୍‌

ନିଟ୍‌ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ରାକେଟ୍‌ର ପର୍ଦ୍ଦାଫାସ୍‌

  • ୨ ଓଡ଼ିଆଙ୍କ ସମେତ ୪ ଗିରଫ
  • ଏକ ଅନ୍ତଃରାଜ୍ୟ ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛି କମିସନରେଟ୍‌ ପୁଲିସର ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌

    ଭୁବନେଶ୍ବର୦୪.୦୫.୨୦୨୫(ଏସ.ଏମ ) : ନିଟ୍‌ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀଙ୍କୁ ବସାଇ ଡାକ୍ତରୀ ପଢ଼ିବାକୁ ଥିବା ଆଶାୟୀମାନଙ୍କୁ ପ୍ରତିଷ୍ଠିତ ମେଡିକାଲ୍‌ କଲେଜ୍‌ରେ ଭର୍ତ୍ତି କରାଉଥିବା ଏକ ଅନ୍ତଃରାଜ୍ୟ ରୢାକେଟ୍‌ର ପର୍ଦ୍ଦାଫାସ୍‌ କରିଛି କମିସନରେଟ୍‌ ପୁଲିସର ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌। ଜାଲିଆତିରେ ନକଲି ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡ, ଆଧାର କାର୍ଡ, ଏନ୍‌ଆର୍‌ଆଇ ସାର୍ଟିଫିକେଟ୍‌ ଆଦି ବିଭିନ୍ନ ଡକ୍ୟୁମେଣ୍ଟ୍‌ ପ୍ରସ୍ତୁତ କରି ଅସଲି ଆଶାୟୀଙ୍କ ଜାଗାରେ ନକଲି ପରୀକ୍ଷାର୍ଥୀ ବସାଉଥିବା ଗ୍ୟାଙ୍ଗ୍‌ର ୨ ଓଡ଼ିଆଙ୍କ ସମେତ ୪ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପଟିଆ ଷ୍ଟାର୍‌ସିଟି କଲୋନିର ସୁନୀଲ ସାମନ୍ତରାୟ, ତମାଣ୍ଡୋ କଳିଙ୍ଗନଗର ଟାଟା ଆରିଆନାରେ ରହୁଥିବା ରୁଦ୍ରନାରାୟଣ ବେହେରା, ଝାଡ଼ଖଣ୍ଡ ହଜାରିବାଗ୍‌ର ପ୍ରିୟଦର୍ଶୀ କୁମାର ଓ ବିହାର ଔରଙ୍ଗାବାଦ୍‌ ଅନ୍‌କୋରା ଗାଁର ଅରବିନ୍ଦ କୁମାର। ସେମାନଙ୍କଠାରୁ ୯୦ ଲକ୍ଷ ଟଙ୍କାର ଏକାଧିକ ଚେକ୍‌, କିଛି ବ୍ଲାଙ୍କ୍‌ ଚେକ୍, ୧୮୨ଜଣ ଆଶାୟୀଙ୍କ ଡକ୍ୟୁମେଣ୍ଟ୍‌ ଜବତ କରାଯାଇଛି। ଆସନ୍ତାକାଲି ନିଟ୍‌ ପରୀକ୍ଷାର ଠିକ୍‌ ପୂର୍ବରୁ ପୁଲିସର ଏହି ଚଢ଼ଉ ରୢାକେଟ୍‌ର କୋଟିକୋଟି ଟଙ୍କାର କାରବାରକୁ ବିଗାଡ଼ି ଦେଇଛି। ଭୁବନେଶ୍ବର ଏକ ଗେଷ୍ଟ୍‌ହାଉସ୍‌ରେ ଡିଲ୍‌ ଚାଲିଥିବା ବେଳେ ଚଢ଼ଉ କରାଯାଇଥିଲା।

     

    ୯୦ଲକ୍ଷ ଟଙ୍କାର ଚେକ୍‌, ଜାଲ୍‌ ଆଡ୍‌ମିଟ୍‌ କାର୍ଡ ଓ ଏନ୍‌ଆର୍‌ଆଇ ସାର୍ଟିଫିକେଟ୍‌ ଜବତ

    ପୁଲିସ କମିସନର୍‌ ସୁରେଶ ଦେବଦତ୍ତ ସିଂ କହିଛନ୍ତି, ଏଭଳି ଏକ ରୢାକେଟ୍‌ ଭୁବନେଶ୍ବରରେ ସକ୍ରିୟ ଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଏହି ରୢାକେଟ୍‌ର ମାଷ୍ଟରମାଇଣ୍ଡ ଝା଼ଡ଼ଖଣ୍ଡର ପ୍ରିୟଦର୍ଶୀ କୁମାର ଓ ବିହାରର ଅରବିନ୍ଦ କୁମାରକୁ ଓଡ଼ିଶାରୁ ସୁନୀଲ୍‌ ଓ ରୁଦ୍ର ସହଯୋଗ କରୁଥିଲେ। ରାଜଧାନୀରେ ଏକାଧିକ ଆଡ୍‌ମିସନ୍‌ କାଉନ୍‌ସେଲିଂ ଏଜେନ୍‌ସି ଥିବାରୁ  ସୁନୀଲ୍‌ ଓ ରୁଦ୍ର ସେଭଳି କିଛି କେନ୍ଦ୍ରରୁ  ଆଶାୟୀମାନଙ୍କ ତଥ୍ୟ ପାଉଥିଲେ। ସେମାନଙ୍କୁ ପିଛା କରି ଠାବ କରିବା ପରେ ଡିଲ୍‌ କରାଯାଉଥିଲା। ପାସ୍‌ କରାଇବାକୁ ପ୍ରତି ଆଶାୟୀଙ୍କଠାରୁ ସେମାନେ ୨୫ରୁ ୩୦ ଲକ୍ଷ ଟଙ୍କା ନେଉଥିଲେ। ଏମିତିକି ପରେ ବିଭିନ୍ନ ଆଳରେ ଆହୁରି ୫ ଲକ୍ଷ ଟଙ୍କା ଝାଡ଼ି ନେଉଥିଲେ। ଯେଉଁମାନେ ଡିଲ୍‌ରେ ରାଜି ହେଉଥିଲେ ଏବଂ ଧାର୍ଯ୍ୟ ଅନୁସାରେ ଟଙ୍କା ଦେଉଥିଲେ, ସେମାନଙ୍କ ପାଇଁ ନକଲି ପରୀକ୍ଷାର୍ଥୀ ଯୋଗାଡ଼ କରାଯାଉଥିଲା। ପୁଲିସ କମିସନର୍‌ କହିଛନ୍ତି, ନକଲି ପରୀକ୍ଷାର୍ଥୀଙ୍କୁ ବସାଇବା ପାଇଁ କିଛି ସଂସ୍ଥା, ଅନୁଷ୍ଠାନର ଭୂମିକା ଥିବା ସନ୍ଦେହ କରାଯାଉଛି। ତେଣୁ ସେଭଳି ଅନୁଷ୍ଠାନଗୁଡ଼ିକୁ ଚିହ୍ନଟ କରିବା ସହ ରୢାକେଟ୍‌ର ମୂଳକୁ ଯିବାକୁ ହେବ। ଅଭିଯୁକ୍ତମାନଙ୍କୁ ରିମାଣ୍ଡ୍‌ରେ ଅଣାଯିବ।ପୁଲିସ କମିସନର୍‌ ଆହୁରି କହିଛନ୍ତି ଯେ ଚଢ଼ଉ ପୂର୍ବରୁ ଏହି ଗ୍ୟାଙ୍ଗ୍‌ର ଜଣେ ଖସିଯାଇଛି। ସେ ଏକ ଆଡ୍‌ମିସନ୍‌ କାଉନ୍‌ସେଲିଂ ସଂସ୍ଥାର ସଦସ୍ୟ ବୋଲି ଜଣାପଡ଼ିଛି। ତାକୁ ଗିରଫ କରିବାକୁ ଚଢ଼ଉ ଚାଲିଛି। ଅଭିଯୁକ୍ତ ସୁନୀଲ୍‌ ନାଁରେ ଚାରିଟି ଠକେଇ ମାମଲା ରହିଛି ଏବଂ ପୂର୍ବରୁ ସେ ଇନ୍‌ଫୋସିଟି ଥାନା ପୁଲିସ ଦ୍ବାରା ଗିରଫ ହୋଇଥିଲା। ସେହିଭଳି ପ୍ରିୟଦର୍ଶୀ ଓ ଅରବିନ୍ଦ ପୂର୍ବରୁ ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ତଦନ୍ତର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି। ବଡ଼ କଥା ହେଉଛି ସୁନୀଲ୍‌ ଓ ରୁଦ୍ର ଠକେଇ ଟଙ୍କାରେ ଜଟଣୀ ଅରୁଗୁଳରେ ପ୍ଲଟ୍‌ କିଣିବା ସହ ରାଜଧାନୀର କିଛି ବାର୍‌ ଓ ପବ୍‌ରେ ପୁଞ୍ଜି ବିନିଯୋଗ କରିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *