ଅପରାଧରାଜ୍ୟ

ନିଲାମ ନଥାଇ ଘାଟରୁ ଉଠୁଛି ବାଲି

ନିଲାମ ନଥାଇ ଘାଟରୁ ଉଠୁଛି ବାଲି

କଲ୍ୟାଣପୁରରେ ତାଡ଼ି ବିଦାରି ସାରିଲେଣି

ଭୁବନେଶ୍ୱର ୧୨ – ୦୫ – ୨୦୨୫ (ଏସ .ଏମ ) :  ବିଦାରି ସାରିଲେଣି କୁଆଖାଇର ପ୍ରାକୃତିକ ସୌନ୍ଦର୍ଯ୍ୟ। ତାଡ଼ି ନେଲେଣି ସ୍ବର୍ଣ୍ଣିମ ନଦୀଶଯ୍ୟା। ଲୁଟି ନେଉଛନ୍ତି କୋଟିକୋଟି ଟଙ୍କାର ରାଜସ୍ବ। ବୈଶାଖରେ ଶୁଖିଲା ନଦୀଶଯ୍ୟା ଏଥିପାଇଁ ସୁଯୋଗ ସୃଷ୍ଟି କରିଛି। ନିୟମିତ ରାତି ହେଲେ ଲାଗୁଛି ହାଇୱା, ଟ୍ରକ୍, ଟ୍ରାକ୍ଟର, ଜେସିବି। ଯେଉଁଥିରେ ବଡ଼ବଡ଼ ବାଲିମାଫିଆଙ୍କ ସଂପୃକ୍ତି ରହିଛି। ପ୍ରଛଦପଟରେ ନେତାଙ୍କ ସହଯୋଗରେ ଏମାନେ କୁଆଖାଇରୁ ଅବାଧ ବାଲି ଚୋରିରେ ଲାଗି ପଡ଼ିଛନ୍ତି। ଏମାନେ ଏତେ ପ୍ରଭାବଶାଳୀ ଯେ ଲୋକେ ବି ବିରୋଧରେ ମୁହଁ ଖୋଲିବାକୁ ଡରୁଛନ୍ତି। ଅଧିକାରୀ ଆସିଲେ, ଗାଁ ଲୋକେ ଲୁଚୁଛନ୍ତି, ପଦୁଟିଏ ବି ମୁହଁ ଖୋଲୁନାହାନ୍ତି। ଏଣୁ ଅଧିକାରୀମାନେ ଚଢ଼ଉ କରୁଛନ୍ତି ସତ, କିନ୍ତୁ ଖାଲି ହାତରେ ଫେରୁଛନ୍ତି।

କଲ୍ୟାଣପୁରରେ ତାଡ଼ି ବିଦାରି ସାରିଲେଣି
ଅଭିଯୋଗ ପାଇଛୁ, କାର୍ଯ୍ୟାନୁଷ୍ଠାନ ହେବ: ଖଣି ବିଭାଗ ଉପନିର୍ଦ୍ଦେଶକ

ସେପଟେ ଚଢ଼ଉ ପୂର୍ବରୁ ଏମାନେ ପୂର୍ବସୂଚନା ପାଇ ଖସିଯିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଏହା ଉଭୟ ଖୋର୍ଦ୍ଧା ଓ କଟକ ଜିଲ୍ଲାର ସୀମାନ୍ତ ଅଞ୍ଚଳ ହୋଇଥିବାରୁ ବାଲି ଚୋରି କରି ମାଫିଆମାନେ ସହଜରେ ଖସି ଯାଉଛନ୍ତି। ବଡ଼କଥା ହେଉଛି, ବାଲିଘାଟ ଅଛି, କିନ୍ତୁ ନିଲାମ ଦିଆଯାଇନି। କିନ୍ତୁ ବାଲିମାଫିଆମାନେ ଅବାଧରେ ଏହି ବାଲିଘାଟରୁ ନିୟମିତ ବାଲି ଉଠାଉଛନ୍ତି। କଲ୍ୟାଣପୁର ବାଲିଘାଟ ଏହାର ଜ୍ବଳନ୍ତ ଉଦାହରଣ। କୁଆଖାଇ ନଦୀର ଦୁଇପାର୍ଶ୍ବରେ ନଦୀଶଯ୍ୟାରୁ ଏଭଳି ବାଲି ଚୋରି ନିୟମିତ ହେଉଛି। ବିଶେଷକରି ଭୁବନେଶ୍ବର-କଟକ କୁଆଖାଇ ବ୍ରିଜ୍‌ଠାରୁ ବାମପାର୍ଶ୍ବରେ ବରିମୁଣ୍ଡ, କଲ୍ୟାଣପୁର ଦେଇ କାନପୁର ପର୍ଯ୍ୟନ୍ତ ବିସ୍ତୃତ ବାଲିଶଯ୍ୟାର ଏକାଧିକ ସ୍ଥାନରୁ ବାଲିମାଫିଆମାନେ ଅବାଧ ବାଲିଚୋରି କରୁଛନ୍ତି। କଲ୍ୟାଣପୁରରେ କଲ୍ୟାଣପୁର ‘କ’ ଓ ‘ଖ’, ଏପରି ଦୁଇଟି ବାଲିଘାଟ ରହିଛି। ଏହାର ଟେଣ୍ଡର ପ୍ରକ୍ରିୟା ଚାଲିଛି। ପ୍ରଦୂଷଣ ପ୍ରମାଣପତ୍ର ମିଳିନଥିବାରୁ ବାଲିଉଠାଣ ଅନୁମତି କାହାରିକୁ ଦିଆଯାଇନି। କିନ୍ତୁ ଏହି ଦୁଇଘାଟରୁ ନିୟମିତ ବାଲିଉଠୁଛି। ଏହି ଘାଟକୁ ପ୍ରଶସ୍ତ ରାସ୍ତା ତିଆରି କରାଯାଇଛି। ସ୍ବସ୍ତିବନ ପଡ଼ିଆକୁ ଲାଗି ନଦୀ ଶଯ୍ୟା ଓ ଅନ୍ୟ ଯେଉଁ ଜାଗାରୁ ନିୟମିତ ବାଲି ଚୋରି ହେଉଛି, ଚୋରି ଉଦ୍ଦେଶ୍ୟରେ ଏବେ ବି ସେଠାରେ ବାଲି ଗଦା କରି ରଖାଯାଇଛି। ଗାଁ ଲୋକଙ୍କ କହିବା ମୁତାବକ, ଦିନସାରା ସବୁ ଶୂନ୍‌ଶାନ୍। କିନ୍ତୁ ରାତି ହେଲେ, ଲାଇଟ୍ ଲଗାଇ ଜେସିବି ଜରିଆରେ ବାଲି ତାଡ଼ିବା ପରେ ଟ୍ରକ୍, ଟ୍ରାକ୍ଟର ଲଗାଇ ନିୟମିତ ବାଲି ଚୋରି କରୁଛନ୍ତି। ଅନ୍ଧାର ରାତିରେ କାନପୁରରୁ କଟକ ଆଡ଼କୁ ଯାଇଥିବା ରାସ୍ତା ଦେଇ ଖସିଯିବାକୁ ସହଜ ହେଉଛି।

ବାଲି ମାଫିଆମାନେ୍ ଜିଲ୍ଲା ଓ ଜିଲ୍ଲା ବାହାରକୁ ଅବାଧ ବାଲିଚୋରି କରି ଏଥିରୁ କୋଟି କୋଟି ଟଙ୍କାର ରୋଜଗାର କରୁଛନ୍ତି। କିନ୍ତୁ ଖଣି ବିଭାଗ ଖାତାକୁ ଏଥିରୁ ଟଙ୍କାଟିଏ ବି ଆସୁନି। ଖଣି ବିଭାଗ ଉପନିର୍ଦ୍ଦେଶକ ଦିଲୀପ ସାହୁ କହିଛନ୍ତି, ଆମ ପାଖରେ ଏଭଳି ବାଲି ଚୋରି ସଂପର୍କିତ ଅଭିଯୋଗ ପହଞ୍ଚିଛି। କିନ୍ତୁ ଚଢ଼ଉ ବେଳେ ସହଯୋଗ ମିଳୁନଥିବାରୁ ବାଲିଚୋରିରେ ସଂପୃକ୍ତ ଲୋକେ ଖସିଯାଉଛନ୍ତି। କୁଆଖାଇର କିଛି ଅଞ୍ଚଳ ଭୁବନେଶ୍ବର ଡିସିପିଙ୍କ ଅଧୀନ ଅଞ୍ଚଳରେ ଓ କିଛି ଅଞ୍ଚଳ ଖୋର୍ଦ୍ଧା ଏସ୍‌ପିଙ୍କ ଅଧୀନ ଅଞ୍ଚଳରେ ରହୁଛି। ଚଢ଼ଉ ବେଳେ ଆମେ ଅଞ୍ଚଳ ଦେଖି ପୁଲିସର ସହଯୋଗ ଲୋଡ଼ୁଛୁ। କିନ୍ତୁ ପୁଲିସ ତରଫରୁ ଆମକୁ ସେଭଳି ସହଯୋଗ ମିଳୁନି। ଆବଶ୍ୟକ ପୁଲିସ ବଳ ମିଳୁନଥିବାରୁ ଚଢ଼ଉ ବେଳେ ଅସୁବିଧାର ସମ୍ମୁଖୀନ ହେଉଛୁ। ଆମ ପାଖରେ ବି ମାନବସମ୍ବଳର ଅଭାବ। ତଥାପି ବାଲିଚୋରି ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *