ଅପରାଧରାଜ୍ୟ

ନିଶା ମାଫିଆଙ୍କ କନ୍ଧମାଳ ଭାଙ୍ଗରେ ଆଶା

ନିଶା ମାଫିଆଙ୍କ କନ୍ଧମାଳ ଭାଙ୍ଗରେ ଆଶା

ଭୁବନେଶ୍ବର ଓ ପୁରୀକୁ ଚାଲିଛି ରୀତିମତ ଚାଲାଣ

ନୟାଗଡ଼/ଭୁବନେଶ୍ୱର ୦୨-୦୫-୨୦୨୫(ଏସ.ଏମ ) :  କନ୍ଧମାଳ ଜିଲ୍ଳାର ଗଞ୍ଜେଇର ଚାହିଦା ଅଧିକ ବୋଲି ସମସ୍ତେ ଜାଣନ୍ତି। ମାତ୍ର ଏବେ ଏହି ଜିଲ୍ଳାର ଭାଙ୍ଗ ଉପରେ ନିଶା ମାଫିଆମାନଙ୍କ ନଜର ପଡ଼ିଛି। ସୁବିଧା ସୁଯୋଗ ଦେଖି ସେମାନେ ରୀତିମତ ଭାବେ ଏଠାରୁ ଭାଙ୍ଗ, ଭୁବନେଶ୍ବର ଓ ପୁରୀକୁ ଚାଲାଣ କରୁଛନ୍ତି। ଦୁଇ ଦିନ ତଳେ ଇଟାମାଟି ଥାନା ପୁଲିସ ୧୧ କୁଇଣ୍ଟାଲରୁ ଅଧିକ ଭାଙ୍ଗ ଜବତ କରିବା ପରେ ଏବେ ଏହି ଘଟଣା ଜଣାପଡ଼ିଛି। ଜବତ ହୋଇଥିବା ଭାଙ୍ଗର ମୂଲ୍ୟ ପ୍ରାୟ ୨୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିବା ପରେ ପୁଲିସର ହୋସ୍ ଉଡ଼ିଯାଇଛି। ଜବତ ହୋଇଥିବା ଭାଙ୍ଗ ଭୁବନେଶ୍ବର ଚାଲାଣ ହେଉଥିବା ଜଣାପଡ଼ିବା ପରେ ପୁଲିସ ‌ଏବେ ନିଶା ମାଫିଆମାନଙ୍କ ପାଖରେ ପହଞ୍ଚିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଛି।ଇଟାମାଟି ଥାନା ଗତ ୨୬ ତାରିଖରେ ସିନା ଗୋଟିଏ ପିକଅପ୍ ଜବତ କଲା। ମାତ୍ର ଏହି ରାସ୍ତାରେ ରୀତିମତ ଭାବେ ଗାଡ଼ି ଗାଡ଼ି ଭାଙ୍ଗ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ମୁତାବତ, କନ୍ଧମାଳ ଜିଲ୍ଲା ଭାଙ୍ଗର ଚାହିଦା ଏବେ ଅଧିକ ରହୁଛି। ଯେହେତୁ ଏହି ଜିଲ୍ଳାର ଗଞ୍ଜେଇର ଚାହିଦା ବାହାର ରାଜ୍ୟ ଓ ବଡ଼ ବଡ଼ ସହରରେ ଅଧିକ ରହୁଛି, ଏଣୁ ଏଠାରୁ ବହୁଳ ମାତ୍ରାରେ ଗଞ୍ଜେଇ ଚାଲାଣ କରାଯାଉଛି। ଏ ସମସ୍ତ ନିଶା ସାମଗ୍ରୀ ନୟାଗଡ଼ ରାସ୍ତାରେ ଚାଲାଣ କରାଯାଉଛି। ଯେତେବେଳେ ବିଶ୍ବସ୍ତ ସୁତ୍ରରୁ ଖବର ପାଇ ପୁଲିସ ଚଢ଼ଉ କରୁଛି, ‌ସେତେବେଳେ ଗ‌‌ଞ୍ଜେଇ ଜବତ କରାଯାଉଛି। ଏବେ ଗଞ୍ଜେଇ ସହ ଭାଙ୍ଗ ଉପରେ ମାଫିଆମାନଙ୍କ ନଜର ପଡ଼ିଛି। ପୁଲିସର ଗତିବିଧି ଉପରେ ନଜର ରଖି ମାଫିଆମାନେ ବେଶ୍ ସନ୍ତର୍ପଣରେ ଲକ୍ଷ ଲକ୍ଷ ଟଙ୍କାର ଭାଙ୍ଗ ମଧ୍ୟ କିଣି ନେଉଛନ୍ତି।

ଭୁବନେଶ୍ବର ଓ ପୁରୀକୁ ଚାଲିଛି ରୀତିମତ ଚାଲାଣ
୨୮ ଲକ୍ଷ ଟଙ୍କାର ଭାଙ୍ଗ ଜବତ
ପରେ ଖିଅ ‌ଖୋଜୁଛି ଇଟାମାଟି ଥାନା ପୁଲିସ

ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ଭାଙ୍ଗ ବୋଝେଇ ଗାଡ଼ିକୁ ସୁରକ୍ଷା ଦେବା ପାଇଁ ଏହାର ଆଗେ ଆଗେ କିଛି ଯୁବକ ବାଇକ୍‌ରେ ଆସୁଛନ୍ତି। ଘଟଣା ଘଟିବା ଦିନ ଇଟାମାଟି ଥାନା ପୁଲିସର ଏକ ଗାଡ଼ିକୁ ଏହି ଭାଙ୍ଗ ବୋଝେଇ ପିକଅପ୍ ରାସ୍ତା ଦେଇନଥିଲା। ପୁଲିସ ଗାଡ଼ି ବାରମ୍ବାର ହର୍ଣ୍ଣ ମାରୁଥିଲେ ମଧ୍ୟ ଉକ୍ତ ପିକଅପଟି ରାସ୍ତା ଦେଇନଥିଲା। ଫଳରେ ବାଧ୍ୟ ହୋଇ ପୁଲିସ ଯେତେ‌ବେଳେ ଏହି ଗାଡ଼ିକୁ ଅତିକ୍ରମ କରି ଏହା ସାମ୍ନାରେ ରହିଥିଲା, ପିକ୍‌ଅପରେ ବସିଥିବା ଦୁଇ ଜଣ ଓହ୍ଲାଇ ସେଠାରୁ ଦୌଡ଼ି ପଳାଇଥିଲେ। ପୁଲିସ ସେମାନଙ୍କୁ ଗୋଡ଼ାଇ ମାଡ଼ି ବସିଥିବା ବେଳେ ସେମାନଙ୍କ ମୋବାଇଲ ଯାଞ୍ଚ କରି ଏହି ପିକ୍‌ଅପ୍‌କୁ ସୁରକ୍ଷା ଦେଇ ବାଇକରେ ଯାଉଥିବା ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି। ଏତେ ପରିମାଣ ଭାଙ୍ଗ ଭୁବନେଶ୍ବରକୁ ଚାଲାଣ କରାଯାଉଥିଲା ବୋଲି ଗିରଫ ହୋଇଥିବା ଯୁବକମାନେ କହିଥିଲେ। ଏଣୁ ପୁଲିସ ଏବେ ଭୁବନେଶ୍ବରର କେଉଁ ମାଫିଆ ଏହି ଭାଙ୍ଗ କିଣୁଥିଲେ ଓ କନ୍ଧମାଳରୁ କିଏ ଏହାକୁ ଚାଲାଣ କରିଥିଲେ, ଏହାର ଏବେ ଇଟାମାଟି ଥାନା ପୁଲିସ ତଦନ୍ତ ଆରମ୍ଭ ଚଳାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *