ନୀଳମାଧବ ଆବାସରେ ଥମୁନି ଝାଡ଼ାବାନ୍ତି
ନୀଳମାଧବ ଆବାସରେ ଥମୁନି ଝାଡ଼ାବାନ୍ତି
୫ ଦିନ ବିତିଗଲାଣି। ଡାକ୍ତରୀ ଦଳ ଡେରା ପକାଇ ବସିଛନ୍ତି। ଔଷଧ ବଣ୍ଟନ ହେଉଛି। ତା’ସତ୍ତ୍ବେ ମଧ୍ୟ ନୀଳମାଧବ ଆବାସରେ ନିୟନ୍ତ୍ରଣକୁ ଆସିପାରୁନି ଝାଡ଼ାବାନ୍ତି। ଆଜି ମଧ୍ୟ ୧୬ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।
ଭୁବନେଶ୍ୱର ୧୭-୦୪-୨୦୨୫(ଏସ.ଏମ ) :(ବିଜୟ କୁମାର ପଣ୍ଡା ) ୫ ଦିନ ବିତିଗଲାଣି। ଡାକ୍ତରୀ ଦଳ ଡେରା ପକାଇ ବସିଛନ୍ତି। ଔଷଧ ବଣ୍ଟନ ହେଉଛି। ତା’ସତ୍ତ୍ବେ ମଧ୍ୟ ନୀଳମାଧବ ଆବାସରେ ନିୟନ୍ତ୍ରଣକୁ ଆସିପାରୁନି ଝାଡ଼ାବାନ୍ତି। ଆଜି ମଧ୍ୟ ୧୬ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ୧୯ ନମ୍ବର ବ୍ଲକରୁ ଆରମ୍ଭ ହୋଇଥିବା ଝାଡ଼ାବାନ୍ତି ସଂକ୍ରମଣ ଏବେ ଗୋଟିଏ ପରେ ଗୋଟିଏ ବ୍ଲକକୁ ବ୍ୟାପୁଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗୋଟିଏ ପଟେ ଡାକ୍ତରୀ ଦଳ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଆକ୍ରାନ୍ତଙ୍କୁ ଔଷଧ ବାଣ୍ଟୁଛନ୍ତି। ଆଉ ଅନ୍ୟପଟେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଲୋକେ ପୂଜାପାଠ କରୁଛନ୍ତି। ଯଦି ଖୋଦ୍ ରାଜଧାନୀ ଭୁବନେଶ୍ବରରେ ଏଭଳି ଦେଖିବାକୁ ମିଳିଛି ତେବେ ଉପାନ୍ତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କେଉଁଭଳି ଭରସା ଓ ବିଶ୍ବାସ ରହିଛି ତାହା ସ୍ପଷ୍ଟ ଅନୁମେୟ।ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଦୂଷିତ ପାଣି ପିଇ ଝାଡ଼ାବାନ୍ତି ହୋଇଥିବା ସ୍ପଷ୍ଟ ହେବା ପରେ ଏବେ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ୫୦୭ ହିତାଧିକାରୀଙ୍କୁ ଚାବି ହସ୍ତାନ୍ତର କରି ବିଡିଏ ନିଜର କାମ ସାରିଦେଇ ଚୁପ୍ ବସିପଡ଼ିଛି। ପାଣି ଟାଙ୍କି ସଫା ହେଉଛି କି ନାହିଁ? ଲୋକଙ୍କୁ କିଭଳି ମୌଳିକ ସୁବିଧା ମିଳୁଛି? ଏସବୁ ବିଷୟରେ ବୁଝିବାକୁ କେହି ରହିଲେ ନାହିଁ। ପରିଣାମ ସ୍ବରୂପ ଏବେ ରାଜଧାନୀର ଏହି ପ୍ରମୁଖ ଅଞ୍ଚଳରେ ଝାଡ଼ାବାନ୍ତି ଉଗ୍ରରୂପ ଧାରଣ କରିଛି। ଯେଉଁଠି ପିଇବା ପାଣି ବୋରିଂ ରହିଛି ତାହାରି ପାଖରେ ଅଳିଆ ସଂଗ୍ରହ କରୁଥିବା ସଂସ୍ଥା ଆବର୍ଜନା ପକାଇ ଦେଉଥିଲା। ଏମିତିକି ଦେଢ଼ଶହରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଅଳିଆ ଗାଡ଼ି ଆବର୍ଜନା ଉଠାଇ ନ ଥିଲା। ଆଜି ମେୟର ସୁଲୋଚନା ଦାସ ଆସୁଥିବା ଜାଣିବା କ୍ଷଣି ସେହି ସ୍ଥାନକୁ ସଫେଇ କରାଯାଇଥିଲା।
ପୁଣି ୧୬ ଆକ୍ରାନ୍ତ, କାମ ଦେଉନି ଚିକିତ୍ସା
ହିତାଧିକାରୀଙ୍କୁ ଚାବି ଧରାଇ ବିଡିଏ ଭୁଲିଗଲା
ଦୁଇ ବର୍ଷ ହେଲା ପାଣି ଟାଙ୍କି ସଫା ହୋଇନି
ବୋରିଂ ପାଖରେ ଜମା ହେଉଥିଲା ଆବର୍ଜନା
ଚିକିତ୍ସା ଯୋଗାଇବାକୁ ପଡ଼ିରହିଛି ମେଡିକାଲ ଟିମ୍
ରାଜଧାନୀରେ ବି ଲୋକେ ଅନ୍ଧବିଶ୍ବାସ ଆକ୍ରାନ୍ତ
ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପୂର୍ବରୁ ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ୩ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଖୋଦ୍ ଏଡିୟୁପିଏଚଓ ନୀଳମଣି ସେନାପତି ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଡିପିଏଚ୍ଓ ତଥା ୟୁଏମଏସୟୁର ନୋଡାଲ ଅଫିସର ପ୍ରମିଳା ବରାଳଙ୍କ ତତ୍ତ୍ୱାବଧାନରେ ଅର୍ବାନ୍ ମେଟ୍ରୋପଲିଟାନ ସର୍ଭିଲାନ୍ସ ୟୁନିଟ୍ର ମାଇକ୍ରୋବାୟୋଲୋଜିଷ୍ଟ, ଫୁଡ୍ ସେଫ୍ଟି ଏକ୍ସପର୍ଟ, କମ୍ୟୁନିକେସନ୍ ସ୍ପେସାଲିଷ୍ଟ ଓ ଏପିଡେମିଓଲୋଜିଷ୍ଟ ଘରକୁ ଘର ବୁଲି ତଦନ୍ତ କରିଥିଲେ। ଏଥିସହ ଔଷଧ ଓ ଓଆରଏସ୍ ବିତରଣ କରିବା ସହ ଲୋକଙ୍କୁ ସଚେତନ କରାଇଛନ୍ତି। ଉକ୍ତ ସ୍ଥାନରୁ ଜଳ ନମୁନା ସଂଗ୍ରହ କରାଯାଇ ୟୁଏମ୍ଏସ୍ୟୁର ପରୀକ୍ଷାଗାରରେ ଜଳର ମାନ ପରୀକ୍ଷା କରାଯାଇଛି। ସେଠାରେ ଥିବା ଏକ ସମ୍ପ୍ ଜଳ ପିଇ ଏଭଳି ହୋଇଥିବା କୁହାଯାଉଛି। ତେବେ ଜଳ ଦୂଷିତ ଥିବା ଜଣାପଡ଼ିବା ପରେ ସ୍ୱାସ୍ଥ୍ୟ ବିଭାଗ ସାନିଟେସନ୍ ଡିପାର୍ଟମେଣ୍ଟକୁ କହି କ୍ଲୋରିନେସନ କରାଇଛନ୍ତି। ଆକ୍ରାନ୍ତ ହୋଇଥିବା ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
୫ ଦିନ ପରେ ମେୟରଙ୍କ ପାଦପଡ଼ିଲା
ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଆଜି ଭୁବନେଶ୍ବର ମେୟର ସୁଲୋଚନା ଦାସ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି। ବିଏମ୍ସି ସ୍ବାସ୍ଥ୍ୟ, ପରିମଳ ଓ ଡ୍ରେନେଜ୍ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାରଙ୍କ ସମେତ କର୍ପୋରେଟରମାନଙ୍କୁ ନେଇ ଗଠିତ ଏକ ଟିମ୍ ଘଟଣାସ୍ଥଳ ବୁଲି ଦେଖିଥିଲେ। ମେଡିକାଲ ଟିମ୍ର ସ୍ବାସ୍ଥ୍ୟ ପରୀକ୍ଷା ସ୍ଥଳ ସମେତ ସମ୍ପୂର୍ଣ୍ଣ ଆବାସ ଅଞ୍ଚଳ ବୁଲି ଟିକିନିଖି ଦେଖିଥିଲେ। ଶ୍ରୀମତୀ ଦାସ କହିଛନ୍ତି, ଖବର ମିଳିବା ପରେ ମେଡିକାଲ ଟିମ୍ ଏଠାକୁ ଆସିଥିଲା। ସର୍ଭେଲାନ୍ସ ଦଳ ମଧ୍ୟ ଯାଞ୍ଚ କରି ଫେରିଛନ୍ତି। ଆକ୍ରାନ୍ତଙ୍କୁ ଔଷଧ ଯୋଗାଇ ଦିଆଯାଉଛି। ଦୂଷିତ ପାଣିରୁ ବ୍ୟାପିଥିବା ଜଣାପଡ଼ିବା ପରେ ଗତକାଲି ବିଭିନ୍ନ ବ୍ଲକରୁ ପାଣି କଢ଼ାଯାଇ ତାହାକୁ ବିଶୋଧନ କରାଯାଇଥିଲା। ଆଜି ମଧ୍ୟ ଆଉ ଥରେ ସଫା କରିବା ଦିଗରେ ପଦକ୍ଷେପ ନିଆଯାଇଛି। ଏବେ ଏଠାରେ ମାତ୍ର ୧୨ଜଣ ଆକ୍ରାନ୍ତ ଅଛନ୍ତି। ଘରେ ଚିକିତ୍ସିତ ହୋଇ ଭଲ ହେଉଛନ୍ତି। ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ। ଲୋକଙ୍କୁ କିଭଳି ବିଶୁଦ୍ଧ ପାଣି ମିଳିପାରିବ ସେନେଇ ୱାଟ୍କୋ ସହ ଆମେ କଥା ହୋଇଛୁ। ଏଠାକାର ପାଣି ଯାଞ୍ଚ ହେଉଛି। ବିଡିଏ ପକ୍ଷରୁ ଟାଙ୍କି ସଫା କରାଯାଇ ତାହାକୁ ହସ୍ତାନ୍ତର କରାଯାଇଥିଲା। ପରେ ଲୋକେ ସ୍ବତଃପ୍ରବୃତ୍ତ ଭାବେ ପାଣି ଟାଙ୍କି ସଫା କରିବା କଥା କିମ୍ବା ଦେଖିବାର ଆବଶ୍ୟକତା ଥିଲା।
୧୦ ଟ୍ୟାଙ୍କର୍ରେ ଜଳ ଯୋଗାଣ
ପିଇବା ପାଣି ସମସ୍ୟା ସୃଷ୍ଟି ହେବା ପରେ ୱାଟ୍କୋ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଆଗରୁ ଯାଞ୍ଚ କରୁ ନ ଥିବାରୁ ୱାଟ୍କୋ କର୍ତ୍ତୃପକ୍ଷ ଆଜି ୧୦ଟି ଟ୍ୟାଙ୍କରରେ ପାଣି ଯୋଗାଉଛନ୍ତି। ସନ୍ଧ୍ୟା ସୁଦ୍ଧା ପାଣି ସରିଯିବାରୁ ପୁଣିଥରେ ପାଣି ଭର୍ତ୍ତି କରାଯାଇଛି। ଯେପର୍ଯ୍ୟନ୍ତ ପାଣି ସମ୍ପରେ ବିଶୁଦ୍ଧ ପାଣି ନ ଆସିଛି ସେପର୍ଯ୍ୟନ୍ତ ଜଳ ଯୋଗାଣ ଜାରି ରହିବ ବୋଲି ୱାଟକୋ ପକ୍ଷରୁ କୁହାଯାଇଛି। ସେପଟେ ଆଜି ୫ ହଜାର ଲିଟିରିଆ ପାଣି ଟାଙ୍କି ସଫା ହୋଇଛି।