LatestNewsTOP STORIESWordPressଅପରାଧରାଜ୍ୟ

ପାଇଖାନା ଟାଙ୍କିରେ ଜୀବିତ ଫିଙ୍ଗି ହତ୍ୟା

ପାଇଖାନା ଟାଙ୍କିରେ ଜୀବିତ ଫିଙ୍ଗି ହତ୍ୟା

  • ରତନପୁର ନାବାଳକ ନିଖୋଜ ଘଟଣାର ପର୍ଦାଫାସ୍‌
  • ବାପା ସହ ଥିଲା ଶତ୍ରୁତା, ପୁଅଠାରେ ପ୍ରତିଶୋଧ

    ପୁରୀ/ଡେଲାଙ୍ଗ/ଭୁବନେଶ୍ୱର ୨୧-୦୪-୨୦୨୫( ଏସ .ଏମ ) :  ତ ସପ୍ତାହେ ହେଲା ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ରତନପୁର ଗ୍ରାମର ୧୧ ବର୍ଷୀୟ ନାବାଳକ ଆଶୀର୍ବାଦ ସାହୁଙ୍କ ନିଖୋଜ ଘଟଣା ଉପରୁ ପରଦା ହଟିଛି। ଆଶୀର୍ବାଦଙ୍କ ହାତଗୋଡ଼କୁ ବାନ୍ଧି ତାଙ୍କ ପାଟିକୁ ଟେପ୍‌ରେ ସିଲ୍‌ କରି ସମ୍ପର୍କୀୟ ଦାଦା ବାପି ଓରଫ୍‌ ପ୍ରଭାକର ସାହୁ ପାଇଖାନା ଟାଙ୍କିରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ଆଜି ଭୋର୍‌ରୁ ଡେଲାଙ୍ଗ ଥାନା ପୁଲିସ ଶବ ଜବତ କରିଛି। ଅନ୍ୟପଟେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବାପିକୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଥିବା ବେଳେ ଏହି ଘଟଣାର ତଦନ୍ତ ଶୀଘ୍ର କରାଯିବ ବୋଲି ଏସ୍‌ପି ବିନୀତ ଅଗ୍ରୱାଲ ପ୍ରତିଶ୍ରୁତି ଦେଇଛନ୍ତି। ଆଶୀର୍ବାଦଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ଏକ କୋଟି ଟଙ୍କା ଦେବାପାଇଁ ସରକାରଙ୍କ ପାଖରେ ଗ୍ରାମବାସୀମାନେ ଦାବି ରଖିଛନ୍ତି। ସେପଟେ ଗତକାଲି ଗାଁ ଲୋକେ ଡେଲାଙ୍ଗ ବଜାରରେ ରାସ୍ତାରୋକ କରିବା ସହିତ ଅଭିଯୁକ୍ତ ବାପିର ଘରକୁ ଭଙ୍ଗାରୁଜା କରିଥିବା ଘଟଣାକୁ ନେଇ ଡେଲାଙ୍ଗ ଥାନା ଏସ୍‌ଆଇ ରଶ୍ମିରଞ୍ଜନ ପୃଷ୍ଟିଙ୍କ ଅଭିଯୋଗ ଉପରେ ପୁଲିସ ୧୪୭/୨୫ ନମ୍ବରରେ ଏକ ମାମଲା ରୁଜୁ କରିଛି। ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁପ୍ରସାଦ ପତି, ଏସ୍‌ଡିପିଓ ଦେବାଶିଷ ମିଶ୍ର, ଉପଜିଲ୍ଲାପାଳ ରାଜକିଶୋର ଜେନା, ଡେଲାଙ୍ଗ ଥାନା ଆଇଆଇସି ଶ୍ୟାମଘନ ବାରିକ, କଣାସ ଥାନା ଆଇଆଇସି ପ୍ରଦୀପ ଜୁଝାରସିଂହ, ଡେଲାଙ୍ଗ ତହସିଲଦାର ଦେବୀ ପ୍ରସାଦ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ ପ୍ରମୁଖ ଆଜି ଡେଲାଙ୍ଗରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।

    ଗତ ୧୫ ତାରିଖ ଦିନ ରତନପୁର ଗାଁର ମାନସ ସାହୁଙ୍କ ପୁଅ ଆଶୀର୍ବାଦ ଘର ସମ୍ମୁଖରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲା। ଆଶୀର୍ବାଦକୁ ପରିବାର ଲୋକେ ନପାଇ ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ କେନ୍ଦ୍ରକରି ପୁଲିସ ଏକ ଅପହରଣ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଯଦିଓ ପୁଲିସ ଆଶୀର୍ବାଦଙ୍କୁ ଖୋଜିବା ପାଇଁ ବିଭିନ୍ନ ପନ୍ଥାକୁ ଆପଣାଇଥିଲା, ମାତ୍ର ତାଙ୍କୁ ପାଇବାରେ ସକ୍ଷମ ହୋଇନଥିଲା। ଗତକାଲି ଗ୍ରାମବାସୀ ଡେଲାଙ୍ଗ ଖୋର୍ଦ୍ଧା ମୁଖ୍ୟରାସ୍ତାକୁ ଅବରୋଧ କରି ପ୍ରତିବାଦ ଜଣାଇଥିଲେ। କିଏ ଆଶୀର୍ବାଦଙ୍କୁ ଅପହରଣ କଲା ଏବଂ ଏହା ପଛରେ କିଛି କାରଣ ଥାଇପାରେ ବୋଲି ପୁଲିସ ତନାଘନା କରିଥିବା ବେଳେ ଆଜି ଭୋର ସମୟରେ ଏକ ପାଇଖାନା ଟାଙ୍କିରୁ ନିଖୋଜ ଆଶୀର୍ବାଦଙ୍କ ମୃତ ଶରୀରକୁ ଉଦ୍ଧାର କରାଯାଇଥିଲ‌ା।

    ୧୫ ତାରିଖରୁ ନିଖୋଜ ଥିଲେ
    ମୁଖ୍ୟ ଅଭିଯୁକ୍ତ ଅଟକ
    ଅଭିଯୁକ୍ତର ଘର ଭଙ୍ଗାରୁଜା

    ନିଖୋଜ ହେବା ପୂର୍ବରୁ ଆଶୀର୍ବାଦଙ୍କ ସହିତ ତାଙ୍କ ସମ୍ପର୍କୀୟ ଦାଦା ବାପି କଥାବାର୍ତ୍ତା ହେଉଥିବା ଗ୍ରାମବାସୀ ଦେଖିଥିବା ନେଇ ପୁଲିସ ପାଖରେ ଖବର ପହଞ୍ଚିଥିଲା। ତେଣୁ ପୁଲିସ ଗତକାଲି ବାପିକୁ ସନ୍ଦେହରେ ଉଠାଇନେଇ ପଚରାଉଚରା କରିବା ପରେ ସେ ସମସ୍ତ ଘଟଣା ପୁଲିସ ଆଗରେ ଓଗାଳିଥିଲା। ପାରିବାରିକ କଳହ ତଥା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି
    ସେ ଆଶୀର୍ବାଦଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲା। ଆଶୀର୍ବାଦଙ୍କୁ ମୃଦୁ ପାନୀୟ ଦେଇ ଘରକୁ ଡାକି ହାତଗୋଡ଼କୁ ବାନ୍ଧି ପାଟିରେ ପଟି ଲଗାଇ ଜୀବିତ ଅବସ୍ଥାରେ ପାଇଖାନା ଟାଙ୍କିରେ ପକାଇ ଦେଇଥିବା କହିଥିଲା। ଗତ ୩ ମାସ ଧରି ନିଷ୍ପାପ ବାଳକ ଆଶୀର୍ବାଦଙ୍କୁ ହତ୍ୟା କରିବା ପାଇଁ ସେ ଷଡ୍‌ଯନ୍ତ୍ର ରଚିଥିଲା ବୋଲି ବୟାନରେ କହିଛି। ତେବେ ଏହି ଘଟଣାରେ କେବଳ ବାପିର ସମ୍ପୃକ୍ତି ଅଛି କି ଅନ୍ୟ କାହାର ସମ୍ପୃକ୍ତି ରହିଛି, ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଅନ୍ୟ ପଟେ ଉତ୍ତ୍ୟକ୍ତ ଗ୍ରାମବାସୀ ଅଭିଯୁକ୍ତର ଘରକୁ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି। ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ବିଧାନ ସହିତ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି। ଆଶୀର୍ବାଦଙ୍କ ଶବକୁ ସଦର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇ ପୁଲିସ ତାଙ୍କ ପରିବାର ଜିମା ଦେଇଥିଲା। ଏହାପରେ ଗ୍ରାମବାସୀ ମରଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ଡେଲାଙ୍ଗ ହାଟବଜାର ସହିତ ଗ୍ରାମ ପରିକ୍ରମା ପରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଇଥିଲେ।

    ହତ୍ୟା ଯୋଜନା ବଡ଼ପାରୀରୁ ଆସିଥିଲା
    ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ସମ୍ପର୍କୀୟ ଦାଦା ବାପି ହତ୍ୟା ଯୋଜନା କରି ତା’ର ଶ୍ବଶୁର ଘର ଟାଙ୍ଗୀ ଥାନା ଅନ୍ତର୍ଗତ ବଡ଼ପାରୀ ଗାଁରୁ ନିଜ ଗାଁ ରତନପୁର ଆସିଥିଲା। ଘଟଣାଦିନ ମଧ୍ୟ ସେ ଆସି ଆଶୀର୍ବାଦ ସହିତ କଥାବାର୍ତ୍ତା ହୋଇଥିଲା। ଆଶୀର୍ବାଦଙ୍କ ବାପା ମାନସ ଅଭିଯୁକ୍ତ ବାପିଙ୍କ ବାପାଙ୍କୁ ଗାଳିଗୁଲଜ କରିଥିଲେ। ଏହା ସହିତ ବାପି ହାଟ ଡେଲାଙ୍ଗରେ ଏକ ଦୋକାନ କରିଥିବା ବେଳେ ତା’ର ଦୋକାନ ପାଖରେ ମାନସ ମଧ୍ୟ ଏକ ଦୋକାନ କରିଥିଲେ। ଫଳରେ ବାପିର ବେପାର ଭଲ ହୋଇନଥିଲା। ତେଣୁ ଏହାର ପ୍ରତିଶୋଧ ନେବାପାଇଁ ଦୀର୍ଘଦିନ ଧରି ବାପି ଯୋଜନା କରିଥିଲା।
    ଗ୍ରାମବାସୀଙ୍କ ସହ ରାସ୍ତାରୋକରେ ସାମିଲ ଥିଲା
    ପୁତୁରା ଆଶୀର୍ବାଦଙ୍କୁ ହତ୍ୟା କରି ପୁଣି ଗ୍ରାମବାସୀଙ୍କ ସହିତ ରହି ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରିଥିଲା ଅଭିଯୁକ୍ତ ବାପି। ଆଜି ପ୍ରକୃତ ଘଟଣା ପର୍ଦ୍ଦାଫାସ ହେବା ପରେ ଲୋକମାନେ ବାପିର ସମ୍ପୃକ୍ତିକୁ ନେଇ ଆଶ୍ଚର୍ଯ୍ୟ ହୋଇଥିଲେ। ଗତକାଲି ଗ୍ରାମବାସୀ ଡେଲାଙ୍ଗ ଖୋର୍ଦ୍ଧା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିବା ବେଳେ ବାପି ମଧ୍ୟ ସେମାନଙ୍କ ସହିତ ସାମିଲ ହୋଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *