ରାଜ୍ୟ

ପାରାଦୀପରେ ଭୟାବହ ଅଗ୍ନିକାଣ୍ଡ

ପାରାଦୀପରେ ଭୟାବହ ଅଗ୍ନିକାଣ୍ଡ

ଜଳିଗଲା କୋଟିକୋଟି ଟଙ୍କାର ପାଇପ୍

ଜଗତସିଂହପୁର/ଭୁବନେଶ୍ୱର ୨୯-୦୪-୨୦୨୫ (ଏସ,ଏମ ) : ପାରାଦୀପର ଜିରୋ ପଏଣ୍ଟରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକ ଘରୋଇ କମ୍ପାନିର ଷ୍ଟକ୍‌ୟାର୍ଡରେ ଥିବା ପାଇପ୍‌ ଜଳିଯାଇଛି। ନିଆଁର ପ୍ରକୋପ ଏତେ ଥିଲା ଯେ, ବହୁ ଉଚ୍ଚକୁ ଧୂଆଁ ଉଠିଥିଲା। ବହୁ ଦୂର ଯାଏଁ ଏହି କଳା ଧୂଆଁ ଦେଖି ଲୋକ ଭୟଭୀତ ହୋଇପଡ଼ିଥିଲେ। ଖବର ପାଇ କୁଜଙ୍ଗ ଅଗ୍ନିଶମ କେନ୍ଦ୍ର ସମେତ ସମସ୍ତ କମ୍ପାନିର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ଅଗ୍ନିଶମ କେନ୍ଦ୍ର ସୂଚନା ଅନୁସାରେ, ଜିରୋ ପଏଣ୍ଟ ନିକଟରେ ଟେକ୍ନୋମାଉଣ୍ଟ-ମେଟାଲ୍‌କ୍ରାଫ୍ଟ କମ୍ପାନିର ଷ୍ଟକ୍‌ୟାର୍ଡରେ ବିପୁଳ ପରିମାଣର ପାଇପ୍ ଗଦା ହୋଇଥିଲା। ଏହି ପାଇପ୍ ରିଫାଇନାରିକୁ ସମୁଦ୍ର ମଧ୍ୟରୁ ଜାହାଜରୁ ତେଲ ଆସିବାରେ ବ୍ୟବହାର ହୁଏ। ପାଇପ୍‌ଗୁଡ଼ିକ ଲୁହାର ହୋଇଥିବା ବେଳେ ସେଥିରେ କେମିକାଲଯୁକ୍ତ ରବର, ସିନ୍ଥେଟିକ୍‌ ପ୍ରଲେପ ବ୍ୟବହାର କରାଯାଇଥାଏ। ଅବ୍ୟବହୃତ ପାଇପ୍‌ଗୁଡ଼ିକ ଷ୍ଟକ୍‌ୟାର୍ଡରେ ଗଦା ହୋଇଥିଲା। ଆଜି ଅପରାହ୍ଣ ପ୍ରାୟ ୧ଟା ୪୫ରେ ହଠାତ୍ ନିଆଁ ଲାଗି ସେଗୁଡ଼ିକ ଜଳିବାକୁ ଲାଗିଥିଲା। ପାଇପ୍‌ରେ ଦହନଶୀଳ ପଦାର୍ଥ ଥିବାରୁ ଅଳ୍ପ କେଇ ମିନିଟ୍ ମଧ୍ୟରେ ପୂରା ଅଞ୍ଚଳକୁ ନିଆଁ ବ୍ୟାପୀ ଯାଇଥିଲା।ଖବର ପାଇ କୁଜଙ୍ଗ ଅଗ୍ନିଶମ ବାହିନୀର ଗୋଟିଏ ନିଆଁ ଲିଭା ଗାଡ଼ି ଓ ପମ୍ପ, ଜଗତସିଂହପୁର ଅଗ୍ନିଶମ କେନ୍ଦ୍ରର ଗୋଟିଏ ଗାଡ଼ି, ଆଇଓସିଏଲ୍‌ର ୪, ପାରାଦୀପ ବନ୍ଦର, ପିପିଏଲ୍, ଇଫ୍‌କୋ ଏବଂ ଏଏମ୍‌ଏନ୍‌ଏସ୍‌ର ଗୋଟିଏ ଲେଖାଏଁ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ। ୧୧ଟି ନିଆଁ ଲିଭା ଗାଡ଼ି ବ୍ୟବହୃତ ହୋଇଥିବା ବେଳେ ଦମକଳ ବାହିନୀକୁ ନିଆଁକୁ ଆୟତ୍ତ କରିବାକୁ ସାଢ଼େ ୩ ଘଣ୍ଟା ଲାଗି ଯାଇଥିଲା। ନିଆଁ ଲିଭାଇବା ପାଇଁ ଫୋମ୍‌ଯୁକ୍ତ ପାଣି ବ୍ୟବହାର କରାଯାଇଥିଲା। ଅପରାହ୍ଣ ୫ଟା ୧୫ରେ ନିଆଁ ଆୟତ୍ତକୁ ଆସିଥିଲା। ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣାପଡ଼ି ନାହିଁ। ଲକ୍ ଥାନା ପୁଲିସ, ଏଡିଏମ୍(ପାରାଦୀପ) ନିରଞ୍ଜନ ବେହେରା ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *