TOP STORIESଅପରାଧଘଟଣା ଦୁର୍ଘଟଣାରାଜ୍ୟସମସ୍ୟା ଭିତ୍ତିକ ଖବରସ୍ୱାସ୍ଥ୍ୟ /ରୋଗ ଆରୋଗ୍ୟ

ପୁଣି ବସ୍‌ ଦୁର୍ଘଟଣା :ସେବେ ମୋ ବସ୍‌ ଏବେ ଆମ ବସ୍‌

ପୁଣି ବସ୍‌ ଦୁର୍ଘଟଣା :ସେବେ ମୋ ବସ୍‌ ଏବେ ଆମ ବସ୍‌

ଖଣ୍ଡଗିରିରେ ରାସ୍ତାରୋକ ଭାଙ୍ଗିଦେଲେ ୮ ବସ୍‌

ଭୁବନେଶ୍ୱର ୨୯-୦୫-୨୦୨୫(ଏସ.ଏମ ) :  ରାଜଧାନୀରେ ପୁଣି ଜଣକୁ ଦଳିଦେଇଛି ଆମ ବସ୍‌। ଆଜି ସନ୍ଧ୍ୟାରେ ଖଣ୍ଡଗିରି ଛକରେ ଘଟିଛି ଏହି ଦୁର୍ଘଟଣା। ଆମ ବସ୍‌ ଧକ୍କାରେ ଗଞ୍ଜାମ ବୁଗୁଡ଼ାର ତ୍ରିନାଥ ବାରିକ(୫୫)ଙ୍କ ମୃତ୍ୟୁ ହୋଇଛି। ଘଟଣା ପରେ ସେଠାରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଶତାଧିକ ଉତ୍ତ୍ୟକ୍ତ ଲୋକେ ମୃତଦେହକୁ ରଖି ରାସ୍ତା ଅବରୋଧ କରିଥିଲେ। ଆମ ବସ୍‌ ଚାଳକଙ୍କ ବେପରୁଆ ଗାଡ଼ି ଚାଳନାକୁ ଦାୟୀ କରି ନାରାବାଜି କରିଥିଲେ। ଲୋକଙ୍କ କ୍ରୋଧ ଏତିକିରେ ଥମି ନଥିଲା। ସେମାନେ ରାଗରେ ୮ଟି ଆମ ବସ୍‌କୁ ବାଡ଼େଇ ଭ‌ାଙ୍ଗି ପକାଇଥିଲେ। ପ୍ରାୟ ଏକ ଘଣ୍ଟା କାଳ ଉତ୍ତ୍ୟକ୍ତ ଲୋକେ ଏମିତି ତୁମୁଳକାଣ୍ଡ ଭିଆଇଥିଲେ। ବହୁ କଷ୍ଟରେ ପୁଲିସ ବୁଝାସୁଝା କରି ଲୋକଙ୍କୁ ଶାନ୍ତ କରାଇଥିଲା। ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି।

ତ୍ରିନାଥ ଭୀମଟାଙ୍ଗୀରେ ରହୁଥିଲେ ଏବଂ ଆଇଗିଣିଆରେ ଥିବା ଏକ ବାଇକ୍‌ ସୋ’ରୁମ୍‌ରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିଲେ। ଆଜି ସନ୍ଧ୍ୟାରେ ସେ କାମରୁ ସାଇ‌କେଲ୍‌ ଯୋଗେ ଘରକୁ ଫେରୁଥିଲେ। ସେ ବାରଭୁଜା ମାର୍କେଟ୍‌ କମ୍ପ୍ଲେକ୍ସ ନିକଟରେ ପହଞ୍ଚିଥିବା ବେଳେ ପଛରୁ ଆସୁଥିବା ଆମ ବସ୍‌ ତାଙ୍କୁ ଧକ୍କା ଦେବା ସହ ତାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ହୋ-ହଲ୍ଲା କରିବାରୁ ବସ୍‌ ଚାଳକ ଗାଡ଼ି ଛାଡ଼ି ଦୌଡ଼ିଥିଲେ ଏବଂ ଖଣ୍ଡଗିରି ଥାନାରେ ପଶି ଯାଇଥିଲେ। ଉତ୍ତ୍ୟକ୍ତ ଲୋକେ ବସ୍‌କୁ ଘେରି ଯାଇଥିଲେ ଏବଂ ଯାତ୍ରୀମାନଙ୍କୁ ଓହ୍ଲାଇ ବସ୍‌କୁ ପଥରମାଡ଼ କରିଥିଲେ। ଏତିକିରେ ଲୋକଙ୍କ କ୍ରୋଧ ଶାନ୍ତ ହୋଇନଥିଲା। ସେମାନେ ପୁଲିସକୁ ରାସ୍ତାରୁ ଶବ ଉଠାଇବାକୁ ଦେଇନଥିଲେ। ଶବକୁ ରଖି ରାସ୍ତା ଅବରୋଧ କରିଥିଲେ। ଏହି ସମୟରେ ଖଣ୍ଡଗିରି ଛକ ଦେଇ ଯାତାୟାତ କରୁଥିବା ସବୁ ଆମ ବସ୍‌କୁ ଅଟକାଇ ଭଙ୍ଗାରୁଜା କରିଥିଲେ। ୮ଟି ବସ୍‌ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲା। ଲୋକଙ୍କ ଉଗ୍ରରୂପ ଦେଖି କମିସନ୍‌ରେଟ୍‌ ପୁଲିସ ଛାନିଆରେ ପଛଘୁଞ୍ଚା ଦେଇଥିଲା। କିଛି ସମୟ ପରେ ପୁଲିସ ଅଧିକାରୀମାନେ ଲୋକଙ୍କୁ ବୁଝାସୁଝା କରି ସ୍ଥିତି ନିୟନ୍ତ୍ରଣ କରିଥିଲେ। ରାସ୍ତା ଅବରୋଧ ଫଳରେ ପ୍ରାୟ ଏକ ଘଣ୍ଟା ଧରି ଯାନବାହନ ଯାତାୟାତ ବ୍ୟାହତ ହୋଇଥିଲା। ଦୁର୍ଘଟଣା ଘଟାଇଥିବା ବସ୍‌କୁ ପୁଲିସ ଜବତ କରିବା ସହ ଡ୍ରାଇଭର୍‌ଙ୍କୁ ଅଟକ ରଖିଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରାଇବା ଲାଗି ଏମ୍‌ସକୁ ପଠାଯାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *