ରାଜ୍ୟ

ପୋଖରୀରେ ବୁଡ଼ି ୩ ନାବାଳକ ମୃତ

ପୋଖରୀରେ ବୁଡ଼ି ୩ ନାବାଳକ ମୃତ

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଶିମିଳିସାହି ପଞ୍ଚାୟତ ଗୋଡ଼ିବିଡ଼ା ଗାଁର ଏହି ଅଭାବନୀୟ ଘଟଣା ପରିବାର ସମେତ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି

ଦଶପଲ୍ଲା/ଭୁବନେଶ୍ୱର ୨୮.୦୪.୨୦୨୫ (ଏସ .ଏମ ) : ବିବାହ ଉତ୍ସବ ପାଇଁ ଘରେ ଖୁସିବାସି, ଆନନ୍ଦଉଲ୍ଲାସର ବାତାବରଣ ଥିଲା। ଏମିତି ସମୟରେ ପୋଖରୀରେ ବୁଡ଼ି ୩ ସମ୍ପର୍କୀୟ ନାବାଳକ ଭାଇଙ୍କର ମୃତ୍ୟୁ ହୋଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଶିମିଳିସାହି ପଞ୍ଚାୟତ ଗୋଡ଼ିବିଡ଼ା ଗାଁର ଏହି ଅଭାବନୀୟ ଘଟଣା ପରିବାର ସମେତ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। କାନ୍ଦବୋବାଳିରେ ଗାଁ ଦାଣ୍ଡ ଫାଟି ପଡ଼ୁଥିବା ବେଳେ ଶୋକାକୁଳ ପରିବେଶ ମଧ୍ୟରେ ଶବ ଉଠିଛି। ମୃତ ନାବାଳକମାନେ ହେଲେ ଉମାକାନ୍ତ ନାୟକ (୧୧), ଶୁଭମ୍ ଖିଲାର୍ (୯) ଓ ରିତେଶ ପ୍ରଧାନ (୧୧)। ସୂଚନା ଅନୁଯାୟୀ, ଗୋଡ଼ିବିଡ଼ା ଗ୍ରାମର ଏକାଦଶୀ ନାୟକ (ମନୁ)ଙ୍କ ପୁଅ ସୂର୍ଯ୍ୟକାନ୍ତଙ୍କର ଗତ ୨୫ ତାରିଖ ଦିନ ବିବାହ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ ଦେବାକୁ ମନୁଙ୍କ ସାନଭାଇ ବିଜୟ ନାୟକଙ୍କ ସଢୁ ତଥା ବାହାଡ଼ାଝୋଲା ପୋଡ଼ାସାହି ଗ୍ରାମର କାଳିଆଙ୍କ ପୁଅ ଶୁଭମ୍ ଖିଲାର୍ (୯), ମାଉସୀ ପୁଅ ନୂଆଗାଁ ଖାଲମଡ଼ା ଗ୍ରାମର ପ୍ରଦୀପ ପ୍ରଧାନଙ୍କ ପୁଅ ରିତେଶ୍ ପ୍ରଧାନ (୧୧) ପରିବାର ସହ ଆସିଥିଲେ। ୨୫ ତାରିଖରେ ବିବାହ ଓ ଭୋଜିଭାତ ଆୟୋଜନ ହୋଇଥିଲା। ଘରେ ବନ୍ଧୁବାନ୍ଧବ ନୂଆ ବୋହୂକୁ ନେଇ ଖୁସି ମନାଉଥିବା ବେଳେ ଆଜି ଅପରାହ୍ଣରେ ଶୁଭମ୍ ଓ ରିତେଶ ଗାଁକୁ ଫେରିଥାନ୍ତେ। ହେଲେ ଆଜି ପୂର୍ବାହ୍ଣରେ ଗାଁଠାରୁ ପ୍ରାୟ ଅଧ କିମି ଦୂରରେ ଥିବା ପୋଖରୀକୁ ଏକାଦଶୀ ଗାଧୋଇ ବାହାରିଥିବା ବେଳେ ତାଙ୍କ ସହ ବିଜୟଙ୍କ ପୁଅ ଉମାକାନ୍ତ, ଶୁଭମ୍ ଓ ରିତେଶ ଯାଇଥିଲେ।ସାଥୀରେ ଗାଧୋଇ ଘରକୁ ମଧ୍ୟ ଆସିଥିଲେ। ଘରେ ଖାଇସାରି ପୁଣି ୩ ଜଣ ସାଙ୍ଗ ହୋଇ ପୋଖରୀକୁ ସାଇକେଲ ଓ ମୋବାଇଲ୍ ନେଇ ଯାଇଥିଲେ। ପୋଖରୀ ହୁଡ଼ାରେ ଥିବା ଏକ ପ୍ଲାଷ୍ଟିକ୍‌ ଡବାକୁ ନେଇ ପାଣିରେ ଖେଳୁଥିବା ସମୟରେ ଜଣକ ପରେ ଜଣେ ପୋଖରୀରେ ବୁଡ଼ିଯାଇଥିବା କୁହାଯାଉଛି। କିଛି ସମୟ ପରେ ଖାଇବା ପାଇଁ ସେମାନଙ୍କୁ ଘରେ ଖୋଜା ପଡ଼ିଥିଲା। ଗାଁରେ ନ ମିଳିବାରୁ ପୋଖରୀ ହୁଡ଼ାରେ ସାଇକେଲ୍, ଚପଲ ଓ ମୋବାଇଲ ଥିବା ଦେଖିବାକୁ ମିଳିଥିଲା। ପୋଖରୀରେ ଖୋଜାଖୋଜି କରିବାବେଳେ ଜଣକ ପରେ ଜଣକୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।  ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଶୋକପ୍ରକାଶ କରିବା ସହ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ୪ ଲକ୍ଷଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ‌ଘୋଷଣା କରିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *