ରାଜନୀତିରାଜ୍ୟ

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ ବିଜେପିକୁ ଘେରିଲା ବିଜେଡି

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ ବିଜେପିକୁ ଘେରିଲା ବିଜେଡି

‘ଡବଲ୍‌ ଇଞ୍ଜିନ୍‌ ଡବଲ୍‌ ବିକାଶ ନୁହେଁ, ଡବଲ୍‌ ଧୋକା’

ଭୁବନେଶ୍ୱର ୨୨-୦୬-୨୦୨୫(ଏସ .ଏମ ) : ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ଯୋଗଦେଇ କହିଥିଲେ, ଡବଲ୍‌ ଇଞ୍ଜିନ୍‌ ସରକାରରେ ଡବଲ୍‌ ବିକାଶ ହେଉଛି। ପୂର୍ବ ସରକାରରେ ଗରିବ, କୃଷକ କେନ୍ଦ୍ରୀୟ ଯୋଜନାର ଲାଭ ପାଉନଥିଲେ। ଆଜି ଏହାର ଜବାବ ଦେଇ ବିଜେଡି କହିଛି ଡବଲ୍‌ ଇଞ୍ଜିନ୍‌ ସରକାରରେ ଡବଲ୍‌ ବିକାଶ ବଦଳରେ ରାଜ୍ୟବାସୀଙ୍କୁ ଡବଲ୍ ଧୋକା ମିଳିଛି। ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ବାସ୍ତବରେ ପ୍ରତାରଣା ହୋଇଛି। ଆଜି ଶଙ୍ଖ ଭବନରେ ବିଜେଡିର ରାଜନୈତିକ ବ୍ୟାପାର କମିଟି ସଦସ୍ୟ ସଞ୍ଜୟ ଦାସବର୍ମା, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାର ଉପରେ ବର୍ଷିଛନ୍ତି। ଆଉ ମୋଦୀ ଯେଉଁ ପ୍ରସଙ୍ଗରେ ମୋହନ ସରକାରକୁ ପ୍ରଶଂସା କରିଥିଲେ ସେ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ ବିଜେପିକୁ ଘେରିଲା ବିଜେଡି
ବିଜେପିର ଏକ ବର୍ଷ ଶାସନରେ କେନ୍ଦ୍ରୀୟ ଅନୁଦାନ ୧୮.୧୯% କମିଛି
ଶ୍ରୀମନ୍ଦିର ପ୍ରସଙ୍ଗରେ ବିଜେପିର ସମସ୍ତ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି

ଶ୍ରୀ ଦାସବର୍ମା କହିଥିଲେ, ଶ୍ରୀମନ୍ଦିର ତଥା ପୁରୀର ବିକାଶ ପାଇଁ ନବୀନ ସରକାରଙ୍କ ଦ୍ବାରା ବ୍ୟାପକ କାର୍ଯ୍ୟକ୍ରମ ହୋଇଥିଲା। ହେଲେ ବର୍ଷକ ମଧ୍ୟରେ ସବୁ ଠପ୍ ହୋଇଯାଇଛି। ରତ୍ନଭଣ୍ଡାର ଚାବି ପାତାଳରେ ଥିଲେ ବି ଖୋଜି ଆଣିବେ କହୁଥିଲେ, ହେଲେ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚନ୍ୟାୟାଳୟରେ ଦାଖଲ ହୋଇଥିବା ସତ୍ୟପାଠରେ କୁହାଯାଇଛି ଯେ ଚାବି କଥାକୁ ସାର୍ବଜନୀନ କରିପାରିବୁନି। ରତ୍ନଭଣ୍ଡାରର ରତ୍ନ ଗଣତି ମଣତି କରିବେ ବୋଲି କହିଥିଲେ ବି ଏପର୍ଯ୍ୟନ୍ତ ହୋଇପାରିଲାନି। ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାଳ ୯ମାସ ହେଲା ସରିଥିଲେ ହେଁ ସରକାର ଏପର୍ଯ୍ୟନ୍ତ ଗଠନ କରିପାରିଲେନି। ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ପୂରା ଅବ୍ୟବସ୍ଥିତ ହୋଇପଡ଼ିଛି। ସେହିପରି ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାକୁ ପୂର୍ବବର୍ଷ ତୁଳନାରେ ୧୮.୧୯% କମ୍‌ ଅନୁଦାନ ମିଳିବା ବିଜେପିର ଡବଲ୍‌ ବିକାଶ ନାରା ମଧ୍ୟ ଏକ ମହାମିଛ ବୋଲି ପର୍ଦାଫାସ ହୋଇଛି।

ଶ୍ରୀମତୀ ଛୁରିଆ କହିଥିଲେ, ଗତ ଏକ ବର୍ଷରେ ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟରେ ପ୍ରତିଦିନ ୧୫ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ସରକାରଙ୍କ ଶ୍ୱେତପତ୍ର ଅନୁଯାୟୀ ରାଜ୍ୟରେ ଦୁଷ୍କର୍ମ ପ୍ରାୟ ୮% ବଢ଼ିଛି। ସେହିପରି ଆଦିବାସୀଙ୍କ ବିକାଶ ପାଇଁ ବିଜେଡି ସରକାର ଏସ୍‌ଡିସି ଗଠନ କରିଥିଲେ। କିନ୍ତୁ ବିଜେପି ସରକାର ଏହାକୁ ଭାଙ୍ଗି ଦେଇଛି। ଏଥିରେ ଆଦିବାସୀଙ୍କ ପ୍ରତି ବିଜେପିର କେତେ ଦରଦ ଜଣାପଡ଼ୁଛି। ଶ୍ରୀ ବକ୍ସିପାତ୍ର କହିଥିଲେ ଏବେ ରାଜ୍ୟର ୧୧ଟି ଜିଲ୍ଲାର ଲୋକ ଝାଡ଼ାବାନ୍ତି, ହଇଜାରେ ଆକ୍ରାନ୍ତ। ଲୋକ ହଇଜାରେ ମରୁଛନ୍ତି, କିନ୍ତୁ ରାଜ୍ୟ ସରକାର ଉତ୍ସବରେ ମାତିଛନ୍ତି। ଆଉ ସ୍ବାସ୍ଥ୍ୟମନ୍ତ୍ରୀ ନାଚୁଛନ୍ତି। ସେହିପରି ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚିତ ଭିଜନ୍ ଡକୁମେଣ୍ଟରେ ରାଜ୍ୟର ବିକାଶ ହାର ୯% ରଖାଯାଇଛି। କିନ୍ତୁ ଅନ୍ୟ ରାଜ୍ୟମାନଙ୍କର ବିକାଶ ହାର ୧୫% ପର୍ଯ୍ୟନ୍ତ ରଖାଯାଇଛି। ନବୀନ ସରକାର ଅମଳରେ ବିକାଶ ହାର ୧୬% ହୋଇଥିଲା। ହେଲେ ବିଜେପି ସରକାରର ଭିଜନ୍ ଏତେ ସଂକୁଚିତ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *