LatestNewsPoliticsଦେଶ- ବିଦେଶରାଜନୀତିରାଜ୍ୟ

ପ୍ରଭାବଶାଳୀ ହେବ ପୁଲିସର କାର୍ଯ୍ୟଦକ୍ଷତା: ମୁଖ୍ୟମନ୍ତ୍ରୀ

ପ୍ରଭାବଶାଳୀ ହେବ ପୁଲିସର କାର୍ଯ୍ୟଦକ୍ଷତା: ମୁଖ୍ୟମନ୍ତ୍ରୀ

NEWS BY SAMPURNA.LIVE

କେନ୍ଦୁଝର/ଭୁବନେଶ୍ୱର ୦୬-୦୫-୨୦୨୫(ଏସ .ଏମ ) :  ପୁଲିସର କାର୍ଯ୍ୟଦକ୍ଷତାକୁ ଆହୁରି ପ୍ରଭାବଶାଳୀ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ଆବଶ୍ୟକ ସମ୍ବଳ, ତାଲିମ ଏବଂ ଭିତ୍ତିଭୂମିର ବ୍ୟବସ୍ଥା କରାଯାଉଛି। ଆଜି କେନ୍ଦୁଝର ଟାଉନ ଥାନା ଓ ରିଜର୍ଭ କାର୍ଯ୍ୟାଳୟର ନୂତନ ଗୃହ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ୩ କୋଟି ୩୪ ଲକ୍ଷ ୧୪ ହଜାର ଟଙ୍କା ବ୍ୟୟରେ ଥାନା ଓ ୨ କୋଟି ୭୬ ଲକ୍ଷ ୬୮ହଜାର ଟଙ୍କା ବ୍ୟୟରେ ରିଜର୍ଭ ପୁଲିସ କାର୍ଯ୍ୟାଳୟ ନିର୍ମାଣ କରାଯାଇଛି। ଏହି ଅବସରରେ କେନ୍ଦୁଝର ପୁଲିସକୁ ଦିଆଯାଇଥିବା ୧୭ଟି ଏକ୍ସୟୁଭି ଓ ୮୦ଟି ବାଇକ୍‌କୁ ମୁଖ୍ୟମନ୍ତ୍ରୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆଇନଶୃଙ୍ଖଳା ରକ୍ଷା ଦିଗରେ ଥାନାର ପ୍ରମୁଖ ଭୂମିକା ରହିଛି। ଆମ ସରକାର ଥାନାଗୁଡ଼ିକର ଆଧୁନିକୀକରଣ ପାଇଁ ପଦକ୍ଷେପ ନେଉଛନ୍ତି। ଥାନାକୁ ଆସୁଥିବା ଲୋକମାନଙ୍କୁ ଭଲ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ସମସ୍ତ ଥାନାକୁ ଉଚ୍ଚମାନର ଦ୍ରୁତଗାମୀ ଗାଡ଼ି ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରେ ବିଗତ ଦିନରେ ଘଟିଥିବା ଅପରାଧର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ସଜାଗ ରହିବାକୁ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗତ ସରକାର ଅମଳରେ ପୁଲିସକୁ କାମ କରିବାକୁ ସୁଯୋଗ ଦିଆଯାଉ ନଥିଲା। ନୂଆ ସରକାର ଆସିବା ପରେ ସେହି ମାନସିକତା ବଦଳିଛି। ଅପରାଧୀଙ୍କୁ ମିଳୁଥିବା ରାଜନୈତିକ ସୁରକ୍ଷାର ଅବଧି ୧୨ ଜୁନ୍‌ ୨୦୨୪ରୁ ସରିଯାଇଛି।

ପୂରଣ ହେବ ୩୨ ହଜାର ପୁଲିସ ପଦବି
ଉଦ୍‌ଘାଟିତ ହେଲା ନୂତନ ଥାନା ଗୃହ, ରିଜର୍ଭ ପୁଲିସ ଅଫିସ

ଏହାର ଫଳାଫଳ କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳୁଛି। ଆଇନ ଆଗରେ ରାଜା-ପ୍ରଜା ସମସ୍ତେ ସମାନ। ଯିଏ ଅପରାଧ କରିବ ସିଏ ଦଣ୍ଡ ପାଇବ। ଅପରାଧୀ ଯେତେ ପ୍ରଭାବଶାଳୀ ହେଲେ ବି ଆଇନ ଆଗରେ ନତମସ୍ତକ ହେବାକୁ ପଡ଼ିବ। ରାଜ୍ୟରେ ୩୨ହଜାର ନୂଆ ପୁଲିସ ପଦବି ସୃଷ୍ଟି କରାଯାଇଛି। ୧୬ ହଜାର ଖାଲି ପଦବି ଓ ନୂତନ ଭାବେ ସୃଷ୍ଟି ହୋଇଥିବା ୧୬ ହଜାର ପଦବି ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଡିଜିପି ଯୋଗେଶ ବାହାଦୁର ଖୁରାନିଆ କହିଥିଲେ, ଜନତାଙ୍କ ସେବା ଓ ସୁରକ୍ଷା ପାଇଁ ପୁଲିସ ବାହିନୀ ସଦା ତତ୍ପର ଏବଂ ଜାଗ୍ରତ। ଆଇନଶୃଙ୍ଖଳା ବଜାୟ ରଖିବା ଓ ସାଧାରଣ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଆମେ ନିଷ୍ଠାର ସହ କାର୍ଯ୍ୟ କରିବୁ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଅନନ୍ତ ନାୟକ, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ଆଇଜି ହିମାଂଶୁ ଲାଲ, କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ, ଏସ୍‍ପି ନୀତିନ କୁଶଲକର ଉପସ୍ଥିତ ଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *