ପ୍ଲାନେଟାରିୟମ୍ରୁ ମୁହଁ ଫେରାଉଛନ୍ତି ଦର୍ଶକ
ପ୍ଲାନେଟାରିୟମ୍ରୁ ମୁହଁ ଫେରାଉଛନ୍ତି ଦର୍ଶକ
ଆକର୍ଷଣ ହରାଇଲାଣି ରାଜଧାନୀର ସର୍ବପୁରାତନ ପ୍ଲାନେଟାରିୟମ୍। କେବଳ ସୋ’କୁ ଛାଡ଼ି ଦେଲେ ଏହାର ଭିତ୍ତିଭୂମି ସମୂର୍ଣ୍ଣ ଭାବରେ ଭୁଶୁଡ଼ି ଗଲାଣି। ପୁଣି ସୋ’ ମଧ୍ୟ କେବଳ ଗୋଟିଏ ଲାଇଟ୍ରେ ଚାଲୁଛି।
ଭୁବନେଶ୍ୱର ୨୦-୦୫-୨୦୨୫(ଏସ.ଏମ ) : ଆକର୍ଷଣ ହରାଇଲାଣି ରାଜଧାନୀର ସର୍ବପୁରାତନ ପ୍ଲାନେଟାରିୟମ୍। କେବଳ ସୋ’କୁ ଛାଡ଼ି ଦେଲେ ଏହାର ଭିତ୍ତିଭୂମି ସମୂର୍ଣ୍ଣ ଭାବରେ ଭୁଶୁଡ଼ି ଗଲାଣି। ପୁଣି ସୋ’ ମଧ୍ୟ କେବଳ ଗୋଟିଏ ଲାଇଟ୍ରେ ଚାଲୁଛି। ୨୦୧୨ ମସିହାରେ ଏହାର ଡିଜିଟାଇଜେସନ୍ ହୋଇ ୪କେ ଟୁ ଡିରେ ସୋ’ ଆରମ୍ଭ ହୋଇଥିଲା। ବର୍ତ୍ତମାନ ନୂଆ ଟେକ୍ନୋଲୋଜି ଆସିଥିଲେ ସୁଦ୍ଧା ଏହାକୁ ପ୍ରୟୋଗ କରାଯାଉନାହିଁ। କେବଳ ସେତିକି ନୁହେଁ ଭିତରେ ଥିବା ସିଟ୍ ମଧ୍ୟ ଭାଙ୍ଗିଗଲାଣି। ବିଲଡିଂରେ ସ୍ଥାନେ ସ୍ଥାନେ ରଙ୍ଗ ଛାଡ଼ି ଅସନା ଦେଖାଯାଉଥିବା ବେଳେ ପରିସରରେ ଲାଗିଥିବା ଏସି, ଲାଇଟ୍ ମଧ୍ୟ ଅଚଳ ହୋଇପଡ଼ିରହିଛି। ଫଳରେ ଦର୍ଶକ ଏଠାରୁ ମୁହଁ ଫେରାଇବା ଆରମ୍ଭ କଲେଣି।
ଏପରିକି ପଠାଣି ସାମନ୍ତଙ୍କ ପ୍ରତିମୂର୍ତ୍ତି ମଧ୍ୟ ଭାଙ୍ଗି ଆସିଲାଣି। ଗୁମ୍ଫାଗୁଡ଼ିକ ନଷ୍ଟ ହୋଇଯାଇଥିବା ବେଳେ ଭିତରେ ଆବର୍ଜନା ଗଦା ହୋଇଛି। ଫଳରେ କେହି ପର୍ଯ୍ୟଟକ ଆସିଲେ ଫଟୋ କି ଭିଡିଓ ନେବାକୁ ଇଚ୍ଛା କରୁନାହାନ୍ତି। ସେହିପରି ଭିତରେ ଥିବା ବିଭିନ୍ନ ପ୍ରକାଶ ଘଡ଼ି ଓ ଅନ୍ୟାନ୍ୟ ବୈଜ୍ଞାନିକ ଉପକରଣ ମଧ୍ୟ ନଷ୍ଟ ହୋଇଗଲାଣି। ଏଠାକାର ଅନ୍ୟତମ ତଥା ପ୍ରମୁଖ ସମସ୍ୟା ପାଲଟିଛି ପାର୍କି ବ୍ୟବସ୍ଥା। ଭିତରେ ଯାଗା ଥାଇ ସୁଦ୍ଧା ପାର୍କିଂ ପାଇଁ ଅନୁମତି ନଥିବାରୁ ଲୋକ ହଇରାଣରେ ହେଉଛନ୍ତି। ପ୍ଲାନେଟାରିୟମର ନବକଳେବର ପାଇଁ ୨୦୨୧ ମସିହାରେ ନିଷ୍ପତ୍ତି ନିଆଯାଇଥିଲା। ପୁରୁଣା ଯନ୍ତ୍ରପାତି ତଥା ସରଞ୍ଜାମକୁ ହଟାଇ ନୂଆ ତଥା ଅତ୍ୟାଧୁନିକ ଯନ୍ତ୍ରପାତି ଲଗାଇବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଏପରିକି ଏଥିପାଇଁ ୪୫ କୋଟି ଟଙ୍କାର ବ୍ୟୟବରାଦ ମଧ୍ୟ ହୋଇଥିଲା। ଫ୍ଲାଟ୍ ସ୍କ୍ରିନ୍ ୩ଡି ପ୍ରେକ୍ଷାଳୟ, ଜ୍ୟୋର୍ତିବିଜ୍ଞାନୀ ଉଦ୍ୟାନ, ୧୪ ମିଟର ବିଶିଷ୍ଟ ଡୋମ୍ ସହିତ ଭୂତଳ ପାର୍କିଂ, କ୍ୟାଫେଟେରିଆ ଆଦି ଖୋଲିବାର ନିଷ୍ପତ୍ତି ହୋଇଥିଲା। ହେଲେ ଇତିମଧ୍ୟରେ ୪ ବର୍ଷ ବିତି ଯାଇଥିଲେ ସୁଦ୍ଧା ବିକାଶ ପାଇଁ ଇଟା ଖଣ୍ଡିଏ ପଡ଼ିଲା ନାହିଁ। ଏନେଇ ନିର୍ଦ୍ଦେଶିକା ଉର୍ମିପ୍ରଭା ମହାରଣାଙ୍କ କହିବା ଅନୁଯାୟୀ ପ୍ଲାନେଟାରିୟମ୍ର ବିକାଶ ପାଇଁ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଚାଲିଛି। ଖୁବ ଶୀଘ୍ର ପ୍ରତିନିଧି ଦଳ ପରିଦର୍ଶନ କରିବେ।