ରାଜନୀତିରାଜ୍ୟ

ବଲାଙ୍ଗୀରରେ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ

ବଲାଙ୍ଗୀରରେ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ

ବଲାଙ୍ଗୀରରେ ଡବଲ୍‌ ନୁହେଁ, ଟ୍ରିପଲ୍‌ ଇଞ୍ଜିନ୍‌ ସରକାର ଚାଲିଛି। କାରଣ ଏଠାରୁ ଦୁଇଜଣ ମନ୍ତ୍ରୀ ରାଜ୍ୟ ସରକାରଙ୍କ ପ୍ରତିନିଧିତ୍ବ କରୁଛନ୍ତି। ସ୍ବାଭାବିକ ଭାବେ ବଲାଙ୍ଗୀର ଜିଲ୍ଲାର ବିକାଶ ମଧ୍ୟ ତିନିଗୁଣା ବେଗରେ ଚାଲିଛି

ବଲାଙ୍ଗୀର/ଭୁବନେଶ୍ୱର ୧୮-୦୬-୨୦୨୫(ଏସ .ଏମ ) : ଲାଙ୍ଗୀରରେ ଡବଲ୍‌ ନୁହେଁ, ଟ୍ରିପଲ୍‌ ଇଞ୍ଜିନ୍‌ ସରକାର ଚାଲିଛି। କାରଣ ଏଠାରୁ ଦୁଇଜଣ ମନ୍ତ୍ରୀ ରାଜ୍ୟ ସରକାରଙ୍କ ପ୍ରତିନିଧିତ୍ବ କରୁଛନ୍ତି। ସ୍ବାଭାବିକ ଭାବେ ବଲାଙ୍ଗୀର ଜିଲ୍ଲାର ବିକାଶ ମଧ୍ୟ ତିନିଗୁଣା ବେଗରେ ଚାଲିଛି, ଆଗକୁ ବି ଚାଲିବ। ନିର୍ବାଚନବେଳେ ଯାହା ପ୍ରତିଶ୍ରୁତି ଥିଲା, ତାହା ଗୋଟି ଗୋଟି କରି ପୂରଣ କରୁଛୁ। ପ୍ରଯୁକ୍ତିବିଦ୍ୟା ବଳରେ ବଲାଙ୍ଗୀର ସମେତ ସମଗ୍ର ରାଜ୍ୟର ଚାଷୀ ସଶକ୍ତ ହେବେ ବୋଲି ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏହି ଅବସରରେ ସେ ରାଜ୍ୟରେ ବିଜେପି ସରକାରର ଗୋଟିଏ ବର୍ଷ ପୂର୍ତ୍ତି ସମୟର ଉପଲବ୍ଧି ଉପରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ଚାଷ ପଦ୍ଧତିକୁ ବିକଶିତ କରିବା ପାଇଁ ମେ’ ମାସ ସୁଦ୍ଧା ୭୮ ହଜାର ୬୮୧ କୃଷି ଯନ୍ତ୍ରପାତି ଯୋଗାଇ ଦିଆଯିବା ସହ ୪୫୯.୬୮ କୋଟି ଟଙ୍କାର ରିହାତି ପ୍ରଦାନ କରାଯାଇଛି। କୃଷିର ବିକାଶ ପାଇଁ ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ଦିଗରେ ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ କାମ କରୁଛନ୍ତି। ୫ ବର୍ଷ ମଧ୍ୟରେ ୧୫ ଲକ୍ଷ ହେକ୍ଟର ଅଣଜଳସେଚିତ ଜମିକୁ ଜଳସେଚନ ସୁବିଧା ଯୋଗାଇବାର ଲକ୍ଷ୍ୟ ରହିଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମେ ବଦ୍ଧ ପରିକର। ତେଣୁ ରାଜ୍ୟର ସାମଗ୍ରିକ ବିକାଶ ଉପରେ ଆମର ଦୃଷ୍ଟି କେନ୍ଦ୍ରୀଭୂତ ରହିଛି।

ଗୋଟି ଗୋଟି କରି ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରୁଛୁ
୫ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମିକୁ ମାଡ଼ିବ ପାଣି
ସୁବର୍ଣ୍ଣପୁରରେ ପ୍ରତିଷ୍ଠା ହେବ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ

ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କୃଷି ସମ୍ବନ୍ଧୀୟ କାର୍ଯ୍ୟପ୍ରଣାଳୀର ବିବରଣୀ ଦେଇ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ବିସ୍ମୃତ ଖାଦ୍ୟର ପୁନରୁଦ୍ଧାର ଓ ପୁଷ୍ଟିଶସ୍ୟ ଆଧାରିତ କୃଷି ପ୍ରଣାଳୀ ମାଧ୍ୟମରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ରୋଜଗାରରେ ଉନ୍ନତି ଅଣାଯାଇଛି। ବର୍ତ୍ତମାନ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଶିଶୁ ବାଟିକାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଣ୍ଡିଆ ଲଡୁ ଦିଆଯାଉଛି। ‘ସିଏମ୍ କିଷାନ୍’ ଯୋଜନାରେ ଚାଷୀମାନଙ୍କୁ ୪ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛି। ଏଥିରେ ସହରାଞ୍ଚଳର କୃଷକ ମଧ୍ୟ ଅନ୍ତର୍ଭୁକ୍ତ। ଗତ ଅକ୍ଷୟ ତୃତୀୟା ଅବସରରେ ୨,୩୮୧ ଜଣ ବିଶେଷ ଭାବେ ଅନୁନ୍ନତ (ପିଭିଟିଜି) ଚାଷୀ, ୨୫,୫୩୨ ସହରାଞ୍ଚଳ ଚାଷୀଙ୍କ ସମେତ ମୋଟ୍ ୫୦ ଲକ୍ଷ ୨ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୧,୦୨୫ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛିl ‘ସିଏମ୍ କିଷାନ୍’ ସହିତ ‘ପିଏମ୍‌-ସମ୍ମାନ ନିଧି’ ସଂଯୁକ୍ତ ହୋଇ ଚାଷୀମାନଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରୁଛି। ଆହୁରି ମଧ୍ୟ ଚାଷୀଙ୍କ ପରିବାରକୁ ସମ୍ପୂର୍ଣ୍ଣ ରୂପେ ସଶକ୍ତ କରିବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ‘କୃଷି ବିଦ୍ୟାନିଧି’ ଯୋଜନାରେ ଚାଷୀଙ୍କ ସନ୍ତାନ-ସନ୍ତତିମାନଙ୍କ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ସହାୟତା ଯୋଗାଇ ଦିଆଯାଉଛି। ଏହା ସହିତ ‘ବଳଭଦ୍ର ଜୈବିକ ଚାଷ ମିସନ୍‌’ ଯୋଗେ ରସାୟନମୁକ୍ତ ଜୈବିକ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ଅମୃତ ଅନ୍ନ ପ୍ରକଳ୍ପ ଅଧୀନରେ ଓଡ଼ିଶାରେ ଉତ୍ପାଦିତ ରସାୟନମୁକ୍ତ ଦେଶୀ ବାସ୍ନାଯୁକ୍ତ ଚାଉଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋଠଭୋଗରେ ବ୍ୟବହାର ହେଉଛି ଏବଂ ଆଗାମୀ ଦିନରେ ଏହା ସମ୍ପୂର୍ଣ୍ଣ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କୃଷି ଓ କୃଷକର ବିକାଶ ପାଇଁ ରାଜ୍ୟ ବଜେଟ୍‌ରେ ଚଳିତବର୍ଷ ଅଧିକ ଆର୍ଥିକ ପ୍ରସ୍ତାବ ଦିଆଯାଇଛି ଏବଂ ଆଗାମୀ ବଜେଟ୍‌ରେ ଏହାକୁ ବୃଦ୍ଧି କରାଯିବ ବୋଲି ସୂଚନା ଦେଇଥିଲେ। ଏବେ ଓଡ଼ିଶାରୁ ବିଦେଶକୁ ଫଳ ରପ୍ତାନି କରାଯାଉଛି। କିଛି ବର୍ଷ ମଧ୍ୟରେ ବଲାଙ୍ଗୀରରେ କୃଷି ବିଦ୍ୟାଳୟ ପ୍ରତିଷ୍ଠା ହେବ। ସୁବର୍ଣ୍ଣପୁରରେ ମାଛ ଚାଷୀଙ୍କୁ ଉନ୍ନତ ଜ୍ଞାନକୌଶଳ ଶିକ୍ଷା ଦେବା ପାଇଁ ଫିସରି କଲେଜ୍‌ ପ୍ରତିଷ୍ଠା ହେବ ବୋଲି ସେ ଘୋଷଣା କରିଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ନିଜ ନିଜ ବିଭାଗର ପରିସଂଖ୍ୟାନ ଭିତ୍ତିକ ତଥ୍ୟ ଉପସ୍ଥାପନ କରିଥିଲେ। ସାଂସଦ ପ୍ରଦୀପ ପୁରୋହିତ, ଟିଟିଲାଗଡ଼ ବିଧାୟକ ନବୀନ ଜୈନ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ଉତ୍ତରାଞ୍ଚଳ ରାଜସ୍ୱ କମିସନର ସଚିନ ରାମଚନ୍ଦ୍ର ଯାଦବ ମଞ୍ଚାସୀନ ଥିଲେ। ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଧନ୍ୟବାଦ ଦେଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *