ବସ୍ତି ହେବ ଆଦର୍ଶ ଆବାସିକ ଅଞ୍ଚଳ
ବସ୍ତି ହେବ ଆଦର୍ଶ ଆବାସିକ ଅଞ୍ଚଳ
ବାସଗୃହ ସହ ମିଳିବ ସମସ୍ତ ମୌଳିକ ସୁବିଧା…
ବସ୍ତି ବାସିନ୍ଦାଙ୍କ ଉନ୍ନତ ଜୀବନଶୈଳୀ ପାଇଁ ମୋହନ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ସେମାନଙ୍କୁ ବାସଗୃହ ସହ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ବ ଆରୋପ କରିଛନ୍ତି। ଓଡ଼ିଶାର ସହରାଞ୍ଚଳରେ ପ୍ରାୟ ୮୦ ଲକ୍ଷ ଲୋକ ରହୁଛନ୍ତି।
ଭୁବନେଶ୍ୱର ୨୨-୦୫-୨୦୨୫(ଏସ.ଏମ ) : ବସ୍ତି ବାସିନ୍ଦାଙ୍କ ଉନ୍ନତ ଜୀବନଶୈଳୀ ପାଇଁ ମୋହନ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ସେମାନଙ୍କୁ ବାସଗୃହ ସହ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ବ ଆରୋପ କରିଛନ୍ତି। ଓଡ଼ିଶାର ସହରାଞ୍ଚଳରେ ପ୍ରାୟ ୮୦ ଲକ୍ଷ ଲୋକ ରହୁଛନ୍ତି। ଏଥିରୁ ପ୍ରାୟ ୨୫ ପ୍ରତିଶତ ଲୋକ ବସ୍ତି ଅଞ୍ଚଳରେ ରହୁଛନ୍ତି। ସହରରେ ରହିଲେ ମଧ୍ୟ ଅଧିକାଂଶ ଲୋକଙ୍କ ପାଖରେ ଭଲ ଘର କିମ୍ବା ଅନ୍ୟାନ୍ୟ ମୌଳିକ ସୁବିଧା ନାହିଁ। ତେଣୁ ସେମାନେ ଯେପରି ଉନ୍ନତି ଜୀବନଶୈଳୀ ସହିତ ନିଜର ଜୀବିକା ନିର୍ବାହ କରିପାରିବେ, ସେ ସଂପର୍କରେ ଯୋଜନା ପ୍ରସ୍ତୁତ କରୁଛି ବିଜେପି ସରକାର। ଆଜି ଲୋକସେବା ଭବନରେ ଆୟୋଜିତ ଏକ ବୈଠକରେ ବସ୍ତିବାସିନ୍ଦାଙ୍କ ଉନ୍ନତ ଜୀବନଶୈଳୀର ବିକାଶ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢୀ ଯୋଜନା ଉପସ୍ଥାପନା କରିଥିଲେ।
ଏଥିରେ ରାଜ୍ୟର ବସ୍ତିବାସିନ୍ଦାଙ୍କୁ ଘର ଯୋଗାଇଦେବା ପାଇଁ ଜମି ବ୍ୟାଙ୍କ ସୃଷ୍ଟି ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଘର ସହିତ ସଡ଼କ, ବିଜୁଳି, ପାଣି, ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ, ପାର୍କ, ଖୋଲାସ୍ଥାନ ଇତ୍ୟାଦି ସମସ୍ତ ମୌଳିକ ଓ ଅନ୍ୟ ଆବଶ୍ୟକ ସୁବିଧା ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ବସ୍ତି ଅଞ୍ଚଳଗୁଡ଼ିକ ଯେପରି ଆଦର୍ଶ ଆବାସିକ ଅଞ୍ଚଳ ଭାବେ ଗଢ଼ି ଉଠିବ ଏବଂ ସହରର ନାଗରିକ ଭାବରେ ସେମାନେ ଯେପରି ସମ୍ମାନର ସହ ସମସ୍ତ ମୌଳିକ ସୁବିଧା ହାସଲ କରିପାରିବେ, ସେଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ବିଡିଏର ଉପାଧ୍ୟକ୍ଷ ଏନ୍. ଥିରୁମାଲା ନାୟକ ଓ ବିଏମ୍ସି କମିସନର ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ।