ଘଟଣା ଦୁର୍ଘଟଣାରାଜ୍ୟସମସ୍ୟା ଭିତ୍ତିକ ଖବରସ୍ୱାସ୍ଥ୍ୟ /ରୋଗ ଆରୋଗ୍ୟ

ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଉଦ୍ୟମ ମାମଲା: ମରଣ ସହ ସଂଘର୍ଷ

ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଉଦ୍ୟମ ମାମଲା: ମରଣ ସହ ସଂଘର୍ଷ

ଏମ୍‌ସ୍‌ରେ ଚିକିତ୍ସାଧୀନ ଥିବା ଫକୀରମୋହନ କଲେଜ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି। ଫୁସ୍‌ଫୁସ୍‌, ହୃତ୍‌ପିଣ୍ଡ ଓ କିଡ୍‌ନି ପ୍ରଭାବିତ ହୋଇଛି

ଭୁବନେଶ୍ବର୧୪-୦୭-୨୦୨୫( ଏସ .ଏମ ) : ମ୍‌ସ୍‌ରେ ଚିକିତ୍ସାଧୀନ ଥିବା ଫକୀରମୋହନ କଲେଜ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି। ଫୁସ୍‌ଫୁସ୍‌, ହୃତ୍‌ପିଣ୍ଡ ଓ କିଡ୍‌ନି ପ୍ରଭାବିତ ହୋଇଛି। ଆଗାମୀ ୨୪ ଘଣ୍ଟା ଛାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ଆବଶ୍ୟକ ପଡ଼ିଲେ ତାଙ୍କୁ ଦିଲ୍ଲୀ ଏମ୍‌ସକୁ ଏୟାରଲିଫ୍ଟ କରାଯାଇପାରେ। କିନ୍ତୁ ବର୍ତ୍ତମାନ ସମୟ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏୟାରଲିଫ୍ଟ କରିବା ସମ୍ଭବ ନୁହେଁ। ତେଣୁ ଦିଲ୍ଲୀ ଏମ୍‌ସର ୩ ଜଣିଆ ସ୍ବାସ୍ଥ୍ୟ ବିଶେଷଜ୍ଞ କମିଟି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପୀଡ଼ିତା‌ଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।

ଏମ୍‌ସ ଭୁବନେଶ୍ବର ବର୍ଣ୍ଣ ସେଣ୍ଟର୍‌ର ବିଭାଗୀୟ ମୁଖ୍ୟ ସଞ୍ଜୟ ଗିରି କହିଛନ୍ତି ଯେ ଗତକାଲି ପୀଡ଼ିତା ଆସିବାବେଳେ ତାଙ୍କ ଅବସ୍ଥା ଗୁରୁତର ରହିଥିଲା। ପୂର୍ବରୁ ଖବର ପାଇ ଆମେ ସମସ୍ତ ପ୍ରସ୍ତୁତି କରି ରଖିଥିଲୁ। ପୀଡ଼ିତାଙ୍କ ଶ୍ବାସନଳୀ ପୋଡ଼ି ଯାଇଥିବାରୁ ତାଙ୍କର ସଙ୍ଗେ ସଙ୍ଗେ ଇନ୍‌ଟୁବେଟ୍ କରାଯାଇଥିଲା। ଏହାପରେ ହାର୍ଟ ରେଟ୍, ଅକ୍ସିଜେନ୍ ଲେବଲ, ବ୍ଲଡ୍‌ପ୍ରେସର୍‌ ଆଦି ଯାଞ୍ଚ କରାଯିବା ପରେ ଚିକିତ୍ସା କରାଯାଇଥିଲା। ଅବସ୍ଥାରେ ଟିକେ ଉନ୍ନତି ‌ହେବା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ପୀଡ଼ିତାଙ୍କ ଚିକିତ୍ସା ପାଇଁ ୧୦ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି।

ପୀଡ଼ିତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ି ଯାଇଛି। ଏହା କେବଳ ଶରୀର ଚର୍ମ ତଥା ଉପର ଅଂଶକୁ ଦେଖି ଅନୁମାନ କରାଯାଇଛି। ଆଭ୍ୟନ୍ତରୀଣ କ୍ଷତ କ’ଣ ହୋଇଛି ତାହା ରିପୋର୍ଟ ଆସିବା ପ‌ରେ ଜଣାପଡ଼ିବ। ପୀଡ଼ିତା ନିଜ ଦେହରେ ନିଆଁ ଲଗାଇବା ପରେ ପ୍ରଶ୍ବାସ ବାଟେ ଗରମ ଧୂଆଁ ନେଇଯାଇଛନ୍ତି। ଫଳରେ ଶ୍ବାସ ପ୍ରକ୍ରିୟାରେ ବାଧା‌ ସୃଷ୍ଟି ହୋଇଛି। ଆଜି ସନ୍ଧ୍ୟାରୁ ତାଙ୍କର ଡାଏଲିସିସ୍‌ ଆରମ୍ଭ ହୋଇଛି। ଶରୀରରୁ ଜଳୀୟ ଅଂଶ କମିବା ଫଳରେ ତାଙ୍କର ଗୋଟିଏ ପରେ ଗୋଟିଏ ଅଙ୍ଗ ପ୍ରଭାବିତ ହୋଇଛି। ବ୍ଲଡ୍‌ପ୍ରେସର ବହୁତ କମିଯାଇଥିବାରୁ ହୃତ୍‌ପିଣ୍ଡ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ବର୍ତ୍ତମାନ ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ସ୍ଥିର ରଖିବାକୁ ଉଦ୍ୟମ କରାଯାଉଛି। ଏମ୍‌ସ ପକ୍ଷରୁ ଆହୁରି କୁହାଯାଇଛି ‌ଯେ ଦିଲ୍ଲୀ ଏମ୍‌ସ ଡାକ୍ତରଙ୍କ ସହିତ ବୈଠକ ପରେ ସେମାନଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଯାଉଛି। ପୀଡ଼ିତାଙ୍କ ହାର୍ଟରେଟ୍ ‌ଏବେ ୧୮୦ ବିପିଏମ୍‌ ରହିଛି। ଅକ୍ସିଜେନ୍‌ ୯୮ ପ୍ରତିଶତ ଏବଂ ବ୍ଲଡ୍‌ପ୍ରେସର୍‌ ୧୩୬/୬୧ ରହିଛି। ପୀଡ଼ିତାଙ୍କର ହେମୋଡାଇନାମିକ୍ ମନିଟରିଂ କରାଯିବା ସହ ଚିକିତ୍ସା ସମ୍ପର୍କରେ ପରିବାର ଲୋକଙ୍କୁ ସମସ୍ତ ସୂଚନା ଦିଆଯାଉଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *