HealthHELTHNewsPoliticsରାଜ୍ୟ

ବାସୀ ଖାଦ୍ୟକୁ ନେଇ ବିଏମ୍‌ସିର ଚଢ଼ାଉ

ବାସୀ ଖାଦ୍ୟକୁ ନେଇ ବିଏମ୍‌ସିର ଚଢ଼ାଉ

୫୦ କେଜି ନଷ୍ଟ, ୫ଜଣ ଦୋକାନୀଙ୍କଠାରୁ ୧୩ ହଜାର ଜରିମାନା ଆଦାୟ

ଭୁବନେଶ୍ୱର ୨୩-୦୪-୨୦୨୫(ଏସ.ଏମ ) :  ନୀଳାଦ୍ରିବିହାର ଅଞ୍ଚଳରେ ବିକ୍ରି ହେଉଛି ବାସିଖାଦ୍ୟ। ଅପରିଷ୍କାର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଛି। ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ, ନୀଳାଦ୍ରିବିହାର ସମେତ ଆଖାପାଖ ଅଞ୍ଚଳ ଯେପରିକି କେୟାର ହସ୍ପିଟାଲ ଛକ, ବୁଦ୍ଧପାର୍କ ନିକଟ, କେୟାର ହସ୍ପିଟାଲରୁ ବୁଦ୍ଧପାର୍କକୁ ସଂଯୋଗ କରୁଥିବା ରାସ୍ତାପାର୍ଶ୍ବ, ଏଟିଏମ୍‌ ଛକରୁ କେୟାର ହସ୍ପିଟାଲ ଛକ ରାସ୍ତାପାର୍ଶ୍ବ, ହାଉସିଂ ବୋର୍ଡ କଲୋନି ନିକଟ ରାସ୍ତାପାର୍ଶ୍ବ, ଆଚାର୍ଯ୍ୟ ହରିହର କଲେଜ ନିକଟ ଅଞ୍ଚଳରେ ଖାଦ୍ୟର ମାନ ଖରାପ ରହୁଛି। ରାଜଧାନୀରେ ଝାଡ଼ାବାନ୍ତି ବ୍ୟାପିବା ପରେ ଆଜି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ନୀଳାଦ୍ରିବିହାର ଅଞ୍ଚଳରେ ଯାଞ୍ଚ ସମୟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଖାଦ୍ୟ, ପାନୀୟରୁ ଝାଡ଼ାବାନ୍ତି ହେଉଥିବା ଜଣାପଡ଼ିବା ପରେ ଆଜି ବିଏମ୍‌ସିର ନିଦ ଭାଙ୍ଗିଛି। ବି‌ଏମ୍‌ସିର ଟିମ୍‌ ସାଇନ୍‌ ଓ ଫୁଡ୍‌ ସ୍କ୍ବାଡ୍‌ର ସଦସ୍ୟମାନେ ନୀଳାଦ୍ରିବିହାର ଅଞ୍ଚଳଗୁଡ଼ିକରେ ଥିବା ଦୋକାନଗୁଡ଼ିକୁ ଯାଞ୍ଚ କରିଥିଲେ। ବିଭିନ୍ନ ‌ହୋଟେଲ୍‌, ରେଷ୍ଟୁରାଣ୍ଟ, ଦହିବରା ଦୋକାନରେ ପହଞ୍ଚି ଖାଦ୍ୟର ମାନ ଯାଞ୍ଚ କରିଥିଲେ। ଅପରିଷ୍କାର ପରିବେଶରେ ଅସ୍ବାସ୍ଥ୍ୟକର ଓ ବାସି ଖାଦ୍ୟ ବିକ୍ରି କରୁଥିବା ଦୋକାନୀଙ୍କୁ ତାଗିଦ୍‌ କରାଯିବା ସହ ୫୦ କେଜି ଖାଦ୍ୟ ନଷ୍ଟ କରାଯାଇଛି। ଅସ୍ବାସ୍ଥ୍ୟକର ଖାଦ୍ୟଦ୍ରବ୍ୟ ବିକ୍ରି କରୁଥିବା ୫ଜଣ ଦୋକାନୀଙ୍କଠାରୁ ୧୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଆଉ କିଛି ଦୋକାନୀଙ୍କୁ ନୋଟିସ୍‌ ଜାରି କରାଯାଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ ଗ୍ରୀଷ୍ମ ଋତୁରେ ସାଧାରଣତଃ ପାନୀୟ ଜଳ ଓ ଥଣ୍ଡା ଖାଦ୍ୟରେ ବିକ୍ରିବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ବିଶେଷକରି ଖାଦ୍ୟର ସଂକ୍ରମଣ ହେତୁ ବିଭିନ୍ନ ପ୍ରକାର ଜଳବାହିତ ରୋଗ,‌ ଯେପରିକି ଜଣ୍ଡିସ୍‌, ତରଳ ଝାଡ଼ା ଆଦି ହୋଇପାରେ। ତେଣୁ ଏଦିଗରେ ଜନସଚେତନତା ସହ ଖାଦ୍ୟ ଦ୍ରବ୍ୟ ବିକ୍ରୟକାରୀଙ୍କୁ ସଚେତନ କରାଯାଉଛି। ନୀଳାଦ୍ରିବିହାର ଅଞ୍ଚଳରେ ଥିବା କେୟାର ହସ୍ପିଟାଲ ନିକଟସ୍ଥ ଖାଦ୍ୟ ଦୋକାନଗୁଡ଼ିକରେ ପରିମଳ ଯାଞ୍ଚ ହୋଇଥିଲା। ସ୍କ୍ବାଡ୍‌ର ସଦସ୍ୟମାନେ ବିଭିନ୍ନ ଖାଦ୍ୟ ଦୋକାନରେ ପହଞ୍ଚି ଖାଦ୍ୟ ପ୍ରସ୍ତୁତ ସ୍ଥାନ, ଗ୍ରାହକ ବସୁଥିବା ସ୍ଥାନ, ଫ୍ରିଜ୍‌ରେ ରହୁଥିବା ଖାଦ୍ୟ ଯାଞ୍ଚ କରିଥିଲେ। ଟିମ୍‌ ସାଇନ୍‌ ପରିମଳ ଓ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍‌ ବାବଦରେ ନିରୀକ୍ଷଣ ମଧ୍ୟ କରିଛନ୍ତି। ଆଗାମୀ ଦିନରେ ଏହି ଯାଞ୍ଚ ବିଏମ୍‌ସିର ବିଭିନ୍ନ ଅଞ୍ଚଳରେ ଜାରି ରହିବ। ସମ୍ପୃକ୍ତ ବ୍ୟବସାୟୀମାନେ ନିରାପଦ ଖାଦ୍ୟ ପାନୀୟକୁ ଗୁରୁତ୍ବ ଦେବାକୁ ବିଏମ୍‌ସି ପକ୍ଷରୁ ଅନୁରୋଧ କରାଯାଇଥିବା ଅଧିକାରୀ ଜଣକ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *