HELTHLatestNewsPoliticsTOP STORIESଘଟଣା ଦୁର୍ଘଟଣାଦୁର୍ନୀତିରାଜନୀତିରାଜ୍ୟସମସ୍ୟା ଭିତ୍ତିକ ଖବରସ୍ୱାସ୍ଥ୍ୟ /ରୋଗ ଆରୋଗ୍ୟ

ବିଏମ୍‌ସିକୁ ଘାରିଲା ଡେଙ୍ଗୁ ଚିନ୍ତା

ବିଏମ୍‌ସିକୁ ଘାରିଲା ଡେଙ୍ଗୁ ଚିନ୍ତା…

୧୫ରୁ ଫଗିଂ, ପ୍ରତି ଶୁକ୍ରବାର ଡ୍ରାଏ ଡେ, ଆଣ୍ଟିଲାର୍ଭା କର୍ମଚାରୀ ସଂଖ୍ୟା ୨୨୦କୁ ବୃଦ୍ଧି

ଭୁବନେଶ୍ୱର ୧୦-୦୬-୨୦୨୫(ଏସ.ଏମ ) : (ବିଜୟ କୁମାର ପଣ୍ଡା ) ଡ଼ିଶାରେ ମୌସୁମୀର ସ୍ପର୍ଶ ପରଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ବର୍ଷା। ଭୁବନେଶ୍ବରରେ ପ୍ରତିଦିନ ଅପରାହ୍ଣରେ ବର୍ଷା ହେଉଛି। ଏଭଳି ସ୍ଥିତିରେ ଭୁବନେଶ୍ବରବାସୀଙ୍କୁ ଡେଙ୍ଗୁ ଭୟ ଘାରିଲାଣି। ଗତବର୍ଷ ଡେଙ୍ଗୁ ନାକେଦମ୍‌ କରିଥିଲା। ସ୍ଥିତି ଏପରି ଥିଲା ଯେ ଯେଉଁମାନେ ଭୁବନେଶ୍ବର ଆସୁଥିଲେ, ଡେଙ୍ଗୁ ରୋଗ ସାଥୀରେ ନେଇ ଫେରୁଥିଲେ। ଏହା ସହଜରେ ଅନ୍ୟ ଜିଲ୍ଲାବାସୀଙ୍କୁ ଆକ୍ରାନ୍ତ କରୁଥିଲା। ଗତ ବର୍ଷର ଅଭିଜ୍ଞତା ଆଧାରରେ ଚଳିତବର୍ଷ ଡେଙ୍ଗୁ ନିରାକରଣକୁ ଜୋର୍‌ ଦେଇଛି ବିଏମ୍‌ସି। ପ୍ରତିଷେଧକ ସ୍ବରୂପ ଆସନ୍ତା ୧୫ ତାରିଖରୁ ନିୟମିତ ମଶାଧୂଆଁ(ଫଗିଂ) ଛାଡ଼ିବା ଅଭିଯାନ ଆରମ୍ଭ ହେବ। ମାନବସମ୍ବଳ ଓ ଅନ୍ୟାନ୍ୟ କ୍ଷେତ୍ରକୁ ବି ସୁଦୃଢ଼ କରାଯାଇଛି। ଆଶା, ଅଙ୍ଗନବାଡ଼ି, ଏସ୍‌ଏଚ୍‌ଜି, ଆଣ୍ଟିଲାର୍ଭା କର୍ମଚାରୀ ପ୍ରମୁଖଙ୍କୁ ନେଇ ପ୍ରତି ଶୁକ୍ରବାର ଡ୍ରାଏ ଡେ’ ପାଳନ କରିବାକୁ ନିଷ୍ପତ୍ତି ହୋଇଛି।

୧୫ରୁ ଫଗିଂ, ପ୍ରତି ଶୁକ୍ରବାର ଡ୍ରାଏ ଡେ
ଆଣ୍ଟିଲାର୍ଭା କର୍ମଚାରୀ ସଂଖ୍ୟା ୨୨୦କୁ ବୃଦ୍ଧି
କିଣା ହେବ ୧୦୦୦ ଲିଟର ଟେମ୍‌ଫୋସ୍‌ ଓ ୧୦୦୦ ଲିଟର ମାଲାଥିନ୍‌
୨୨ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ୪ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନମୁନା ସଂଗ୍ରହ
୫ ଡାକ୍ତରଖାନାରେ ଡେଙ୍ଗୁ ନମୁନା ପରୀକ୍ଷା

ବିଏମ୍‌ସି ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଦୀପକ କୁମାର ବିଶୋଇ କହିଛନ୍ତି, ପୂର୍ବରୁ ୧୫୦ଜଣ ଆଣ୍ଟିଲାର୍ଭା କର୍ମଚାରୀ ଥିଲେ। ଚଳିତବର୍ଷ ଆଉଟ୍‌ସୋର୍ସିଂ ଜରିଆରେ ଅଧିକ ୭୦ଜଣ କର୍ମଚାରୀଙ୍କୁ ଆଣ୍ଟିଲାର୍ଭା ଟିମ୍‌ରେ ରଖାଯାଇଛି। ଏମାନେ ପ୍ରତି ଘରର ବାହାର ସ୍ଥିତି ଅନୁଧ୍ୟାନ ସହ ଏଡିସ୍‌ ମଶା ଜନ୍ମସ୍ଥାନ ଚିହ୍ନଟ କରିବେ ଓ ପ୍ରତିକାର ବ୍ୟବସ୍ଥା କରିବେ। କୌଣସି ଆସବାବରେ ପାଣି ଜମିଥିଲେ, ଏହାକୁ ମାଟିରେ ଢାଳିବେ ଓ ସଂପୃକ୍ତ ଜିନିଷରେ ପାଣି ନ ଜମିବା ବ୍ୟବସ୍ଥା କରିବେ। ସାହି ଗଳିକନ୍ଦିର ଶାଖାନାଳରେ ନିୟମିତ ତେଲ ସିଞ୍ଚନ କରିବେ। ଘର ଭିତର ସ୍ଥିତି ଅନୁଧ୍ୟାନ ପାଇଁ ଏଥର ସ୍ବେଚ୍ଛାସେବୀ ସଂଖ୍ୟା ବୃଦ୍ଧି କରାଯାଇଛି। ୧୦୦ଜଣ ସ୍ବେଚ୍ଛାସେବୀ ପ୍ରତି ଘର ବୁଲି ରେଫ୍ରିଜିରେଟର୍, ଏସି ଭଳି କୌଣସି ଆସବାବରେ ପାଣି ଜମୁଥିଲେ ଅବା ପାଣି ଜମି ମଶା ଜନ୍ମ ନେଉଥିଲେ, ନଷ୍ଟ କରିବେ। ୨୫ ଡିଗ୍ରି ସେଲ୍‌ସିୟସରୁ ଅଧିକ ତାପମାତ୍ରା ରହିଲେ ଅବା ବର୍ଷା ହେଲେ, ମଶାଧୂଆଁ କାମ ଦେବନି। ରାତିରେ ବି ତାପମାତ୍ରା ୨୫ ଡିଗ୍ରିରୁ ଅଧିକ ଥିଲେ ମଶା ଧୂଆଁ ଛାଡ଼ି ହେବନି।

ଏଣୁ ଯେଉଁ ସମୟରେ ବର୍ଷା ହେଉନଥିବ ଓ ତାପମାତ୍ରା କମ୍ ଥିବ, ସେହି ସମୟରେ ମଶାଧୂଆଁ ଛଡ଼ାଯିବ। ଆସନ୍ତା ୧୫ ତାରିଖରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ନିୟମିତ ଏହି ଅଭିଯାନ ଚାଲିବ। ଚଳିତବର୍ଷ ବିଏମ୍‌ସିର ୨୨ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ୪ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନମୁନା ସଂଗ୍ରହ କରାଯିବ। କ୍ୟାପିଟାଲ୍ ହସ୍ପିଟାଲ, ଏମ୍‌ସ, ଆର୍‌ଏମ୍‌ଆର୍‌ସି, ଆଇଆର୍‌ସି ଭିଲେଜ ଓ ପଟିଆ, ଏଭଳି ୫ଟି ଡାକ୍ତରଖାନାରେ ଡେଙ୍ଗୁ ନମୁନା ପରୀକ୍ଷା ହେବ। ବିଶ୍ବାସଯୋଗ୍ୟ ହୋଇଥିବାରୁ ଏଥର କେବଳ ଏଲିସା ପରୀକ୍ଷା କରାଯିବ।  ଚିହ୍ନଟ ଡେଙ୍ଗୁ ରୋଗୀଙ୍କ ଘରେ ଟିମ୍ ପହଞ୍ଚି ରୋଗର ନିକାକରଣ ଓ ରୋଗୀଙ୍କ ଯତ୍ନ ଉପରେ ସଚେତନ କରିବେ। ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଏଥିପାଇଁ ରହିବେ। ରୋଗୀଙ୍କ ଘରର ଦୁଇପାର୍ଶ୍ବରେ ୪୦୦ ମିଟର ପରିଧିରେ ଆଣ୍ଟିଲାର୍ଭା ଆକ୍ଟିଭିଟି କରାଯିବ। ସବୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ୍ ଅଧିକାରୀ(ଏମ୍ଓ) ନିଜ ନିଜ ଅଞ୍ଚଳର ସ୍କୁଲ, କଲେଜ ବୁଲି ସଚେତନ କରିବେ ବୋଲି ଡା. ବିଶୋଇ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *