ରାଜ୍ୟ

ବିଏମ୍‌ସିର କୁକୁର ଗଣତି

ବିଏମ୍‌ସିର କୁକୁର ଗଣତି…

ସାଢ଼େ ୪ ଲକ୍ଷ ଖର୍ଚ୍ଚ, ଫଳ ଶୂନ, ସଂଖ୍ୟା ଦେବାକୁ ଲାଜ ମାଡ଼ୁଛି

  • ରାଜ୍ୟରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ବରରେ କୁକୁର ଗଣତି କରୁଛୁ ବୋଲି ଡିଣ୍ଡିମ ପିଟିଲେ।
  • ଏ ବାବଦରେ ପ୍ରାୟ ସାଢ଼େ ୪ଲକ୍ଷ ଟଙ୍କା ଖର୍ଚ୍ଚ ହେଲା।
  • କିନ୍ତୁ ଫଳ ଶୂନ। ସ୍ଥିତି ଏପରି ଯେ ତଥ୍ୟ ଦେବାକୁ ବି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)କୁ ଲାଜ ମାଡ଼ୁଛି।

ଭୁବନେଶ୍ୱର ୦୮-୧୦-୨୦୨୫( ଏସ.ଏମ ) :  ରାଜ୍ୟରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ବରରେ କୁକୁର ଗଣତି କରୁଛୁ ବୋଲି ଡିଣ୍ଡିମ ପିଟିଲେ। ଏ ବାବଦରେ ପ୍ରାୟ ସାଢ଼େ ୪ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। କିନ୍ତୁ ଫଳ ଶୂନ। ସ୍ଥିତି ଏପରି ଯେ ତଥ୍ୟ ଦେବାକୁ ବି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)କୁ ଲାଜ ମାଡ଼ୁଛି। କାରଣ ଯେଉଁମାନେ ଗଣତିରେ ନିୟୋଜିତ ଥିଲେ, ସେମାନେ କୁକୁର ଗଣତି ଠିକ୍‌ରେ କରି ପାରିଲେନି। କହୁଥିଲେ, ପ୍ରାୟ ୭୦ହଜାର ବୁଲା କୁକୁର ରାଜଧାନୀରେ ଅଛନ୍ତି। କିନ୍ତୁ ଗଣିଲା ବେଳକୁ କୁକୁର ସଂଖ୍ୟା ଏହାର ଅଧାକୁ ଖସି ଆସିଲା। ଏଣୁ ଗଣତି ଠିକ୍‌ରେ ହୋଇ ନଥିବା ଜାଣିବା ପରେ ଭୁବନେଶ୍ବର ମହାନଗର ନିଗମ ତଥ୍ୟ ଲୁଚାଇବା ଆରମ୍ଭ କରିଛି। ଅଧିକାରୀଙ୍କୁ ପଚାରିଲେ, ଗଣନା ଶେଷ ପରେ ସଂଖ୍ୟାର ମେଳକ ଚାଲିଛି, ସରିଲେ ତଥ୍ୟ ଦେବୁ କହୁଛନ୍ତି। ଏଭଳି ସ୍ଥିତିରେ କୁକୁର ଗଣତି ନେଇ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ କ’ଣ ଫାଙ୍କିବାକୁ ଚେଷ୍ଟା କରୁଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ସେପ୍ଟେମ୍ବରରେ ୬୭ଟି ୱାର୍ଡରେ ଦୁଇଟି ପର୍ଯ୍ୟାୟରେ କୁକୁର ଗଣତି କରିଥିଲା ବିଏମ୍‌ସି। ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର ୧୮ରୁ ୨୧ ତାରିଖ ଓ ଦ୍ବିତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ବୁଲାକୁକୁର ଗଣତି କରାଯାଇଥିଲା। ଏଥିପାଇଁ ଜୋନ୍, ଵାର୍ଡ ଓ ଵାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ୪୧୦ଜଣିଆ ଟିମ୍‌ଗଠନ କରାଯାଇଥିଲା। ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରି ଇନ୍ସପେକ୍ଟର, ଏସ୍ଏମ୍‌ଟିଏ, ଡିଇଓ, ସିଓ, ଵାର୍ଡ ଅଫିସରମାନେ ବୁଲାକୁକୁର ଗଣତିରେ ନିୟୋଜିତ ହୋଇଥିଲେ। ଏହା ପୂର୍ବରୁ ତିନିଦିନ ଧରି ସମସ୍ତଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।ଯେହେତୁ ସକାଳେ କୁକୁର ନିଜ ନିଜ ଜାଗାରେ ଶୋଇଥାନ୍ତି, ଏଣୁ ଭୋର ୫ଟାରୁ ୭ଟା ପର୍ଯ୍ୟନ୍ତ କୁକୁର ଗଣନା ହୋଇଥିଲା। କୁକୁର କାମୁଡ଼ା କମାଇବା ସହ ରାବିସ, ଲେପ୍ଟୋସ୍ପାଇରୋସିସ୍ ଆଦି ସଂକ୍ରମିତ ରୋଗ, ସଡ଼କ ଦୁର୍ଘଟଣା ଓ ପରିବେଶ ପ୍ରଦୂଷଣ ରୋକିବା ଉଦ୍ଦେଶ୍ୟରେ କୁକୁର ଗଣନା କରାଯାଇଥିଲା। ଗଣତି ଦ୍ବାରା ବିଏମ୍‌ସି ଅଞ୍ଚଳରେ କେତେ ବୁଲା କୁକୁର ଅଛନ୍ତି, ତାର ଏକ ଡାଟାବେସ୍ ତିଆରି ହୋଇପାରିଥାନ୍ତା। ଯଦ୍ୱାରା ଏକ ସ୍ଥାୟୀ କୁକୁର ସଂଖ୍ୟା ପରିଚାଳନା କାର୍ଯ୍ୟକ୍ରମ ବିକଶିତ କରି ହେବ ଓ କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମର ସଫଳ ରୂପାୟନ କରିହେବ ବୋଲି ମେୟର ଓ କମିସନର୍ କହିଥିଲେ। ଏଥିରୁ କେଉଁମାନେ ଆଣ୍ଟିରାବିସ୍ ଟିକା ନେଇଛନ୍ତି ଓ କେଉଁମାନେ ନେଇନାହାନ୍ତି, ଜାଣିହେବ ବୋଲି କହିଥିଲେ। 

ଇତିମଧ୍ୟରେ ବୁଲାକୁକୁର ଗଣତି ସରିବାର ୧୫ ଦିନ ବିତିଗଲାଣି, କିନ୍ତୁ ତଥ୍ୟ ଦେବାକୁ ଅଧିକାରୀ ପଛଘୁଞ୍ଚା ଦେଉଛନ୍ତି। ପଚାରିଲେ, ଭିନ୍ନ ଭିନ୍ନ ଅଧିକାରୀଙ୍କ କଥା କହି ଭୁତାଉଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ପ୍ରଥମ ପର୍ଯ୍ୟାୟରେ ଯେବେ ଭୁବନେଶ୍ବର ମହାନଗର ନିଗମ ବୁଲାକୁକୁର ଗଣତି କଲା, ସେତେବେ‌ଳେ ବୁଲାକୁକୁର ସଂଖ୍ୟା ପ୍ରାୟ ୩୯ ହଜାର ଥିଲା। କିନ୍ତୁ ଦ୍ବିତୀୟ ପର୍ଯ୍ୟାୟ ଗଣତିରେ ଏହି ସଂଖ୍ୟା ବହୁ ତଳକୁ ଖସି ଆସିଥିଲା। ଠିକ୍ ତଥ୍ୟ ମିଳି ନଥିଲେ ବି କୁହାଯାଉଛି, ପ୍ରାୟ ୨୫ହଜାରକୁ ସଂଖ୍ୟା ଖସି ଆସିଥିଲା। ଏଣୁ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ଜାଣିଶୁଣି ଏହି ତଥ୍ୟ ଦେବାକୁ ମନ ବଳାଉନାହାନ୍ତି। ସେପଟେ ଏହି ତଥ୍ୟ ଗଣମାଧ୍ୟମକୁ ନ ଦେବାକୁ ଏକ ଅଲିଖିତ ନିର୍ଦ୍ଦେଶନାମା କୁଆଡ଼େ ବଡ଼ବାବୁଙ୍କ ତରଫରୁ ରହିଛି। ଏଣୁ କେହି ବି ଏହି ତଥ୍ୟ ଦେଉନାହାନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *