ବିଜେଡିର ଗଡ଼କୁନେଇ ଏବେ ଚିନ୍ତା
ବିଜେଡିର ଗଡ଼କୁନେଇ ଏବେ ଚିନ୍ତା…
ଜିଲ୍ଲା ସଭାପତି ଜେଲ୍ରେ, କିଏ ନେବ ନେତୃତ୍ବ?
ବ୍ରହ୍ମପୁର ୨୫-୧୦-୨୦୨୫(ଏସ.ଏମ ) : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ ରାଜନୈତିକ ସମ୍ପୃକ୍ତି ନେଇ ଚର୍ଚ୍ଚା ଥମିନି। ଏହା ସହିତ କିନ୍ତୁ ଯେଉଁ ପ୍ରସଙ୍ଗଟି ସାମନାକୁ ଆସିଲା, ତାହା ହେଉଛି ବିଜେଡି ମୁଖିଆଙ୍କ ଗଞ୍ଜାମରେ ବିଜେଡି ସ୍ବାସ୍ଥ୍ୟ ଠିକ୍ ନାହିଁ। ବିଜେଡି ପ୍ରତିବାଦ ସଭାକୁ ଦେଖି ଏମିତି ଚର୍ଚ୍ଚା ଜୋର ଧରିଲାଣି। ଦିନେ ବିଜେଡିର ବଡ଼ ଗଡ଼ ଥିବା ଗଞ୍ଜାମ ଏବେ ଗଡ଼ବଡ଼ ସ୍ଥିତିରେ, ତାହା ଜଳଜଳ ଦିଶୁଛି। ରାଜନୈତକ ପର୍ଯ୍ୟବେକ୍ଷକ ମହଲଙ୍କର କହିବା କଥା ହେଉଛି, ଗଞ୍ଜାମ ଗଣିତ ଗୋଳମାଳ ଧରିଲାଣି। ଗତ ନିର୍ବାଚନ ସମୟରେ ଦଳ ଏଠାରେ ବିପର୍ଯ୍ୟୟ ସାମନା କରିଥିଲା। ଶଙ୍ଖ ଧ୍ବନି ନିଷ୍ପ୍ରଭ ହୋଇଯାଇଥିଲା। ଏବେ ନେତୃତ୍ବ ସଙ୍କଟ ଦେଖାଦେଇଛି। ଅର୍ଥାତ୍ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ଜିଲ୍ଲାର ଜିଲ୍ଲା ସଭାପତି ବିକ୍ରମ ପଣ୍ଡା ଗିରଫ ହୋଇ ଜେଲ୍ ଯିବା ପରେ ଗଞ୍ଜାମ ରାଜନୀତିରେ ଦେଖାଦେଇଥିବା ନେତୃତ୍ବ ସଙ୍କଟ ଧରାପଡ଼ିଯାଇଛି। ସ୍ଥିତି ଏତେ ଗମ୍ଭୀର ଯେ ଦଳର ଏଭଳି ବିପର୍ଯ୍ୟୟ ସମୟରେ ମଧ୍ୟ ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୁଖ କିମ୍ବା ଦଳର ଲମ୍ବା ସମୟର ନେତା ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଗର୍ଜନ ଶୁଭୁନି। ପୀତବାସ ହତ୍ୟାକାଣ୍ଡରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତିଙ୍କ ଗିରଫ ଓ ପ୍ରତିବାଦ ସଭା ଏମିତି ଅନେକ ସଙ୍କେତ ଦେଉଛି। ଏହି ସଭାରେ ଜିଲ୍ଲା ବାହାର ନେତାଙ୍କ ଉପସ୍ଥିତି ଥିଲା। ସେମାନେ ହିଁ ସରକାରଙ୍କୁ ନାଲି ଆଖି ଦେଖାଇଥିଲେ। ହେଲେ ଗଞ୍ଜାମ ଜିଲ୍ଲାରେ ଯେଉଁମାନଙ୍କୁ ଗତ ଦିନମାନଙ୍କରେ ଦଳ କ୍ଷମତା ଅଜା଼ଡ଼ି ଦେଇଥିଲା, ସେମାନଙ୍କୁ ଦେଖିବାକୁ ମିଳିନଥିଲା। କୁଆଡ଼େ ଗଲେ ଗଞ୍ଜାମ ନେତା? କାହା ନେତୃତ୍ବରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଜିଲ୍ଲା ବଢ଼ିବ? ଏସବୁକୁ ନେଇ ଜିଲ୍ଲା ରାଜନୀତି ଉଠୁଛି ପଡ଼ୁଛି।
ଗଞ୍ଜାମ ରାଜନୀତିରେ ପ୍ରଥମେ ନବୀନଙ୍କ ରଥର ସାରଥୀ ଥିଲେ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକ। ଦିନ କେତେଟା ପରେ ରାମକୃଷ୍ଣ ହଟିଲେ, ଉଇଁଲେ ସୂର୍ଯ୍ୟ ପାତ୍ର। ପରେ ଗଞ୍ଜାମ ରାଜନୀତିରେ ଚମକିଥିଲେ ପ୍ରଦୀପ ପାଣିଗ୍ରାହୀ ଓ ବିକ୍ରମ ଆରୁଖ। ହେଲେ ପରିବର୍ତ୍ତିତ ରାଜନୈତିକ ସମୀକରଣରେ ପାଣିଗ୍ରାହୀଙ୍କୁ ହଟାଇ କଂଗ୍ରେସରୁ ବିକ୍ରମ ପଣ୍ଡାଙ୍କୁ ସାମ୍ନାକୁ ଆଣିଥିଲା ଶଙ୍ଖ ଶିବିର। ଏବେ ବିଜେଡିକୁ ବ୍ୟାକଫୁଟକୁ ନେଇଗଲେ ବିକ୍ରମ। ସେପେଟ ବରିଷ୍ଠ ବିକ୍ରମ ଅର୍ଥାତ୍ ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୁଖ ବି ଚୁପ୍। ନିଜ ନିର୍ବାଚନମଣ୍ଡଳିରେ ମଧ୍ୟ ସେ ଆଉ ସେତେଟା ବୁଲୁନାହାନ୍ତି।
କୌତୂହଳ କଥା ହେଲା, ଚନ୍ଦ୍ରଶେଖର ସାହୁଙ୍କୁ କଂଗ୍ରେସରୁ ଆମଦାନୀ କରିଛି ଦଳ। ବିକ୍ରମ ପଣ୍ଡାଙ୍କ ପଛରେ ସେ ଛିଡ଼ା ହେଉଥିଲେ ବି ଦଳ ତାଙ୍କୁ ଏଥର ନିର୍ବାଚନ ଲଢ଼ାଇ ନଥିଲା। ଚ୍ୟାଉପଟ୍ଟନାୟକ ବୟସ୍କ ହେଲେଣି। ଗତ ନିର୍ବାଚନରେ ୧୮ହଜାର ଭୋଟରେ ତାଙ୍କୁ ହାରିବାକୁ ପଡ଼ିଛି। ଚିକିଟିରେ ଉଷାଦେବୀ ଆଶାତୀତ ସକ୍ରିୟ ନାହାନ୍ତି। ଦଳ ଏଥର ତାଙ୍କ ପୁଅ ଶ୍ରୀରୂପଦେବଙ୍କୁ ଟିକେଟ ଦେଇଥିଲେ ବି ୬୫୨୨ ଭୋଟ୍ରେ ସେ ପରାସ୍ତ ହେଲେ। ସେପଟେ ପୋଲସରାରେ ଶ୍ରୀକାନ୍ତ ସାହୁ ବିବାଦୀୟ ହୋଇ ରହିଛନ୍ତି। ଛତ୍ରପୁରରେ ସୁବାସ ବେହେରା, ଦିଗପହଣ୍ଡିରେ ବିପ୍ଲବ ପାତ୍ରଙ୍କୁ ବି ୨୪ ନିର୍ବାଚନରେ ଭୋଟର ଗ୍ରହଣ କଲେନି। ଲତିକାଙ୍କ ଦଳବିରୋଧୀ ବୟାନ ରାଜ୍ୟବାସୀ ଭୁଲିନାହାନ୍ତି। ଆସ୍କା, ସୋରଡ଼ା, ସାନଖେମୁଣ୍ଡି ଓ ଖଲ୍ଲିକୋଟରେ ମଧ୍ୟ ଦଳର ସ୍ଥିତି ଭଲ ନାହିଁ। ଅନ୍ୟପାଖେ ଏକମାତ୍ର ବିଧାୟକ ଭାବେ ନବୀନ ଜିତିଛନ୍ତି, ଯିଏ ନିର୍ବାଚନମଣ୍ଡଳିକୁ ଯାଉନାହାନ୍ତି। ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବାକୁ ନିଜ ଜିଲ୍ଲାକୁ ଆସିଥିଲେ ବି ରାସ୍ତାରୁ କାମ ସାରି ଫେରି ଯାଇଥିଲେ। ତା’ ପରଠାରୁ ଜିଲ୍ଲାରେ ଯେତେ ଦଳୀୟ ସମାବେଶ ହୋଇଥିଲେ ବି ସର୍ବୋଚ୍ଚ ନେତାଙ୍କ ଦର୍ଶନ ମିଳିନି। ଏବେ କାହା ନେତୃତ୍ବରେ ଦଳୀୟ ସାଙ୍ଗଠନିକ କାମ ଆଗକୁ ବଢ଼ିବ, ତା ଉପରେ ନଜର।
