ରାଜନୀତିରାଜ୍ୟ

ବିଜେପି ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବିଜେପି ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଜୁନ୍‌୨୦ରେ ବିଜେପି ସରକାର ଗଠନର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଆୟୋଜନ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ବୋଧନ ଦେବେ

ଭୁବନେଶ୍ବର ୧୮-୦୬-୨୦୨୫(ଏସ .ଏମ ) : ଜୁନ୍‌୨୦ରେ ବିଜେପି ସରକାର ଗଠନର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଆୟୋଜନ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ବୋଧନ ଦେବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବହୁ କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟଗଣ, ସାଂସଦ ଓ ବିଧାୟକ, ରାଜ୍ୟର ବିଶିଷ୍ଟ ବ୍ୟକ୍ତି, ଦେଶର ବହୁ ଶିଳ୍ପପତି ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାକୁ ସ୍ବାଗତ ଓ ତାଙ୍କ ସମ୍ବୋଧନ ଶୁଣିବା ପାଇଁ ପ୍ରାୟ ୨ଲକ୍ଷ ଲୋକଙ୍କ ସମାଗମ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ରାଜ୍ୟ ସରକାରଙ୍କ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମ ଏବଂ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଯେପରି ସଫଳ ହେବ ସେଥିପାଇଁ ଆଜି ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ପ୍ରସ୍ତୁତି ବୈଠକ ବସିଥିଲା। ଏଥିରୁ ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀ ଅପରାହ୍‌ଣ ୩ଟା ୪୦ରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ୩ଟା ୪୫ରୁ ରୋଡ୍ ସୋ’ରେ ବାହାରି ଜନତା ମଇଦାନ ଅଭିମୁଖେ ଯିବେ। ଏହି ରୋଡ୍‌ ସୋ’ ୩୦ମିନିଟ ଅର୍ଥାତ୍ ୪ଟା ୧୫ ଯାଏଁ ଚାଲିବାକୁ ଥିବାବେଳେ ପ୍ରଧାନମନ୍ତ୍ରୀଙ୍କୁ ରାସ୍ତାର ଉଭୟ ପାର୍ଶ୍ବରେ ସାଧାରଣ ଲୋକ ସ୍ବାଗତ କରିବେ। ବିମାନବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ପ୍ରାୟ ୭କିମିର ରାସ୍ତା ଜନସମୁଦ୍ର ପାଲଟିବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ଉଦ୍ଦେଶ୍ୟରେ ବିମାନବନ୍ଦରରୁ ଏଜି ଛକ ଦେଇ ରାଜଭବନ ଛକ, କଳିଙ୍ଗଷ୍ଟାଡିୟମ ଛକ ଓ ଜନତା ମଇଦାନ ମଧ୍ୟରେ ବିଭିନ୍ନ ସାଂସ୍କୃତିକ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ଏହି ୭କିମିରେ ୨୮ଟି ମଞ୍ଚ ହେବାକୁ ଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ୪୦ଟି ସାଂସ୍କୃତିକ ଦଳ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରିବେ।

ବିଜେପି ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
କମିସନରେଟ୍ ପୁଲିସର କଡ଼ା ସୁରକ୍ଷା ବ୍ୟବସ୍ଥା
୨୮ଟି ମଞ୍ଚରେ ୪୦ଟି ସାଂସ୍କୃତିକ ଦଳ କାର୍ଯ୍ୟକ୍ରମ ପରିବେଷଣ କରିବେ

ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବା କ୍ଷଣି ସ୍ବାଗତ, ପ୍ରତ୍ୟାବର୍ତ୍ତନ ସମୟରେ ସମ୍ବର୍ଦ୍ଧନା, ଗସ୍ତ ପରିପ୍ରେକ୍ଷୀରେ ଆବଶ୍ୟକସ୍ଥଳେ ସାମୟିକ ରହଣି ପାଇଁ ରାଜଭବନରେ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଉନ୍ନୟନ କମିସନର ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ପୁଲିସ ଡିଜି ୱାଇ.ବି ଖୁରାନିଆ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସାରା ରାଜ୍ୟରୁ ୨ଲକ୍ଷ ଲୋକ ଭୁବନେଶ୍ବର ଆସିବେ। ଏଥିରୁ ୧ଲକ୍ଷ ଲୋକ ରୋଡ୍‌ ସୋ’ରେ ଏବଂ ୧ଲକ୍ଷ ଲୋକ ସଭାସ୍ଥଳରେ ରହିବେ। ଲକ୍ଷାଧିକ ଲୋକଙ୍କ ସମାଗମ ହେବାକୁ ଥିବାରୁ କମିସନରେଟ୍ ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନା ଓ ବରିଷ୍ଠ ଅଧିକାରୀ ଘନ ଘନ ବୈଠକ କରି ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି। କମିସନରେଟ୍ ପୁଲିସର ସୂଚନା ଅନୁଯାୟୀ, ସୁରକ୍ଷା ଦାୟିତ୍ବ ଜଣେ ଆଇଜି ଓ ୨ଜଣ ଡିଆଇଜି ରୢାଙ୍କ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ଡିସିପି ରୢାଙ୍କର ୧୩ ଜଣ, ୧୮ ଏଡିସିପି, ୫୮ ଜଣ ଏସିପି, ୯୪ ଇନ୍‌ସ୍ପେକ୍ଟର, ୩୧୨ ଏସ୍‌ଆଇ/ଏଏସ୍‌ଆଇ, ୨୫୮ଜଣ ହାବିଲଦାର, ୯୪ଜଣ ଏପିଆର୍ କନେଷ୍ଟବଳ ବି ନ‌ିୟୋଜିତ ହେବେ। ଏହାବାଦ୍ ୬୭ ପ୍ଲାଟୁନ ପୁଲିସ ଫୋର୍ସ, ୩ ଏସ୍‌ଟିୟୁ, ଡଗ୍‌ ସ୍କ୍ବାଡ୍‌, ବୋମା ନିଷ୍କ୍ରିୟକାରୀ ଟିମ୍‌ ମୁତୟନ ହେବେ। ୧୧୧ ଜଣ ମହିଳା କନେଷ୍ଟବଳ ଓ ୯୪ ଜଣ ହୋମଗାର୍ଡ ସୁରକ୍ଷା ଦାୟିତ୍ବରେ ରହିବେ।

ସେହିପରି ବିମାନବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବର ସମସ୍ତ ବଡ଼ବଡ଼ କୋଠାରୁ ଆରମ୍ଭ କରି ମାର୍କେଟ୍‌ କମ୍ପ୍ଲେକ୍ସକୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ବିମାନବନ୍ଦରରୁ ଉତ୍ସବ ସ୍ଥଳ ସମଗ୍ର ଅଞ୍ଚଳ ସିସିଟିଭି ନଜରରେ ରହିଛି। କଣ୍ଟ୍ରୋଲ୍‌ରୁମ୍‌ରୁ ଜଣେ ଡିଏସ୍‌ପି ରୢାଙ୍କର ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍‌ ପ୍ରତିଟି ଗତିବିଧି ଉପରେ ନଜର ରଖିବ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଏସ୍‌ପିଜି ଟିମ୍ ସହ କମିସନରେଟ୍‌ ପୁଲିସ, ବିମାନବନ୍ଦର କର୍ତ୍ତୃପକ୍ଷ, ସିଆଇଏସ୍‌ଏଫ, ଏନ୍‌ଏଚ୍‌ଏଆଇ, ଆର୍‌ଆଣ୍ଡବି, ବିଏମ୍‌ସିର ଅଧିକାରୀ, ଟ୍ରାଫିକ୍‌ , ସିକ୍ୟୁରିଟି , ଇଣ୍ଟେଲିଜେନ୍ସ ଓ କାରକେଡ୍‌ ସହ ରହିବାକୁ ଥିବା ବାଟାଲିୟନ୍‌ର ଅଫିସର ପୂରା ପ୍ରସ୍ତୁତି ଉପରେ ନଜର ରଖିଛନ୍ତି। ଆଜି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଜନତା ମଇଦାନ ଯାଇ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମାଙ୍କ ନେତୃତ୍ବରେ ୬୦ଜଣ ଓଏଏସ୍‌ ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ବ ବଣ୍ଟନ କରାଯାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *