ବିଧାନସଭା ପରିସରରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧଦିବସ ପାଳିତ
ବିଧାନସଭା ପରିସରରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧଦିବସ ପାଳିତ
ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଥିଲେ ଏକାଧାରରେ ଆଦର୍ଶ ସୁଶାସକ, ପ୍ରଜାବତ୍ସଳ ଓ ଦୂରଦ୍ରଷ୍ଟା ରାଜା, ବିଚକ୍ଷଣ ରାଜନୀତିଜ୍ଞ, ଦେଶଭକ୍ତ, ଶିକ୍ଷାନୁରାଗୀ ଓ ସାହିତ୍ୟାନୁରାଗୀ। ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଭୂମିକା ଥିଲା ଅତୁଳନୀୟ
ଭୁବନେଶ୍ୱର୨୬-୦୫-୨୦୨୫(ଏସ .ଏମ ) : ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଥିଲେ ଏକାଧାରରେ ଆଦର୍ଶ ସୁଶାସକ, ପ୍ରଜାବତ୍ସଳ ଓ ଦୂରଦ୍ରଷ୍ଟା ରାଜା, ବିଚକ୍ଷଣ ରାଜନୀତିଜ୍ଞ, ଦେଶଭକ୍ତ, ଶିକ୍ଷାନୁରାଗୀ ଓ ସାହିତ୍ୟାନୁରାଗୀ। ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଭୂମିକା ଥିଲା ଅତୁଳନୀୟ। ସେ ଥିଲେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ। ୧୯୧୪ ମସିହା ଡିସେମ୍ବର ମାସରେ ପାରଳାଖେମୁଣ୍ଡିରେ ଅନୁଷ୍ଠିତ ‘ଉତ୍କଳ ସମ୍ମିଳନୀ’ର ଅଧିବେଶନରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଉତ୍କଳର ଏକତ୍ରୀକରଣ ତଥା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ଦାବି କରି ଯେଉଁ ଓଜସ୍ୱିନୀ ବକ୍ତବ୍ୟ ଦେଇଥିଲେ ତାହା ଅନ୍ୟମାନଙ୍କୁ ଉଦ୍ବୁଦ୍ଧ କରିବା ସହିତ ସ୍ୱତନ୍ତ୍ର ପ୍ରଦେଶ ଗଠନର ମୂଳଦୂଆ ରଖିଥିଲା। ବିଧାନସଭା ପରିସରରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧ ଦିବସ ପାଳନ ଉତ୍ସବରେ ଯୋଗଦେଇ ଅତିଥିମାନେ ଏହା କହିଛନ୍ତି। କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିଧାୟକ ରୂପେଶ ପାଣିଗ୍ରାହୀ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଉତ୍କଳ ସମ୍ମିଳନୀର ସଦସ୍ୟବୃନ୍ଦ, ଗଜପତି ବିକାଶ ପରିଷଦର ବରିଷ୍ଠ କର୍ମକର୍ତ୍ତା, ବିଧାନସଭାର ସଚିବ ସତ୍ୟବ୍ରତ ରାଉତଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧ ସଂଗୀତ ପରିବେଷିତ ହୋଇଥିଲା। ରୋଜାଲିନ୍ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।