ଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ବିଶ୍ବବ୍ୟାଙ୍କ ରିପୋର୍ଟ ଉତ୍କଟ ଦାରିଦ୍ର୍ୟରୁ ମୁକୁଳିଛନ୍ତି ୨୭ କୋଟି ଭାରତୀୟ

ବିଶ୍ବବ୍ୟାଙ୍କ ରିପୋର୍ଟ ଉତ୍କଟ ଦାରିଦ୍ର୍ୟରୁ ମୁକୁଳିଛନ୍ତି ୨୭ କୋଟି ଭାରତୀୟ

ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ଭାରତ ବିଗତ ଦଶନ୍ଧିରେ ବଡ଼ ଅଗ୍ରଗତି କରିଛି। ଭାରତରେ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ୨୦୧୧-୧୨ରେ ୩୪.୪୪ କୋଟି ରହିଥିଲା। ୨୦୨୨-୨୩ରେ ଏହି ସଂଖ୍ୟା ହ୍ରାସ ପାଇ ୭.୫୨ କୋଟିରେ ରହିଛି

ନୂଆଦିଲ୍ଲୀ/ଭୁବନେଶ୍ୱର୦୮-୦୬-୨୦୨୫ (ଏସ .ଏମ ) : ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ଭାରତ ବିଗତ ଦଶନ୍ଧିରେ ବଡ଼ ଅଗ୍ରଗତି କରିଛି। ଭାରତରେ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ୨୦୧୧-୧୨ରେ ୩୪.୪୪ କୋଟି ରହିଥିଲା। ୨୦୨୨-୨୩ରେ ଏହି ସଂଖ୍ୟା ହ୍ରାସ ପାଇ ୭.୫୨ କୋଟିରେ ରହିଛି। ଅର୍ଥାତ୍‌ ପ୍ରାୟ ୨୭ କୋଟି ଲୋକ ଏହି ସମୟ ଭିତରେ ଉତ୍କଟ ଦାରିଦ୍ର୍ୟ କବଳରୁ ମୁକ୍ତ ହେବାରେ ସକ୍ଷମ ହୋଇଛନ୍ତି। ୨୦୧୧-୧୨ରେ ଭାରତରେ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ଦେଶର ମୋଟ ଜନସଂଖ୍ୟାର ୨୭.୧ ପ୍ରତିଶତ ଲୋକ ବାସ କରୁଥିଲେ। ୨୦୨୨-୨୩ ବେଳକୁ ଏହା ୫.୩ ପ୍ରତିଶତକୁ ଖସିଆସିଛି। ବିଶ୍ବବ୍ୟାଙ୍କର ସଦ୍ୟତମ ବିଶ୍ବ ଦାରିଦ୍ର୍ୟ ତଥ୍ୟରୁ ଏହା ଜଣାଯାଇଛି।

ଦାରିଦ୍ର୍ୟ ମାପ ମାନଦଣ୍ଡକୁ କଡ଼ାକଡ଼ି କରାଯିବା ସତ୍ତ୍ବେ ଭାରତ ଏହି ସଫଳତା ହାସଲ କରିଛି। ପୂର୍ବରୁ ଦାରିଦ୍ର୍ୟ ମାପ ପାଇଁ ଦୈନିକ ଖର୍ଚ୍ଚ ୨.୧୫ ଡଲାର ରହିଥିବାବେଳେ ନୂଆ ମାନଦଣ୍ଡରେ ଏହାକୁ ୩ ଡଲାର‌କୁ ବୃଦ୍ଧି କରାଯାଇଛି। ସେହିଭଳି ନୂଆ ମାପରେ ୨୦୨୧ ମସିହାର କ୍ରୟ ଶକ୍ତି ସମତାକୁ ବିଚାରକୁ ନିଆଯାଇଛି। ଅନ୍ୟ ଏକ ଉଲ୍ଲେଖନୀୟ ବିଷୟ ହେଲା ୨୦୧୧-୧୨ରେ ଦେଶରେ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ବାସ କରୁଥି‌ବା ମୋଟ ଲୋକଙ୍କ ମଧ୍ୟରୁ ୬୫ ପ୍ରତିଶତ ୫ଟି ରାଜ୍ୟ ଯଥା ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶରେ ରହୁଥିଲେ। ୨୦୨୨-୨୩ ସୁଦ୍ଧା ଭାରତର ଉତ୍କଟ ଦାରିଦ୍ର୍ୟରେ ଯେଉଁ ମୋଟ ହ୍ରାସ ଘଟିଛି ସେଥିରେ ଉପରୋକ୍ତ ୫ଟି ରାଜ୍ୟର ଯୋଗଦାନ ଦୁଇ ତୃତୀୟାଂଶ ରହିଛି।

୨୦୧୧-୧୨ରେ ଥିଲେ ୩୪.୪୪ କୋଟି
୨୦୨୨-୨୩ରେ ଅଛନ୍ତି ୭.୫୨ କୋଟି
ନିମ୍ନ-ମଧ୍ୟବିତ୍ତ ବର୍ଗରେ ଅଛନ୍ତି ୩୪ କୋଟି

୨୦୧୭ ଦରଦାମ ଆଧାରରେ ପୂର୍ବର ୨.୧୫ ଡଲାର ଖର୍ଚ୍ଚକୁ ବିଚାରକୁ ନେଲେ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ବାସ କରୁଥିବା ‌ଲୋକଙ୍କ ସଂଖ୍ୟା
୨୦୨୨-୨୩ରେ ୨.୩ ପ୍ରତିଶତକୁ ହ୍ରାସ ପାଇଛି। ୨୦୧୧-୧୨ରେ ଏହା ୧୬.୨ ପ୍ରତିଶତ ରହିଥିଲା। ଏହି ହିସାବ ଅନୁଯାୟୀ, ୨୦୧୧-୧୨ରୁ ୨୦୨୨-୨୩ ମଧ୍ୟରେ ଭାରତରେ ୧୭.୨ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ସୀମାରେଖା ବାହାରକୁ ଆସିଛନ୍ତି। ୨୦୧୧-୧୨ରେ ଏମାନଙ୍କ ସଂଖ୍ୟା ୨୦.୫ କୋଟି ଥିବା ବେଳେ ୨୦୨୨-୨୩ରେ ୩.୩୬ କୋଟିକୁ ହ୍ରାସ ପାଇଛି। ଏଥିସହିତ ବିଶ୍ବବ୍ୟାଙ୍କ ନିମ୍ନ-ମଧ୍ୟବିତ୍ତ ବର୍ଗ ଦାରିଦ୍ର୍ୟ ସୀମାରେଖା ପାଇଁ ଧାର୍ଯ୍ୟ ମାନଦଣ୍ଡରେ ପରିବର୍ତ୍ତନ କରିଛି। ୨୦୧୭ ଦରଦାମ ଆଧାରରେ ଦୈନିକ ଖର୍ଚ୍ଚ ୩.୬୫ ଡଲାର ପୂର୍ବରୁ ରହିଥିବାବେଳେ ନୂଆ ମାପକାଠିରେ ଏହା ୪.୨୦ ଡଲାରକୁ ବୃଦ୍ଧି କରାଯାଇଛି।

ନୂଆ ମାନଦଣ୍ଡ ଅନୁସାରେ ଭାରତରେ ନିମ୍ନ-ମଧ୍ୟବିତ୍ତ ବର୍ଗ ସୀମାରେଖା ତଳେ ୨୦୧୧-୧୨ରେ ୫୭.୭ ପ୍ରତିଶତ ଭାରତୀୟ ରହିଥିଲେ। ୨୦୨୨-୨୩ରେ ଏହା ୨୩.୯ ପ୍ରତିଶତକୁ ହ୍ରାସ ପାଇଛି। ଉପରୋକ୍ତ ୧୧ ବର୍ଷ ମଧ୍ୟରେ ନିମ୍ନ-ମଧ୍ୟବିତ୍ତ ଶ୍ରେଣୀର ସୀମାରେଖା ମଧ୍ୟରେ ଥିବା ଲୋକଙ୍କ ସଂଖ୍ୟା ୭୩.୨୪ କୋଟିରୁ ହ୍ରାସ ପାଇ ୩୪.୨୩ କୋଟି ରହିଛି। ବିଶ୍ବବ୍ୟାଙ୍କ ଦାରିଦ୍ର୍ୟ ମାପ ନେଇ କରିଥିବା ସଂଶୋଧନରେ ବିଶ୍ବରେ ଉତ୍କଟ ଦାରିଦ୍ର୍ୟ ହାର ୨୦୨୨ ମସିହା ପାଇଁ ୯ ପ୍ରତିଶତରୁ ୧୦.୫ ପ୍ରତିଶତକୁ ବୃଦ୍ଧି ପାଇଛି। ଫଳରେ ଅନ୍ତର୍ଜାତୀୟ ଦାରିଦ୍ର୍ୟ ସୀମାରେଖା ମଧ୍ୟରେ ବାସ କରୁଥିବା ଲୋକଙ୍କ ସଂଖ୍ୟା ବିଶ୍ବରେ ୭୧.୩ କୋଟିରୁ ବୃଦ୍ଧି ପାଇ ୮୩.୮ କୋଟିରେ ପହଞ୍ଚିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *