HELTHରାଜ୍ୟ

ବିଶ୍ବ ମ୍ୟାଲେରିଆ ଦିବସ

ବିଶ୍ବ ମ୍ୟାଲେରିଆ ଦିବସ

ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟାରେ ୬୩% ବୃଦ୍ଧି

ଭୁବନେଶ୍ବର ୨୫.୦୪.୨୦୨୫ (ଏସ .ଏମ ) : ଡ଼ିଶାରେ ମ୍ୟାଲେରିଆ ସ୍ଥିତି ଅତ୍ୟନ୍ତ ସଙ୍ଗିନ। ରକେଟ୍‌ ବେଗରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଗତ ୩ବର୍ଷ ହେବ ରାଜ୍ୟରେ ମ୍ୟାଲେରିଆ ସ୍ଥିତି ସଂପୂର୍ଣ୍ଣ ଓଲଟିଯାଇଛି। କିଭଳି ଏହାକୁ ନିୟନ୍ତ୍ରଣ କରାଯିବ ସରକାର ବାଟ ପାଉ ନାହାନ୍ତି। ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବା କାରଣରୁ ଓଡ଼ିଶା ଦେଶରେ ଯେଉଁ ବାହାବା ସାଉଁଟିଥିଲା, ଏବେ ବଦନାମ ମୁଣ୍ଡାଉଛି। ମ୍ୟାଲେରିଆ ହ୍ରାସ ପାଇଁ ସରକାରଙ୍କ କୌଣସି ନିର୍ଦ୍ଦିଷ୍ଟ ନୀତି ନ ଥିବା କିମ୍ବା ଏହା ଉପରେ ଅଧିକ ଗବେଷଣା ନ ହେବା କାରଣରୁ ସ୍ଥିତିରେ ସୁଧାର ଆସୁନାହିଁ। ୨୦୨୨ ମସିହାରେ ଓଡ଼ିଶାରେ ମ୍ୟାଲେରିଆ ସଂଖ୍ୟା ୨୩ହଜାରକୁ ଖସି ଆସିଥିଲା। ଆଗକୁ ସ୍ଥିତି ଆହୁରି ହ୍ରାସ ପାଇବ ବୋଲି ଅନୁମାନ କରାଯାଉଥିଲା। ହେଲେ ପରବର୍ତ୍ତୀ ବର୍ଷଗୁଡ଼ିକରେ ରୋଗୀଙ୍କ ସଂଖ୍ୟା କମିବା ତୁଳନାରେ ଆହୁରି ବଢ଼ିଥିଲା। ସ୍ଥିତି ଏପରି ହୋଇଛି ଯେ ୨୦୨୪ ମସିହାରେ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବବର୍ଷ ତୁଳନାରେ ୬୩% ବୃଦ୍ଧି ପାଇଛି। ରାଜ୍ୟର ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ମ୍ୟାଲେରିଆ ସ୍ଥିତିରେ କୌଣସି ସୁଧାର ଆସୁନାହିଁ। ଗତବର୍ଷ ରାଜ୍ୟ‌ରେ ଯେତିକି ଆକ୍ରାନ୍ତ ବାହାରିଥିଲେ ତାହାର ୨୧% କଳାହାଣ୍ଡି, ରାୟଗଡ଼ା ୨୦%, କନ୍ଧମାଳ ୧୬%, କୋରାପୁଟ ୧୪%, ମାଲକାନଗିରି ୭% ଓ ବୌଦ୍ଧରୁ ୯% ହିଁ ଚିହ୍ନଟ ହୋଇଛନ୍ତି। ମ୍ୟାଲେରିଆ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ‘ଦମନ’ ନାମକ ଏକ ଅଭିନବ ଯୋଜନା ଆରମ୍ଭ କରିଥିଲେ। ଏଥିରେ ୭୮% ଲକ୍ଷଣବିହୀନ ଓ ୨୨% ଲକ୍ଷଣଯୁକ୍ତ ମ୍ୟାଲେରିଆ ରୋଗୀ ଚିହ୍ନଟ ହେଉଛନ୍ତି। ଏହାସହ ୫ବର୍ଷରୁ କମ୍ ୧୩% ଶିଶୁ ଓ ୧% ଗର୍ଭବତୀ ମହିଳାଙ୍କୁ ୨୦୨୪ ମସିହାରେ ଚିହ୍ନଟ କରାଯାଇଛି। ତେବେ ‘ଦମନ’ରେ ଚିହ୍ନଟ ହେଉଥିବା ରୋଗୀଙ୍କୁ ରାଜ୍ୟ ସରକାରଙ୍କ ବାର୍ଷିକ ମ୍ୟାଲେରିଆ ରୋଗୀ ତାଲିକାରେ ସାମିଲ କରାଯାଉନାହିଁ। ଫଳରେ ରାଜ୍ୟରେ ପ୍ରତିବର୍ଷ ପ୍ରକୃତରେ କେତେ ସଂଖ୍ୟାକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତାହାକୁ ନେଇ ଭିନ୍ନ ମତ ପ୍ରକାଶ ପାଉଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଓଡ଼ିଶାରେ ଥିବା ଆଞ୍ଚଳିକ ସ୍ବାସ୍ଥ୍ୟ କାର୍ଯ୍ୟାଳୟ ପକ୍ଷରୁ ‘ଦମନ’କୁ ନେଇ କେନ୍ଦ୍ର ସରକାରଙ୍କ ଜାତୀୟ କୀଟବାହିତ ରୋଗ ନିୟନ୍ତ୍ରଣ କେନ୍ଦ୍ର(ଏନ୍‌ସିଭିବିଡିସି)କୁ ପତ୍ର ଲେଖାଯିବା ରାଜ୍ୟ ସରକାରଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଏଥିରେ କୁହାଯାଇଛି ଯେ ୨୦୧୭ ମସିହାରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ‘ଦମନ’ କାର୍ଯ୍ୟକ୍ରମ ଜରିଆରେ ଅପହଞ୍ଚ ଅଞ୍ଚଳରେ ୩-୪% ଜନସଂଖ୍ୟାର ଗଣ ସ୍କ୍ରିନିଂ କରାଯାଉଛି। ଏହାସହ ଆଦିବାସୀ ଆବାସିକ ବିଦ୍ୟାଳୟଗୁଡ଼ିକରେ ମଧ୍ୟ ବର୍ଷକୁ ଦୁଇଥର ଏହି ସ୍କ୍ରିନିଂ ହେଉଛି। ସ୍କ୍ରିନିଂ ମୁଖ୍ୟତଃ ରାପିଡ୍‌ ଡାଏଗ୍ନୋଷ୍ଟିକ୍ ଟେଷ୍ଟ(ଆରଡିଟି) ଜରିଆରେ କରାଯାଉଛି ଓ ଏଥିରେ ମ୍ୟାଲେରିଆ ରୋଗୀ ଚିହ୍ନଟ ହେଉଛନ୍ତି। ଜଣେ ରୋଗୀଙ୍କ ରକ୍ତରେ ମାଇକ୍ରୋଲିଟରରେ ୧୦୦-୨୦୦ ପାରାସାଇଟ୍‌ ଥିଲେ ‌ହିଁ ଏହି କିଟ୍‌ ମ୍ୟାଲେରିଆ ଚିହ୍ନଟ କରିପାରିବ। ଅର୍ଥାତ୍ ଆରଡିଟିରେ ଚିହ୍ନଟ ‌ରୋଗୀଙ୍କ ଶରୀରରେ ବହୁମାତ୍ରାରେ ମ୍ୟାଲେରିଆ ପାରାସାଇଟ୍‌ ରହିଛି। ୨୦୨୩ ମସିହାରେ ଏହି ଯୋଜନାରେ ୨୮ହଜାର ୨୯୩ ରୋଗୀଙ୍କ ଚିହ୍ନଟ କରାଯାଇଛି। ମାତ୍ର ବାର୍ଷିକ ତାଲିକାରେ ଏହାକୁ ସାମିଲ କରା ନ ଯିବା କାରଣରୁ ଓଡ଼ିଶାର ପ୍ରକୃତ ସ୍ଥିତି କ’ଣ ତାହା ସ୍ପଷ୍ଟ ହେଉନାହିଁ। ତେଣୁ ରାଜ୍ୟ ସରକାର ଏହି ସଂଖ୍ୟା କିଭଳି ତାଲିକାରେ ସାମିଲ କରିବେ ସେଥିପାଇଁ ନିର୍ଦ୍ଦେଶ ଦେବାକୁ ପତ୍ରରେ କୁହାଯାଇଛି। ଏହାସହ ‘ଦମନ’ରେ ଚିହ୍ନଟ ରୋଗୀଙ୍କ ଜିଲ୍ଲାୱାରି ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ ଆଞ୍ଚଳିକ ସ୍ବାସ୍ଥ୍ୟ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ସରକାର ଏହା ଉପରେ ବିଶେଷ ଗୁରୁତ୍ବ ଦେଉଛନ୍ତି। ଏ ଦୃଷ୍ଟିରୁ ମ୍ୟାଲେରିଆକୁ ନେଇ ସଚେତନତା ସୃଷ୍ଟି କରିବାକୁ ବିଶ୍ବ ମ୍ୟାଲେରିଆ ଦିବସକୁ କଳାହାଣ୍ଡିରେ ପାଳନ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା କିଭଳି ହ୍ରାସ ପାଇବ ତାହା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *