ଦେଶ- ବିଦେଶରାଜନୀତିସମସ୍ୟା ଭିତ୍ତିକ ଖବର

ବିହାର ଭୋଟର ତାଲିକାରେ ଗୁରୁତର ତ୍ରୁଟି

ବିହାର ଭୋଟର ତାଲିକାରେ ଗୁରୁତର ତ୍ରୁଟି

ବିହାର ଭୋଟର ତାଲିକା ସଂଶୋଧନ ସମୟରେ ବ୍ୟାପକ ଜାଲିଆତି ଓ ଅନିୟମିତତା ସାମନାକୁ ଆସିଛି। ଭୋଟର ତାଲିକାରେ ବହୁ ସଂଖ୍ୟାରେ ନେପାଳ, ବାଂଲାଦେଶ ଓ ମ୍ୟାମାର ନାଗରିକଙ୍କୁ ଚିହ୍ନଟ କରାଯାଇଛି

ପାଟନା/ଭୁବନେଶ୍ୱର୧୪-୦୭-୨୦୨୫( ଏସ .ଏମ ) : ବିହାର ଭୋଟର ତାଲିକା ସଂଶୋଧନ ସମୟରେ ବ୍ୟାପକ ଜାଲିଆତି ଓ ଅନିୟମିତତା ସାମନାକୁ ଆସିଛି। ଭୋଟର ତାଲିକାରେ ବହୁ ସଂଖ୍ୟାରେ ନେପାଳ, ବାଂଲାଦେଶ ଓ ମ୍ୟାମାର ନାଗରିକଙ୍କୁ ଚିହ୍ନଟ କରାଯାଇଛି। ବିଦେଶୀ ନାଗରିକଙ୍କ ନାମକୁ ଯାଞ୍ଚ ପରେ ହଟାଇ ଦିଆଯିବ ଏବଂ ଏ ବାବଦ ସଂଶୋଧନ ପ୍ରକ୍ରିୟା ତ୍ବରାନ୍ବିତ କରାଯାଇଛି ବୋଲି ନିର୍ବାଚନ କମିସନଙ୍କ ସୂତ୍ରରୁ ସୂଚନା ମିଳିଛି। ଅଗଷ୍ଟ ପହିଲା ପରେ ଏଭଳି ବିଦେଶୀ ଲୋକଙ୍କ ଉପଯୁକ୍ତ ତଦନ୍ତ କରାଯିବା ପରେ ୨୦୨୫ ସେପ୍ଟେମ୍ବର ୩୦ତାରିଖରେ ପ୍ରକାଶିତ ହେବାକୁ ଥିବା ଚୂଡ଼ାନ୍ତ ତାଲିକାରେ ସେମାନଙ୍କ ନାମ ହଟିଯିବ ବୋଲି ଅଧିକାରୀମାନେ ନିଶ୍ଚିତ କରିଛନ୍ତି।
ଅଯୋଗ୍ୟ ନାମର ଭୋଟର ତାଲିକାକୁ ହଟାଇବା ଏବଂ କେବଳ ଭାରତୀୟ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରିବାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଜୁନ୍ ୨୪ରେ ଜାରି ହୋଇଥିବା ନିର୍ଦ୍ଦେଶନାମା ପରେ ଭାରତୀୟ ନିର୍ବାଚନ କମିସନ (ଇସିଆଇ) ଜୁନ୍ ୨୫ରେ ସ୍ବତନ୍ତ୍ର ଭୋଟର୍‌ ତାଲିକା ସଂଶୋଧନ ଅଭିଯାନ (ଏସ୍‌ଆଇଆର) ଆରମ୍ଭ କରିଥିଲେ। ଏହି ସଂଶୋଧନ ଅଭିଯାନ ଜୁଲାଇ ୨୬ ପର୍ଯ୍ୟନ୍ତ ଚାଲିବ।

ଏହି ପ୍ରକ୍ରିୟାର ଏକ ଅଂଶ ଭାବରେ ନିର୍ବାଚନ ଆୟୋଗ ପ୍ରଥମେ ସମସ୍ତ ଭୋଟରଙ୍କୁ ନାଗରିକତା ପ୍ରମାଣପତ୍ର ସମେତ ପରିଚୟପତ୍ର ଦାଖଲ କରିବାକୁ ବାଧ୍ୟତାମୂଳକ କରିଥିଲେ। ବର୍ତ୍ତମାନ ବିହାରରେ ୭.୮ କୋଟିରୁ ଅଧିକ ପଞ୍ଜୀକୃତ ଭୋଟରଙ୍କ ପ୍ରମାଣପତ୍ର ଯାଞ୍ଚ କରିବାରେ ସରକାରୀ କର୍ମଚାରୀ ଓ ରାଜନୈତିକ ଦଳର କର୍ମୀଙ୍କ ସମେତ ୭୭୦୦୦ରୁ ଅଧିକ ବୁଥ୍ ଲେଭେଲ ଅଫିସର (ବିଏଲଓ) ନିୟୋଜିତ ଅଛନ୍ତି। ଭୋଟର୍‌ମାନଙ୍କୁ ସେମାନଙ୍କର ଭାରତୀୟ ନାଗରିକତା ପ୍ରମାଣିତ କରୁଥିବା ଦସ୍ତାବିଜ ପ୍ରଦାନ କରିବାକୁ କୁହାଯାଇଛି।

ସଂଶୋଧନ ପ୍ରକ୍ରିୟା ତ୍ବରାନ୍ବିତ କଲେ ନିର୍ବାଚନ କମିସନ

ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରି ଅଭିଯୋଗ କରିଛନ୍ତି ଯେ ସେମାନେ ବିଦେଶୀ ନାଗରିକମାନଙ୍କୁ ଭୋଟର ତାଲିକାରେ ସାମିଲ କରିବାକୁ ଚେଷ୍ଟା କରୁଛନ୍ତି। ମାଲବ୍ୟ ଲେଖିଛନ୍ତି, ବିହାରର ଭୋଟର୍‌ ତାଲିକାରେ ବାଂଲାଦେଶ, ମ୍ୟମାର ଏବଂ ନେପାଳ ଭଳି ଦେଶର ବିଦେଶୀ ନାଗରିକଙ୍କ ନାମ ଥିବା ଉଦ୍‌ବେଗର ବିଷୟ। ସ୍ୱତନ୍ତ୍ର ସଂଶୋଧନ ସମୟରେ ଏହି ତଥ୍ୟ ସାମନାକୁ ଆସିଛି। ଆରଜେଡି, କଂଗ୍ରେସ, ବାମପନ୍ଥୀ ଏବଂ ସେମାନଙ୍କ ସମର୍ଥକ ୟୁଟ୍ୟୁବର, ସ୍ୱେଚ୍ଛାସେବୀ ସଂଗଠନ ଏବଂ ତଥାକଥିତ ଆଇନଜୀବୀମାନେ ବେଆଇନ ଆପ୍ରବାସୀଙ୍କ ନାମ ତାଲିକାରେ ସାମିଲ କରିବା ପାଇଁ ନିର୍ବାଚନ କମିସନଙ୍କ ଉପରେ ଲଗାତାର ଚାପ ପକାଉଛନ୍ତି ବୋଲି ମାଲବ୍ୟ ଅଭିଯୋଗ କରିଛନ୍ତି।

ଚଳିତ ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ବିହାରରେ ଭୋଟର୍‌ ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର)କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ପିଟିସନର ଶୁଣାଣି ହୋଇଥିଲା। ଆବେଦନକାରୀଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସର ମହୁଆ ମୈତ୍ର, ଆରଜେଡିର ମନୋଜ କୁମାର ଝା, କଂଗ୍ରେସର କେସି ବେଣୁଗୋପାଳ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି- ଏସପିର ସୁପ୍ରିୟା ସୁଲେଙ୍କ ସମେତ ଅନେକ ବିରୋଧୀ ନେତା ରହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ନିର୍ବାଚନ ଆୟୋଗକୁ ଏସ୍‌ଆଇଆର ସହିତ ଆଗକୁ ବଢ଼ିବାକୁ ଅନୁମତି ଦେଇଥିବା ବେଳେ ଯାଞ୍ଚ ପ୍ରକ୍ରିୟା ସମୟରେ ଆଧାର, ଭୋଟର ପରିଚୟପତ୍ର ଏବଂ ରାସନ କାର୍ଡ ଭଳି ଦସ୍ତାବିଜକୁ ବିଚାରକୁ ନେବାପାଇଁ କହିଛନ୍ତି। 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *